ନୂଆଦିଲ୍ଲୀ: ଶେଷ ହୋଇସାରିଛି ସଂସଦ ମୌସୁମୀ ଅଧିବେଶନ । କିନ୍ତୁ ଅଧିବେଶନ ବେଳେ ସଂସଦରେ ହୋଇଥିବା ହଙ୍ଗାମାକୁ ନେଇ ଏବେବି ଜାରି ରହିଛି ଘମାସାନ । ରାଜ୍ୟସଭାରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ବିରୋଧୀ ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ ଦଳ ସାଂସଦ ମାନେ ଦାବି କରିଛନ୍ତି ।
ରାଜ୍ୟସଭାରେ ବିରୋଧୀଙ୍କ ସାଂସଦଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଅଧ୍ୟକ୍ଷ ଖପ୍ପା ଥିବାବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ତେବେ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୋଇପାରେ । କାରଣ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଆଇନଗତ ଦିଗ ପ୍ରତି ତର୍ଜମା ଚାଲିଛି । ସର୍ବସାଧାରଣ ସମ୍ପତ୍ତି ନଷ୍ଟ, ସଂସଦୀୟ ଆଇନ ଉଲ୍ଲଙ୍ଘନ, ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାରକୁ ନେଇ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି କାର୍ଯ୍ୟାନୁଷ୍ଠାନ ଆଗାମୀ ଶୀତ ଅଧିବେଶନରେ ଯାଇ ହୋଇପାରେ । କାରଣ କାର୍ଯ୍ୟାନୁଷ୍ଠାନ ପାଇଁ ସଂସଦକୁ ଅବଗତ କରିବାକୁ ପଡିବ। କାରଣ ବର୍ତ୍ତମାନ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଘଟଣାକୁ ନେଇ ଆଇନ ମନ୍ତ୍ରଣାଳୟର ପରାମର୍ଶ ଲୋଡିଛନ୍ତି ।
ଅନ୍ୟପଟେ ଘଟଣାକୁ ନେଇ ଅଧ୍ୟକ୍ଷଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସମସ୍ୟା ନାହିଁ । ତେବେ ରାଜ୍ୟସଭା ସଚିବାଳୟ ଘଟଣାକୁ ନେଇ ଏକ ପ୍ୟାନେଲ ଗଠନ କରିପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ