ମୁମ୍ବାଇ: 2024 ସାଧାରଣ ନର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ନିକଟବର୍ତ୍ତୀ ହେବାରେ ଲାଗିଛନ୍ତି ଅଭିନେତା,ଅଭିନେତ୍ରୀ । ଭାରତୀୟ ଜନତା ପାର୍ଟିର ଜଣାଶୁଣା ସମର୍ଥକ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବାପା ଅମରଦ୍ବୀପ ରାଣାଓ୍ବତ କଙ୍ଗନା ବିଜେପିରୁ ଟିକେଟ ପାଇଲେ ନିଶ୍ଚିତ ଲୋକସଭା ନିର୍ବାଚନ ଲଢିବେ ବୋଲି କହିସାରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ନାମ ମଧ୍ୟ ସାମିଲ ହୋଇଛି । ଗତ କିଛି ମାସ ଏହି ଚର୍ଚ୍ଚା ହୋଇଆସୁଥିଲା । 2024 ପୂର୍ବରୁ ମାଧୁରୀରେ ବିଜେପିରେ ସାମିଲ ହେବେ ଓ ପଦ୍ମ ଟିକେଟରେ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ମୁମ୍ବାଇରେ ଲାଗିଥିବା ଏକ ବ୍ୟାନର ଏହି ଚର୍ଚ୍ଚାକୁ ଆଉ ଟିକେ ଘନୀଭୂତ କରିଛି ।
ଆଜି ମୁମ୍ବାଇ ଉତ୍ତର-କେନ୍ଦ୍ରୀୟ ଆସନ ଏରିଆର ଏକ ସ୍ଥାନରେ ମାଧୁରୀଙ୍କ ବ୍ୟାନର ଲାଗିଥବା ଦେଖିବାକୁ ମିଳିଛି । ସାଇ ଉତ୍ସବ ଅବସରରେ ମାଧୁରୀଙ୍କ ଏହି ବ୍ୟାନର ଲାଗିଥିବା ବେଳେ ସେଥିରେ କୌଣସି ରାଜନୈତିକ ସଙ୍କେତ ମଧ୍ୟ ନାହିଁ । ଏବେ ଏହି ଚର୍ଚ୍ଚିତ ଆସନରେ ବିଜେପିର ଦିବଙ୍ଗତ ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ ମହାଜନ ସାଂସଦ ଅଛନ୍ତି । ତେବେ ଚଳିତ ଥର ମାଧୁିରୀ ଏଠାରୁ ବିଜେପି ଟିକେଟରେ ଲଢିବାକୁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ମାତ୍ର ଏନେଇ ମାଧୁରୀ କିଛି କହିନାହାନ୍ତି ।
ତେବେ ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାଧୁରୀଙ୍କ ବାସଭବନକୁ ଗସ୍ତ କରିଥିଲେ । ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ଏକ ବୁକଲେଟ ସେ ମାଧୁରୀଙ୍କୁ ଉପହାର ମଧ୍ୟ ଦେଇଥିଲେ । ଏହା ପରେ ଏହି ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ନିର୍ବାଚନ ପାଖେଇଲେ ମାଧୁରୀ ବିଜେପିରେ ବିଧିବଦ୍ଧ ସାମିଲ ହେବା ସହ ସକ୍ରିୟ ରାଜନୀତିକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ :- BJP ଟିକେଟ ଦେଲେ ନିର୍ବାଚନ ଲଢିବେ କଙ୍ଗନା, ସ୍ପଷ୍ଟ କଲେ ବାପା
କିଛି ଦିନ ତଳେ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ 2024 ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ତାଙ୍କ ବାପାଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଥିଲା । କଙ୍ଗନାଙ୍କ ବାପା ଏହି ଚର୍ଚ୍ଚାକୁ ଆଉ ଟିକେ ବଢାଇଥିଲେ । କଙ୍ଗନାଙ୍କ ବାପା ଅମରଦୀପ ରାଣାଓ୍ବାତ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ହିଁ ନିର୍ବାଚନ ଲଢିବେ । କିନ୍ତୁ ସେ କେଉଁ ଆସନରୁ ନିର୍ବାଚନ ଲଢିବେ, ତାହା କେବଳ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । ତେବେ ଏହି ଚର୍ଚ୍ଚା ମଧ୍ୟରେ କଙ୍ଗନାର ପିତାଙ୍କ ଏହି ବିବୃତ୍ତି ପ୍ରାୟ ନିଶ୍ଚିତ କରିଛି ଯେ କଙ୍ଗନା ରାଣାୱତ 2024ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ