ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମେଣ୍ଟରେ ଲଢିବ ଅସାଦୁଦ୍ଦିନ ଓୱେସୀଙ୍କ ଦଳ AIMIM । ବାବୁ ସିଂ କୁଶୱା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟରେ AIMIM ନିର୍ବାଚନ ଲଢିବା ନେଇ ଆଜି (ଶନିବାର) ସ୍ପଷ୍ଟ କରିଛନ୍ତି ଦଳ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । କେବଳ ସେତିକି ନୁହେଁ, ଏହି ମିଳିତ ମଞ୍ଚ କ୍ଷମମତାକୁ ଆସିଲେ ଦୁଇ ମୁଖ୍ୟମନ୍ତ୍ରୀ ଓ ୩ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ସରକାର ଗଠନ ହେବା ନେଇ ମଧ୍ୟ ଓଓ୍ବେସୀ ଘୋଷଣା କରିଛନ୍ତି ।
ଆଜି (ଶନିବାର) ଓଓ୍ବେସୀ କହିଛନ୍ତି ତାଙ୍କ ମିଳିତ ମଞ୍ଚ ଯଦି ଉତ୍ତର ପ୍ରଦେଶରେ କ୍ଷମତାକୁ ଆସେ ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯିବ । ଏହି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜଣେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟରୁ ଚୟନ ହେବାକୁ ଥିବା ବେଳେ ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ଦଳିତ ସମ୍ପ୍ରଦାୟରୁ ରହିବେ । ସେହିପରି ଅନ୍ୟ ୩ ଉପମୁଖ୍ୟମନ୍ତ୍ରୀ ସଂଖ୍ୟାଲଘୁ ତଥା ମୁସଲମାନ ସମ୍ପ୍ରଦାୟରୁ ଚୟନ ହେବେ ବୋଲି କହିଛନ୍ତି ଓଓ୍ବେସୀ ।
ନିକଟରେ ଓଓ୍ବେସୀ ଉତ୍ତର ପ୍ରଦେଶର ଅନ୍ୟ ରାଜନୈତିକ ଦଳ ମାନଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ । ଓଓ୍ବେସୀ କହିଥିଲେ ଅନ୍ୟ ରାଜନୈତିକ ଦଳ ମାନେ ସଂଖ୍ୟାଲଘୁ ବିରୋଧୀ । ମୁସଲମାନଙ୍କ ସ୍ବାର୍ଥ ପାଇଁ କେହି କାର୍ଯ୍ୟ କରୁନାହାନ୍ତି । ପ୍ରଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଅନ୍ୟାୟ ବଢିବାରେ ଲାଗିଛି । ତେବେ ତାଙ୍କ ଦଳ ନିର୍ବାଚନୀ ମେଣ୍ଟ ଫର୍ମକୁ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଆସନ ସ୍ପଷ୍ଟ କରିବା ସହ ଏହି ପଦବୀ ପାଇଁ ନେତା କେଉଁ ଆଧାରରେ ଚୟନ ହେବ ତାକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ।
ଉତ୍ତର ପ୍ରଦେଶରେ ଫେବୃଆରୀ 10ରୁ ସମସ୍ତ 403 ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ରାଜ୍ୟରେ ଫେବୃଆରୀ 10 ତାରିଖ, 14, 20, 23, 27, ମାର୍ଚ୍ଚ 3 ଏବଂ 7 ତାରିଖରେ ମୋଟ ସାତୋଟି ପର୍ଯ୍ୟାୟରେ ମତଦାନ ହେବା ନେଇ ତାରିଖ ସ୍ଥିର କରାଯାଇଥିବା ବେଳେ ମାର୍ଚ୍ଚ ୧୦ ତାରିଖରେ ମତ ଗଣନା ଓ ଜନାଦେଶ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ