ଦିସପୁର: ଛୋଟ ହେଉ କି ବଡ ମାମଲା, ବର୍ତ୍ତମାନ ଚାରିଆଡେ ଲମ୍ବିଛି ଅପରାଧର ଚେର । ଖବରକାଗଜ, ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ନିତି ଦେଖିବାକୁ ମିଳୁଛି ଅପରାଧିକ ଘଟଣା । ତେବେ କୌଣସି ଅପରାଧ ହେଲେ ଆମେ ପୋଲିସ ପାଖକୁ ଯାଉ , ତଦନ୍ତ ଆରମ୍ଭ କରେ ପୋଲିସ । ନ୍ୟାୟ ପାଇଁ ଲଢେଇ କରୁ । ...ହେଲେ ଏଭଳି ଏକ ଗାଁ ରହିଛି ଯେଉଁଠି ନା କେବେ ପୋଲିସର ପାଦ ପଡିଛି ନା ଗ୍ରାମବାସୀ କେବେ ଥାନା ଦ୍ବାର ମାଡିଛନ୍ତି । ଆଜ୍ଞା ହଁ ଆପଣ ଠିକ ଶୁଣିଛନ୍ତି... ମଧ୍ୟ ଆସାମର ନାଗାଓଁ ଜିଲ୍ଲା ଢିଙ୍ଗ ରାଜସ୍ବ ସର୍କଲ ଅନ୍ତର୍ଗତ ସହରିଆ ଗାଁକୁ କେବେ କି ପ୍ରବେଶ କରିନି ପୋଲିସ । 1998 ରେ ବୋଡୋ ସମ୍ପ୍ରଦାୟ ଦ୍ବାରା ସ୍ଥାପନ ହୋଇଥିବା ଏହି ଗାଁରେ ହତ୍ୟା, ଦୁଷ୍କର୍ମ , ହିଂସା , ଡକାୟତି ଭଳି କୌଣସି ବି ଅପରାଧ ହୋଇନାହିଁ ।
ଅଢେଇ ବର୍ଷ ଧରି ମୁଁ ଏଠାରେ ନିଯୁକ୍ତି ପାଇଛି । କିନ୍ତୁ ସହରିଆ ଗାଁର ଲୋକମାନେ କୌଣସି ମଧ୍ୟ କାରଣରୁ ପୋଲିସ ଷ୍ଟେସନକୁ ଆସିଥିବା ମୁଁ କେବେ ଦେଖିନି । ସହରିଆ ଗାଁର ଲୋକଙ୍କ ପାଇଁ ଆମେ କେବେ ବି ମାମଲା ଦାଏର କରିନାହୁଁ । ଏ ନେଇ ଏଠାକାର ପୋଲିସ କହିଛନ୍ତି ।
ନାଗାଓଁ , ସହରରୁ ପ୍ରାୟ 18 କିଲୋମିଟର ଏବଂ ଢିଙ୍ଗ ଠାରୁ 1.5 କିଲୋମିଟର ଦୂରରେ ରହିଛି ଏହି ଗାଁ । ଏଠାକାର ଲୋକ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଗାଁର ଲୋକ ଏବେ ବି ଜାଣିନାହାନ୍ତି କି କାହା ବିରୋଧରେ କେଉଁ ଏତଲା କିଭଳି ଦାଏର କରାଯାଏ । ବାସ୍ତବରେ ସାମ୍ପ୍ରଦାୟିକ ସଦଭାବ ଓ ଏକତାର ପ୍ରତୀକ ଏହି ଗାଁ । ମନପ୍ରାଣରୁ ଏକଜୁଟ ଏଠାକାର ଲୋକ ।
ଯଦି ଗାଁରେ କୌଣସି ଛୋଟମୋଟ ସମସ୍ୟା ହେଉଛି, ତେବେ ଗାଁର ବଡ ଲୋକ ପରସ୍ପର ସହ କଥା ହୋଇ ସମାଧାନ କରିଥାନ୍ତି । ଆମେ କଦାପି କୌଣସି ଥାନା କିମ୍ବା କୌଣସି କୋର୍ଟକଚେରୀ ଯାଇନାହୁଁ । ଏପରିକି ଆମେ ଜାଣିନୁ କି କଣ ରହିଛି ପୋଲିସ ଭୂମିକା ବୋଲି କହିଛନ୍ତି ଜଣେ ଗ୍ରାମବାସୀ ।
ସହରିଆ ଗାଁରେ 170 ପରିବାର ରୁହନ୍ତି । ଆଉ ଗାଁର ଜନସଂଖ୍ୟା ପ୍ରାୟ 600 ରହିଛି । ବିଭିନ୍ନ କାମ ପାଇଁ ଗାଁରେ ପରିଚାଳନା ସମିତି ରହିଛି । ଗାଁର ସମସ୍ତ ପରିବାର ବାଗାରୁମ୍ବା, ବିହୁ, ଉରୁକା, ବାଥୁ ପୂଜା ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀତ ବିଭିନ୍ନ ସାଂସ୍କୃତିକ ଉତ୍ସବ ପାଳନ କରନ୍ତି । ଗ୍ରାମବାସୀ ଚାଷ କ୍ଷେତ୍ରରେ ମଧ୍ୟ ପରସ୍ପରକୁ ସାହାଯ୍ୟ କରିଥାନ୍ତି ।
ଗାଁର ବରିଷ୍ଠ ଲୋକଙ୍କୁ ନେଇ ଗ୍ରାମ ପରିଚାଳନା ସମିତି ଗଠନ କରାଯାଇଛି । ଆଉ ପରିଚାଳନା ସମିତି ତାଙ୍କ ପରାମର୍ଶ ଅନୁସାରେ ଚାଲୁଛି । ଯଦି କୌଣସି ସମସ୍ୟା ରହିଛି ତେବେ ଗ୍ରାମ ପରିଚାଳନା ସମିତି ପରସ୍ପର ସହ ଆଲୋଚନା କରି ସମସ୍ୟାର ସମାଧାନ କରି ପଦକ୍ଷେପ ନେଇଥାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ।
ବର୍ତ୍ତମାନ ସମୟରେ ବିଭିନ୍ନ ଜଘନ୍ୟ , ଧର୍ତ୍ତବ୍ୟ ଅପରାଧିକ ମାମଲା ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହି ଗାଁରେ ଅପରାଧାର ଚିହ୍ନବର୍ଣ୍ଣ ଦେଖିବାକୁ ଏ ଯାଏଁ ମିଳିନି । ଏହି ଗାଁର ଶାନ୍ତି ବଜାୟ ରହିବା ସହ ଏହା ଅନ୍ୟ ପାଇଁ ପ୍ରେରଣା ପାଲଟିବ ବୋଲି ଆମର ଆଶା ..
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ