ବେଙ୍ଗାଲୁରୁ: ଦେଶରେ ଧର୍ମକୁ ନେଇ ବାଛ ବିଚାର ସାଙ୍ଗକୁ ଅନେକ ହିଂସାକାଣ୍ଡ ଘଟୁଛି । ହେଲେ ଆମ ଦେଶ ଭାରତ ଭ୍ରାତୃତ୍ବର ଦେଶ । ଏଠାରେ ସବୁ ଧର୍ମାବଲମ୍ବୀ ଏକାଠି ରହି ଏକତାର ପରିଚୟ ଦିଅନ୍ତି । ଏଭଳି ଏକ ଭାବନା ପରିଚୟ ଦେଇଛନ୍ତି ଜଣେ ହିନ୍ଦୁ ମହିଳା । କର୍ଣ୍ଣାଟକ ହବଲିରେ ଥିବା ଦରଘାରେ ଉପାସନା କରିଛନ୍ତି ଜଣେ ହିନ୍ଦୁ ମହିଳା । ଏପରି କରି ଭାବପ୍ରବଣତାର ପ୍ରତୀକ ପାଲଟିଛନ୍ତି ଉକ୍ତ ମହିଳା ।
ହନାମଭୱା ଗୁଦାଗୁଣ୍ଟି ହେଉଛି ଏକ ହିନ୍ଦୁ ମହିଳାଙ୍କ ନାମ ଯିଏକି ଏକ ଦରଘାଠାରେ ପୂଜା କରିଛନ୍ତି । ସେ ହବଲିର କେଶୱାପୁରର ବାସିନ୍ଦା ଏବଂ ରାମନାଗରର ଡୁଡାପିରା ଦରଘାକୁ 62 ବର୍ଷ ଧରି ଗୁଦାଗୁଣ୍ଟିଙ୍କ ପୂର୍ବପୁରୁଷ ପୂଜା କରିଆସୁଛନ୍ତି । ମୁସଲମାନ ସମ୍ପ୍ରଦାୟ ସେମାନଙ୍କୁ ଏଥିରେ ବହୁତ ସାହାଯ୍ୟ କରିଥିବା ମଧ୍ୟ ଜଣାପଡ଼ିଛି । ମୁସଲିମମାନେ ଏଠାକୁ ଆସି ନମାଜ ପାଠ କରନ୍ତି । ହେଲେ ହିନ୍ଦୁ ମହିଳା ଜଣକ ଏଠାରେ ପୂଜା କଲେ ମଧ୍ୟ ତାଙ୍କୁ କେହି ବାରଣ କରିନଥାନ୍ତି । ମହିଳାଙ୍କ ପିତାମାତାଙ୍କ ଦେହାନ୍ତ ପରେ ସେ ଏଠାରେ ଏପରି ପୂଜା କରି ଆସୁଥିବା ଜଣାପଡ଼ିଛି ।
ପ୍ରଥମେ ତାଙ୍କ ମାତା ଏଠାରେ ପୂଜା କରୁଥିଲେ । ତାଙ୍କ ମାଆଙ୍କ ଦେହାନ୍ତ ପରେ ସେ ପୂଜା କରୁଥିବା କହିଛନ୍ତି । ସେ ଗତ ୩୫ ବର୍ଷ ଧରି ଏପରି ପୂଜା କରୁଛନ୍ତି । ମହିଳାଙ୍କ ସନ୍ତାନ ମଧ୍ୟ ଏହି ପୂଜାରେ ସାମିଲ ହୁଅନ୍ତି । ଏହି ଦରଘାକୁ ଖ୍ରୀଷ୍ଟିଆନ ଓ ଜୈନ ଧର୍ମାବଲମ୍ବୀ ଆସି ଆଶୀର୍ବାଦ ନେଉଥିବା ମଧ୍ୟ ଦେଖିବାକୁ ମିଳେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ