ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ଆଜି ଆପ୍ ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ରାଜ୍ୟର ଜଣେ ଜଣାଶୁଣା ଟିଭି ସାମ୍ବାଦିକ ଇସୁଦାନ ଗାଧ୍ବୀଙ୍କୁ ପ୍ରାର୍ଥୀ କରିଛି ଆପ୍ । ଏହାକୁ ନେଇ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି । ତେବେ କିଏ ଏହି ଇସୁଦାନ ଗାଧ୍ବୀ ? ଜାଣନ୍ତୁ...
ଗୁଜରାଟର ଦେବଭୂମୀ ଦ୍ବାରକା ଜିଲ୍ଲାରେ ପିପଲିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଇସୁଦାନ ଗାଧ୍ବୀ । ତାଙ୍କ ପରିବାରକୁ ନେଇ କେବେ ଅଧିକ ଆଲୋଚନା ହୋଇନାହିଁ । ତେବେ ତାଙ୍କ ବାପା ଜଣେ ଚାଷୀ ଥିଲେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଅହମ୍ମଦାବାଦସ୍ଥିତ ଗୁଜରାଟ ବିଦ୍ୟାପୀଠରୁ ଗଣ ଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ଲାଭ କରିଥିଲେ ଇସୁଦାନ ।
ରାଜନୀତିରେ ପାଦ ଦେବାପୂର୍ବରୁ ଇସୁଦାନ ଜଣେ ସାମ୍ବାଦିକ ଥିଲେ । ୨୦୦୭ ମସିହାରେ ଦୂରଦର୍ଶନରେ ପ୍ରଥମେ ସାମ୍ବାଦିକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଇସୁଦାନ । ସେଠାରେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ସେ ଏକ ଘରୋଇ ଚାନେଲରେ ଯୋଗଦେଇ ଗୁଜରାଟ ସମ୍ବାଦଦାତା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପୋରବନ୍ଦରରେ ରହିଥିବା ବେଳେ ସେ ଚାଷୀ ସମସ୍ୟାଙ୍କୁ ସରକାରଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ଚାଷୀ ସମସ୍ୟାକୁ ନେଇ ଅନେକ ଖବର ସଂଗ୍ରହ କରି ଚର୍ଚ୍ଚା ପରିସରକୁ ଆସିଥିଲେ ।
୨୦୧୫ରେ ତାଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା । ଏହି ବର୍ଷ ଡାଙ୍ଗ ଓ କାପରଡ଼ା ଅଞ୍ଚଳରେ ବେଆଇନ ଭାବରେ ଗଛକଟା ଦୁର୍ନୀତିକୁ ସେ ଉଜାଗର କରି ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରାଇ ଥିଲେ । ଯାହାଫଳରେ ଜଣେ ନିର୍ଭିକ ସାମ୍ବାଦିକ ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା । ସେହି ବର୍ଷ ହିଁ ଗୁଜୁରାଟର ଏକ ଘରୋଇ ଚ୍ୟାନେଲ୍ରେ ଯୋଗ ଦେଇଥିଲେ ଇସୁଦାନ ଗାଧ୍ବୀ ।
୧୫ ବର୍ଷର ସଫଳ ସାମ୍ବାଦିକତା ପରେ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ ଇସୁଦାନ ଗାଧ୍ବୀ । ଏଥିପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ । ୨୦୨୧ରେ ଏକ ସଫଳ ସାମ୍ବାଦିକ କ୍ୟାରିଅର ଛାଡ଼ି ସେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ରେ ଯୋଗ ଦେଇଥିଲେ ।
ସେ ଆପ୍ରେ ଯୋଗ ଦେବାପରେ ଗୁଜରାଟ ଆପ ନିର୍ବାଚନ ପ୍ରଭାରୀ ଗୁଲାବ ସିଂହ କହିଥିଲେ ଯେ, ଇସୁଦାନ ଆପ୍ ସହ ଯୋଡ଼ି ହେବାପରେ ଅନେକ ପ୍ରଶଂସକ ଆପ୍ରେ ଯୋଗ ଦେଇଛନ୍ତି । ସେ ଯୋଗ ଦେବାପରେ ଗୁଜରାଟ ଆପ୍ରେ ଅନେକ ପରିବର୍ତ୍ତନ କରିଥିଲେ । ତାଙ୍କୁ ରାଷ୍ଟ୍ରୀୟ ସଂଯୁକ୍ତ ମହାସଚିବ ନିଯୁକ୍ତ କରାଯାଇଥିଲା । ସେହି ସମୟରେ ଗୁଜରାଟରେ ଜନ ସମ୍ବେଦନ ଯାତ୍ରା ଆରମ୍ଭ କରିଥିଲେ । ଜୁନାଗଡ଼ରେ ଯାତ୍ରା ବେଳେ ତାଙ୍କ କନଭୟ ଉପରକୁ ପଥର ମାଡ଼ ହୋଇଥିଲା । ଏହି ଆକ୍ରମଣ ବିଜେପି କରାଇଥିବା ନେଇ ଅଭିଯୋଗ କରିଥିଲେ ଇସୁଦାନ ଗାଧ୍ବୀ ।
ସାମ୍ବାଦିକତା କ୍ଷେତ୍ରରୁ ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିଥିବା କଥା କହିଥିଲେ ଇସୁଦାନ ଗାଧ୍ବୀ । ଆଜି ସେ ଗୁଜରାଟ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ଚେହେରା ପାଲଟିଛନ୍ତି ।