ଲକ୍ଷ୍ନୌ: ୟୁପିରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଆଗ୍ରା ପଞ୍ଚାୟତ ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ରବିବାର ଦିନ ଏକ ସ୍ବତନ୍ତ୍ର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି ପ୍ରାର୍ଥୀଙ୍କ ବିଶେଷତ୍ବ ହେଉଛି, ସେ ଗତ 35 ବର୍ଷ ଧରି ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛନ୍ତି, ଏବଂ ସବୁ ନିର୍ବାଚନରେ ହାରିଛନ୍ତି ମଧ୍ୟ । ଲଗାତାର ୯୨ ଥର ନିର୍ବାଚନ ଲଢିବା ପରେ ଏଥରକୁ ମିଶାଇ ୯୩ ଥର ନିର୍ବାଚନ ଲଢିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ସୂଚନାନୁସାରେ, ଆଗ୍ରା ଖେରାଗଡ ନଗଲା ଦୁଲ୍ହେ ଗାଁର ହସନୁରାମ ଅମ୍ବେଡକରୀ । ବୃତ୍ତିରେ ସେ ଜଣେ ଶ୍ରମିକ ଏବଂ ସେ ସାମାଜିକ ସେବା କରିବାକୁ ଭଲ ପାଆନ୍ତି ।
ତାଙ୍କ କହିବାନୁସାରେ, ସେ ପୂର୍ବରୁ ଜଣେ ବିଏସପି କର୍ମୀ ଥିଲେ ଏବଂ ଏକ ସଭାରେ ସେ ବିଏସପି ଅଧିକାରୀଙ୍କଠାରୁ ଟିକେଟ ମାଗିଥିଲେ । ଏହା ଉପରେ ଅଧିକାରୀ ତାଙ୍କୁ କହିଥିଲେ, 'ଯଦି ତୁମକୁ ତୁମର ଘରଲୋକ ଜାଣି ନାହାନ୍ତି, ତେବେ ତୁମେ କିପରି ନିର୍ବାଚନ ଲଢିବ?' ଆଉ ଏହି କଥା ତାଙ୍କୁ ଏତେ ଖରାପ ଲାଗିଥିଲା ଯେ ସେ ନିର୍ବାଚନ ଲଢିବା ଆରମ୍ଭ କରିଥିଲେ । ୧୯୪୭ରେ ଜନ୍ମିତ ହସନୁରାମ ପ୍ରଥମ କରି ୧୯୮୫ରେ ନିର୍ବାଚନ ଲଢିଥିଲେ । ବିଧାୟକ ପଦବୀ ପାଇଁ ସେ ଛିଡାହେବା ପରେ ହାରିଯାଇଥିଲେ । କିନ୍ତୁ କମିନଥିଲା ତାଙ୍କ ମଧ୍ୟରେ ଥିବା ଆଗ୍ରହ । ଥରେ ନୁହେଁ କି ୨ ଥର ନୁହେଁ ପାଖାପାଖି ୯୨ ଥର ସବୁ ପ୍ରକାର ନିର୍ବାଚନ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ତଥାପି ସେହି ଦମ୍ଭ ସେହି ଜୋସ୍ ପାଇଁ ବର୍ତ୍ତମାନ ସେ ପୁଣିଥରେ ୨୦୨୧ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ତେବେ ଆଶ୍ଚର୍ଯ୍ୟର କଥା ସେ କହିଛନ୍ତି ଯଦି ସେ ଆସନ୍ତା ବର୍ଷକୁ ଜୀବିତ ଥିବେ ତାହେଲେ ୨୦୨୨ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିବେ । ମୋର ଉଦ୍ଦେଶ୍ୟ ଲୋକଙ୍କ ନିକଟତର ହେବା । ଥରେ ନିର୍ବାଚନ ଜିତିଗଲେ ଲୋକେ ଚେହେରା ଭୁଲିଯାଆନ୍ତି । କିନ୍ତୁ ହାରିଲେ ସଦା ସର୍ବଦା ତମେ ଲୋକଙ୍କ ହୃଦୟରେ ସ୍ଥାନ ପାଇପାରିବ ବୋଲି କୁହନ୍ତି ସେ ।