ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଚାରିଟିରେ ଏବଂ କଂଗ୍ରେସ ଦୁଇଟି ଆସନରେ ବିଜୟୀ; ବିଜେପିର ଖାତା ଖୋଲିଲାନି ବିଶାଳ ସୂର୍ଯ୍ୟକାନ୍ତ ଭାରତର ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟରେ କୌଣସି ନିର୍ବାଚନକୁ କ୍ଷୁଦ୍ର ବୋଲି କୁହାଯାଇପାରିବନି । ଏମିତିକି ବିଭିନ୍ନ ପୌର ସଂସ୍ଥା ପାଇଁ ନିର୍ବାଚନ ବି ଗୁରୁତ୍ବପୂର୍ଣ୍ଣ ଏବଂ ଏଥିରେ ମଧ୍ୟ ଖୁବ୍ ଚତୁରତାର ସହିତ ରାଜନୀତିର ଗୋଟିଚାଳନା କରାଯାଇଥାଏ । ସୀମିତ ପରିସରରେ ଅନୁଷ୍ଠିତ କ୍ଷୁଦ୍ର ନିର୍ବାଚନଗୁଡ଼ିକ ହିଁ ପ୍ରଭାବଶାଳୀ ରାଜନୈତିକ ବାର୍ତ୍ତା ବହନ କରେ ବୋଲି ବିବେଚନା କରାଯାଏ । ନିକଟରେ ତେଲଙ୍ଗାନା, ପଞ୍ଜାବ ଏବଂ ଗୁଜରାଟରେ ଅନୁଷ୍ଠିତ ପୌର ସଂସ୍ଥା ନିର୍ବାଚନ ଏବଂ ଏହାର ଫଳାଫଳକୁ ଯେଉଁଭଳି ଭାବରେ ବିଶ୍ଳେଷଣ କରାଯାଇ ଦେଶର ରାଜନୈତିକ ପାଣିପାଗ ସଂପର୍କରେ ଆକଳନ କରାଯାଇଥିଲା ତାହା ଦେଶବାସୀ ଦେଖିଛନ୍ତି ।
କୃଷକ ଆନ୍ଦୋଳନ ଚାଲିଥିବାବେଳେ ପଞ୍ଜାବରେ ଅନୁଷ୍ଠିତ ପୌର ନିର୍ବାଚନ ଫଳାଫଳ ଏକପାଖିଆ ଭାବେ କଂଗ୍ରେସ ସପକ୍ଷରେ ଯାଇଥିବାବେଳେ ଗୁଜରାଟରେ ବିଜେପି ଏହାର ଅପରାଜେୟତାର ଧାରା ବଜାୟ ରଖିଥିଲା । ପରିଣାମ ସ୍ବରୂପ, ଉଭୟ ଶାସକ ଓ ବିରୋଧୀ ଦଳ ଏହି ସବୁ ନିର୍ବାଚନ ଫଳାଫଳର ବିଶ୍ଳେଷଣ କରି ଆତ୍ମସମୀକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଆଜି, ଆଉ ଏକ କ୍ଷୁଦ୍ର ଅଥଚ ରାଜନୈତିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ, ଦିଲ୍ଲୀ ପୌର ନିଗମ ଉପ ନିର୍ବାଚନର ଫଳାଫଳ ମଧ୍ୟ ରାଜନୈତିକ ସମୀକ୍ଷକମାନଙ୍କୁ ଉତ୍ସାହିତ କରିଛି । ପାଞ୍ଚଟିରୁ ଚାରିଟି ଆସନରେ ବିଜୟ ଲାଭ କରିଥିବା ଆମ୍ ଆଦମୀ ପାର୍ଟି ନିଃସନ୍ଦେହରେ ପୁଣି ଦିଲ୍ଲୀରେ ନିଜର ପତିଆରା ପ୍ରମାଣିତ କରିଛି । ଗୋଟିଏ ଆସନରେ ଜିତି କଂଗ୍ରେସ ସମସ୍ତଙ୍କୁ ଚମତ୍କୃତ କରିଦେଇଛି । କଂଗ୍ରେସ ଏହି ଆସନକୁ ଆମ୍ ଆଦମୀ ପାର୍ଟି ହାତରୁ ଛଡ଼ାଇ ନେଇଛି ।
କୌତୁହଳର କଥା ଯେ, ପାଞ୍ଚଟି ଆସନ ପାଇଁ ଅନୁଷ୍ଠିତ ଏହି ଉପ ନିର୍ବାଚନରେ ବିଜେପି ହାତକୁ ଗୋଟିଏ ହେଲେ ଆସନ ଯାଇନାହିଁ । ଖାଲି ପଡ଼ିଥିବା ଶାଲିମାର ବାଗ ଆସନକୁ ଆମ ଆଦମୀ ପାର୍ଟି ଅକ୍ତିଆର କରିଥିବା ବେଳେ କଂଗ୍ରେସ ଆମ୍ ଆଦମୀ ପାର୍ଟି କବ୍ଜାରୁ ଗୋଟିଏ ଆସନ ଛଡ଼ାଇ ନେବାରେ ସଫଳ ହୋଇଛି । ଦିଲ୍ଲୀ ପୌର ନିଗମର ଯେଉଁ ସବୁ ଆସନ ନିମନ୍ତେ ଉପ ନିର୍ବାଚନ କରାଯାଇଥିଲା, ସେଥିରୁ ତ୍ରିଲୋକପୁରୀ, କଲ୍ୟାଣପୁରୀ, ଚୌହାନ ବାଙ୍ଗର ଏବଂ ରୋହିଣୀ ୱାର୍ଡରେ ଆମ୍ ଆଦମୀ ପାର୍ଟିର କାଉନ୍ସିଲର ଥିଲେ ଏବଂ ଶାଲିମାର ବାଗରୁ ବିଜେପି କାଉନ୍ସିଲର ପ୍ରତିନିଧିତ୍ବ କରୁଥିଲେ । କିନ୍ତୁ ଘୋଷିତ ନିର୍ବାଚନ ଫଳାଫଳରୁ ଜଣାପଡ଼ିଲା ଯେ ଆମ୍ ଆଦମୀ ପାର୍ଟି ଶାଲିମାର ବାଗ ଆସନ ସହିତ ତ୍ରିଲୋକପୁରୀ, କଲ୍ୟାଣପୁରୀ ଏବଂ ରୋହିଣୀରେ ମଧ୍ୟ ବିଜୟ ଲାଭ କରିଥିଲା । କିନ୍ତୁ କଂଗ୍ରେସ ଚୌହାନ ବାଙ୍ଗର ଆସନରୁ ବିଜୟ ହାସଲ କରିଥିଲା ।
ଶାଲିମାର ଆସନରୁ ନିର୍ବାଚିତ ପୂର୍ବତନ କାଉନସିଲରଙ୍କ ମୃତ୍ୟୁ ପରେ ବିଜେପି ଏହି ଆସନକୁ ହରାଇଥିଲା ଏବଂ ଏଥର ଉପ ନିର୍ବାଚନରେ ଖାତା ଖୋଲି ପାରିନଥିଲା । ଦିଲ୍ଲୀ ପୌର ନିଗମ ଉପ ନିର୍ବାଚନର ଫଳାଫଳ ଘୋଷଣା ପରେ ଆମ୍ ଆଦମୀ ପାର୍ଟି ପୁଣି ଅନ୍ୟାନ୍ୟ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବା ଦିଗରେ ରଣକୌଶଳ ଅବଲମ୍ବନ କରିବ । ଯଦିଓ ଅତୀତରେ ଆମ୍ ଆଦମୀ ପାର୍ଟି ଏ ଦିଗରେ ଉଦ୍ୟମ କରିସାରିଛି, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କ ଭଳି କେତେକ ପ୍ରମୁଖ ନେତା ହିଁ ଦେଶବାସୀଙ୍କ ନିକଟରେ ସୁପରିଚିତ । ଦେଶବାସୀଙ୍କ ଦ୍ବାରା ଗୃହୀତ ଏହି କେତେକ ନେତାଙ୍କ ବ୍ୟତୀତ ଦଳ ପାଖରେ ଅନ୍ୟ କୌଣସି ଚିହ୍ନାମୁହଁ ନାହିଁ । ଯେତେବେଳେ କୁମାର ବିଶ୍ବାସ, ଯୋଗେନ୍ଦ୍ର ଯାଦବ, ପ୍ରଶାନ୍ତ ଭୂଷଣଙ୍କ ଭଳି ସୁପରିଚିତ ଚେହେରା ଆମ୍ ଆଦମୀ ପାର୍ଟି ପାଖରେ ଥିଲେ, ସେତେବେଳେ ବି ସେମାନେ ଅନ୍ୟ ରାଜ୍ୟର ନିର୍ବାଚନରେ ସେମିତି କିଛି ଚମତ୍କାରିତା ପ୍ରଦର୍ଶନ କରିପାରି ନଥିଲେ । ଏବେ ଅନ୍ୟ ରାଜ୍ୟରେ ଦଳର ରଣନୀତି କିଭଳି କାର୍ଯ୍ୟ କରୁଛି ତାହା ଭବିଷ୍ୟତରେ ହିଁ ଜଣାପଡ଼ିବ ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମ୍ ଆଦମୀ ପାର୍ଟି ପାଇଁ ନିକଟରେ ଅନୁଷ୍ଠିତ ଉପ ନିର୍ବାଚନ ଫଳାଫଳ ଏକ ଉତ୍ସାହଦାୟକ ଟନିକ୍ ଭଳି କାମ କରିବ । କାରଣ, ଏହି ସବୁ ନିର୍ବାଚନ ପରେ 2022ରେ ହେବାକୁ ଥିବା ଦିଲ୍ଲୀ ପୌର ନିଗମ ନିର୍ବାଚନ ଉପରେ ଦଳ ସିଧାସଳଖ ନଜର ରଖିଛି । ସଂପ୍ରତି ଦିଲ୍ଲୀର ସମସ୍ତ ତିନିଟି ପୌର ନିଗମରେ ବିଜେପିର ଆଧିପତ୍ୟ ରହିଛି । ତେଣୁ ଏହି ଉପ ନିର୍ବାଚନକୁ ଦିଲ୍ଲୀ ପୌର ନିଗମ ସମୂହରେ କ୍ଷମତା ହାସଲ ପୂର୍ବରୁ ସେମି ଫାଇନାଲ ରୂପେ ବର୍ଣ୍ଣନା କରୁଥିବା ଆମ୍ ଆଦମୀ ପାର୍ଟି ନେତାମାନଙ୍କୁ ଏହି ବିଜୟ ଉଲ୍ଲସିତ କରିଛି । ସେହି ସମାନ ସମୟରେ କଂଗ୍ରେସର ସ୍ଥିତି ବି ସୁଧୁରୁଥିବା ଭଳି ମନେ ହେଉଛି ।
ଗୋଟିଏ ଆସନରେ ବିଜୟୀ ହୋଇଥିବା କଂଗ୍ରେସ ସମଗ୍ର ଦିଲ୍ଲୀକୁ ଏକ ବାର୍ତ୍ତା ଦେବାକୁ ମନ ବଳାଇଛି । ଏହି ବିଜୟ ସଂପର୍କରେ କଂଗ୍ରେସର ରାଜ୍ୟ ସଭାପତି ଅନିଲ ଚୌଧରୀ ଟ୍ବିଟ୍ କରି କହିଛନ୍ତି ଯେ ଦିଲ୍ଲୀର ହୃଦୟକୁ ଆମେ ଜିତି ସାରିଛୁ ଏବଂ ଦିଲ୍ଲୀକୁ ବି ଆମେ ଜିତିବୁ । ଉପ ନିର୍ବାଚନରେ ଚୌହାନ ବାଙ୍ଗର ଆସନରୁ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । ଏହି ବିଜୟ ହିଁ ଦିଲ୍ଲୀରେ ଶାସନ କ୍ଷମତାକୁ କଂଗ୍ରେସର ପ୍ରତ୍ୟାବର୍ତ୍ତନର ବାର୍ତ୍ତା ପ୍ରଦାନ କରୁଛି । ଏହି ସମୟରେ, ବିଜେପିର ରାଜ୍ୟ ସଭାପତି ଆଦେଶ ଗୁପ୍ତାଙ୍କ କହିବା ଅନୁସାରେ, ରାଜନୀତିରେ କୌଣସି ପରାଜୟ ଚୂଡ଼ାନ୍ତ ନୁହେଁ ଏବଂ ତେଣୁ ଆମେ ପରାଜୟ ବରଣ କରିଥିବା ପାଞ୍ଚଟି ଆସନରେ ଲୋକଙ୍କ ମତାମତକୁ ସ୍ବାଗତ କରିବା ସହିତ 2022 ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛୁ । ଦିଲ୍ଲୀ ପୌର ନିଗମ ଉପ ନିର୍ବାଚନ ଫଳାଫଳ ଦିଲ୍ଲୀ ରାଜନୀତିକୁ ପୁଣି ସରଗରମ କରିଛି । ଆଗାମୀ ଦିନରେ ଏହାର ଉଷ୍ମତା ନିଶ୍ଚିତ ଭାବରେ ଅନୁଭୂତ ହେବ ।