ଲକ୍ଷ୍ନୌ: ଦିନକୁ ଦିନ ମହିଳାଙ୍କ ପ୍ରତି ବଢିଚାଲିଛି ଅପରାଧ । କେଉଁଠି ମହିଳା ଅସଦାଚରଣର ଶିକାର ହେଉଛନ୍ତିତ ଆଉ କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି ମହିଳା । ଫଳରେ ମହିଳାଙ୍କ ସୁରକ୍ଷାକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ । ଦେଶରେ ସବୁଠାରୁ ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅଧିକ ଅପରାଧ ହୋଉଛି । ଏଭଳି ତଥ୍ୟ National Commission for Women ରିପୋର୍ଟରେ ପ୍ରକାଶ ପାଇଛି ।
ୟୁପିରେ ମହିଳାଙ୍କ ସୁରକ୍ଷା ଅବସ୍ଥା ଏପରି ଯେ ଯଦି ମହିଳାମାନେ ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଗଲେ ଅଭିଯୋଗ ଶୁଣିବା ପରିବର୍ତ୍ତେ ପୋଲିସ ତାଙ୍କୁ ଭୟଭୀତ କରାଇ ଫେରାଇ ଦେଉଛି । ଏଥି ସହ ଅପରାଧକୁ ମଧ୍ୟ ପଞ୍ଜିକୃତ କରିନଥାଏ । ଜାତୀୟ ମହିଳା ଆୟୋଗର 2021 ରିପୋର୍ଟରେ ଏହା ପ୍ରକାଶ ପାଇଛି। ପୋଲିସ ମହିଳାଙ୍କ ଅଭିଯୋଗକୁ ଶୁଣୁନଥିବାରୁ ମହିଳା ଆୟୋଗରେ ଅଭିଯୋଗ ସଂଖ୍ୟା ବୃଦ୍ଧି ହେଉଛି । ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଅଭିଯୋଗ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।
NCW ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ 30,864 ଟି ମହିଳା ବିରୋଧରେ ଅପରାଧ ଅଭିଯୋଗ ହୋଇଥିବା ବେଳେ 15 ହଜାରରୁ ଅଧିକ କେବଳ ୟୁପିରୁ ଆସିଛନ୍ତି । ଏଥି ସହିତ, ୨୦୨୦ରେ ସମଗ୍ର ଦେଶରୁ ଆସିଥିବା 23722 ଟି ଅଭିଯୋଗ ମଧ୍ୟରୁ 11872 ଟି ୟୁପିରୁ ଆସିଛି।
ରିପୋର୍ଟ ଅନୁଯାୟୀ, ମହିଳାଙ୍କ ସହ ଜଡିତ ପ୍ରତ୍ୟେକ ଅପରାଧ ଅଭିଯୋଗରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । 2021 ମସିହାରେ, ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ଭଳି ଅଭିଯୋଗ ୟୁପିର ମହିଳା ଆୟୋଗରେସର୍ବାଧିକ ଅଭିଯୋଗ ହୋଇଛି । ଏହାର ସଂଖ୍ୟା ଏବେ1165 ଥିବାବେଳେ 2020 ରେ ଏହା 828 ଥିଲା । କେବଳ ଏତିକି ନୁହେଁ, ଅଫିସରେ ଯୌନ ଶୋଷଣ, ନିର୍ଯାତନା ଘଟଣାରେ ଉତ୍ତରପ୍ରଦେଶ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ଦେଇଛି । ମହିଳା ଆୟୋଗରେ ଏଭଳି ଅପରାଧର 489 ଟି ଅଭିଯୋଗ ଆସିଛି। 2020 ରେ ଏହି ସଂଖ୍ୟା 333 ଥିଲା ।