ରାଞ୍ଚି: ଜାମସେଦପୁରରୁ ପ୍ରାୟ 20 କିଲୋମିଟର ଦୂର ସରଜାମଦାର ଜସ୍କାଣ୍ଡି ଗାଁରେ ଭୟଙ୍କର ଜଳ ସଙ୍କଟ ଥିଲା । ଜଳସ୍ତର ଏତେ ତଳକୁ ଖସିଯାଇଥିଲା କି ଟ୍ୟୁବ୍ ୱେଲରୁ ବୁନ୍ଦାଏ ପାଣି ବି ବାହାରୁନଥିଲା । ଖରାଦିନରେ କୁଅ ଶୁଖିଗଲେ ପାଣି ପାଇଁ ଲୋକ ପ୍ରତିଦିନରେ ଚାଲୁଥିଲେ କୋଶ କୋଶ ଦୂର । ଏଭଳି ଉତ୍କଟ ସମସ୍ୟା ପରେ ଲୋକ ବୁଝିଲେ ପାଣି ବୁନ୍ଦାର ମୂଲ୍ୟ, ଆଉ ଏହାକୁ ସଂରକ୍ଷିତ ପାଇଁ ଆରମ୍ଭ କରିଲେ ପ୍ରୟାସ । ଏମାନଙ୍କ ଏହି ପ୍ରଚେଷ୍ଠାରେ ସହଯୋଗର ହାତ ବଢାଇଲା ଟାଟା ଷ୍ଟିଲ ରୁରାଲ ଡେଭଲପମେଣ୍ଟ ସୋସାଇଟି ।
ଟିସିଏସ ବର୍ଷା ଜଳ ସଂଗ୍ରହ ପାଇଁ ଗ୍ରାମସଭାର ଆୟୋଜନ କରିଛି । ଆଉ ଜଳ ସଞ୍ଚୟ ବିଷୟରେ କହିଛନ୍ତି । ଯେପରି ଭବିଷ୍ୟତରେ ପାଣି ସମସ୍ୟା ହେବ ନାହିଁ ।
ଗ୍ରାମବାସୀମାନେ ଗ୍ରାମସଭା କରି ପାଣିର ପ୍ରତି ବୁନ୍ଦା ବଞ୍ଚାଇବାକୁ ନେଇଛନ୍ତି ଦୃଢ ନିଷ୍ପତ୍ତି । ଟାଟା ସହଯୋଗରେ ଗ୍ରାମବାସୀ ବର୍ଷାଜଳକୁ ନଷ୍ଟ ନ କରିବାକୁ ଯୋଜନା କରିଛନ୍ତି ।
ଏଥିପାଇଁ କୁଡିଆ ଭଳି ଖପରା ଘର ଛାତର ଚାରିପାଖରେ ଡକ୍ଟ ଲଗାଯାଇଛି । ବର୍ଷା ପାଣି ଖପରା ଦେଇ ଡକ୍ଟରେ ଜମା ହୋଇଯାଏ । ପରେ ପାଇପ ଜରିଆରେ ପାଣିକୁ ପୁରୁଣା ବୋରୱେଲ ଗାତ କିମ୍ବା ଶୁଖିଲା କୁଅକୁ ନଇାଯାଇଥାଏ ।
ଏଭଳି ଭାବେ ବର୍ଷା ପାଣି ବର୍ବାଦ ହେବା ବଦଳରେ ସିଧା ମାଟି ତଳକୁ ଚାଲିଯାଇଥାଏ । ଯାହା ଦ୍ବାରା ଗ୍ରାଉଣ୍ଡ ୱାଟର ରିଚାର୍ଜ ହେଉଥାଏ ।
ଜଳ ସଂରକ୍ଷଣର ଏଭଳି ବିଧି ପାଇଁ ପ୍ରତି ଘରେ ପ୍ରାୟ ଦେଢ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ଟାଟା ଲୋକଙ୍କୁ ଫଣ୍ଡ ଯୋଗାଇଛି । ଜସ୍କାଣ୍ଡିରେ ପ୍ରାୟ 20 ଘର ରହିଛି । ଦିନମଜୁରି କରି ପେଟ ପୋଷୁଥିବା ଏଠାକାର ଲୋକଙ୍କ ପାଇଁ ଏହା ଆରମ୍ଭରେ ଏତେଟା ଉତ୍ସାହଜନକ ନଥିଲା । ହେଲେ ଏବେ ଏହି ଗାଁରେ କୁଅ ଓ ଟ୍ୟୁୱେଲରେ ବର୍ଷ ସାରା ପାଣି ରହୁଛି । ଏପରିକି ଖରାଦିନରେ ପଡୋଶୀ ଗାଁ ଲୋକ ମଧ୍ୟ ଏଠାକୁ ଆସି ପାଣି ନେଉଛନ୍ତି ।
ବର୍ତ୍ତମାନ ଗାଁରେ ଭୁଗର୍ଭ ଜଳ ସ୍ତର 30 ଫୁଟ ରହିଛି । ହେଲେ ଖରାଦିନରେ ଏହା 40 ଫୁଟ ତଳକୁ ଚାଲିଯାଉଛି ।
ବୁନ୍ଦା ବନ୍ଦା ଜଳ ସଂରକ୍ଷଣ ପାଇଁ ନିଆଯାଇଥିବା ଏହି ପଦକ୍ଷେପର ଫଳ ସ୍ବରୂପ ଏବେ ଜସ୍କାଣ୍ଡିର ମହିଳା ପାଣି ପାଇଁ ଆଉ ଏଣେତେଣ ବୁଲିବାକୁ ପଡୁନି । ବର୍ଷା ଜଳ ଅମଳ ଦିଗରେ ଏହି ଗାଁ ପାଲଟିଛି ବଡ ଉଦାହରଣ । ଏହି ଟେକନିକଙ୍କୁ ଆପଣାଇ ଅନେକ ଗାଁ କେବଳ ପାଣି ସଙ୍କଟରୁ ମୁକ୍ତି ପାଇନାହାନ୍ତି ବରଂ ପ୍ରତି ବର୍ଷ ଲକ୍ଷାଧିକ ଲିଟର ବର୍ଷା ପାଣିକୁ ନଷ୍ଟ ହେବାରୁ ବଞ୍ଚାଇଛନ୍ତି ।
ଆମେ ପାଣି ତିଆରି କରିପାରିବା ନାହିଁ ସତ , ହେଲେ ଏହାକୁ ନଷ୍ଟ ହେବାରୁ ବଞ୍ଚାଇପାରିବା । ଯଦି ପ୍ରତ୍ୟେକ ବ୍ୟକ୍ତି ଏଭଳି ବିଚାର ରଖିବ ତେବେ ବଦଳିବ ପ୍ରତି ଗାଁର ଚିତ୍ର । ଅନ୍ୟମାନେ ଏହି ଗାଁର ଟେକନିକକୁ ଆପଣାଇ ଜଳ ସଙ୍କଟରୁ ପାଇପାରିବେ ମୁକ୍ତି ..
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ