ହାଇଦ୍ରାବାଦ: ତେଲେଙ୍ଗାନାରେ ବଡ ସଡକ ଦୁର୍ଘଟଣା । ସିଦ୍ଦିପେଟରୁ ହାଇଦ୍ରାବାଦ ଫେରୁଥିବା ସମୟରେ ରାଜ୍ୟର ଅର୍ଥମନ୍ତ୍ରୀ ହରୀଶ ରାୱଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଅର୍ଥମନ୍ତ୍ରୀ । ତାଙ୍କୁ କୌଣସି କ୍ଷତି ପହଞ୍ଚିନଥିବା କୁହାଯାଉଛି ।
ହରିଶ ରାଓଙ୍କ କ୍ଷେତ୍ର ସିଦ୍ଧିପେଟରେ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା । ସେ ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ, ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟକାଳ ଏବଂ ବିଧାୟକଙ୍କ କ୍ୟାମ୍ପ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ଚାଲିଗଲେ। ସୂଚନାନୁସାରେ ସିଦ୍ଧିପେଟର ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟ ଶେଷ କରିବା ପରେ ଅର୍ଥମନ୍ତ୍ରୀ ହାଇଦ୍ରାବାଦକୁ ଫେରୁଥିଲେ।
ଅଚାନକ କୋଣ୍ଡାପାକା ମଣ୍ଡଳର ଡୁଡେଡା ଗାଁ ନିକଟରେ ତାଙ୍କ କାର ସମ୍ମୁଖରେ ଏକ ଜଙ୍ଗଲୀ ଘୁଷୁରୀ ଆସିଯାଇଥିଲା। ଘୁଷୁରୀ କନଭୟର ପ୍ରଥମ କାର ସହିତ ମୁହାଁମୁହିଁ ଧକ୍କା ହେବା ପରେ ଡ୍ରାଇଭର ବ୍ରେକ୍ ମାରିଥିଲେ । ତେବେ ପଛରୁ ଆସୁଥିବା ମନ୍ତ୍ରୀଙ୍କ କାରର ଆଗ ପ୍ରଥମ କାରର ପଛ ଭାଗ ସହିତ ଜବରଦସ୍ତ ଧକ୍କା ହୋଇଥିଲା।
ଅର୍ଥମନ୍ତ୍ରୀ ହରିଶ ରାଓ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନା ପଠାଇବା ପରେ ଅର୍ଥମନ୍ତ୍ରୀ ଅନ୍ୟ ଏକ କାରରେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀ ସୂଚନା ପାଇବା ମାତ୍ରେ ସେ ହରିଶ ରାଓଙ୍କୁ ଡାକି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ।