ପାଟନା: ହଜିପୁର ଗସ୍ତ ସମୟର କ୍ଷୋଭ ବଖାଣିଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ନିଜ ନିର୍ବାଚନ ମଣ୍ଡଳିକୁ ଗସ୍ତ ସମୟରେ ତାଙ୍କ ଉପରକୁ ଏସିଡ୍ ମାଡ ହୋଇଥିବା ନେଇ 'ଇଟିଭି ଭାରତ'କୁ ସାକ୍ଷାତ ସମୟରେ କହିଛନ୍ତି ପାରସ । ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଛି, କାରଣ ମୋ ଉପରକୁ ଫିଙ୍ଗା ଯାଇଥିବା ଏସିଡରେ ମୋ ସାର୍ଟ ଜଳି ଯାଇଥିବା ସେ କହିଛନ୍ତି । ତେଣୁ Z + ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।
ତେବେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପଶୁପତି ପାରସ ମନ୍ତ୍ରୀ ହେବା ପରେ ପ୍ରଥମ କରି ଅଗଷ୍ଟ ୨୩ରେ ନିଜର ସଂସଦୀୟ କ୍ଷେତ୍ର ଗସ୍ତରେ ଯାଇଥିଲେ । ଏହି ସମୟରେ ସମର୍ଥକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ଆୟୋଜନ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଉଭୟ ପଶୁପତିଙ୍କ ସମର୍ଥକ ଓ ଦିଂବଗତ ବଡ ଭାଇ ତଥା ଲୋକ ଜନଶକ୍ତି ପାର୍ଟି(LJP) ପ୍ରତିଷ୍ଠାତା ରାମ ବିଳାଶ ପାଶୱାନଙ୍କ ସମର୍ଥକ । କାରଣ ହଜିପୁର ହେଉଛି ଦିବଂଗତ ରାମବିଳାଶ ପାଶୱାନଙ୍କ ସଂସଦୀୟ କ୍ଷେତ୍ର । ତାଙ୍କ ଅବର୍ତ୍ତମାନରେ ପଶୁପତିଙ୍କୁ ସ୍ବାଗତ ପାଇଁ ହଜିପୁରରେ ଦଳୀୟ କର୍ମୀଙ୍କ ଭିଡ ହୋଇଥିଲା । ଯାହାକୁ ବିରୋଧୀ ଗ୍ରହଣ କରିପାରୁ ନାହାନ୍ତି ବୋଲି ପାରସ ଅଭିଯୋଗ କରିଛନ୍ତି । ବିରୋଧୀ ଷଡଯନ୍ତ୍ର କରି ଏସିଡ୍ ମାଡ କରିଥିବା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପାରସ ମଧ୍ୟ ଏହି ଘଟଣାକୁ ପୋଲିସ ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛନ୍ତି ଏବଂ ଘଟଣାର ତଦନ୍ତ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅତିରିକ୍ତ ସୁରକ୍ଷା ପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଏ ବାବଦରେ ଜଣାଇବା ସହ ସଂସଦୀୟ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 'ଏନେଇ ମୁଁ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖି ଘଟଣା ବିଷୟରେ ସୂଚନା ଦେଇଛି । ସିଏମଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟିବି । ନିକଟରେ କେବଳ ମୋତେ ନୁହେଁ, ଅନ୍ୟ ନେତାମାନଙ୍କୁ ମଧ୍ୟ ଫୋନରେ ଧମକ ଦିଆଯାଉଥିବା କେନ୍ଦ୍ରମନ୍ତ୍ରୀ ତଥା LJP ନେତା କହିଛନ୍ତି । ତେବେ ଏସବୁ ଆକ୍ରମଣକୁ ଦୃଷ୍ଟିରେ ରଖି 'Y' ସୁରକ୍ଷା ପର୍ଯ୍ୟାପ୍ତ ନୁହେଁ, ତେଣୁ Z + ସୁରକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ