ଭୋପାଳ: ମଧ୍ୟ ପ୍ରଦେଶର ପନ୍ନାରେ ଚମକିଲା ଜଣେ ଚାଷୀଙ୍କ ଭାଗ୍ୟ । ଏହି ଚାଷୀ ଜଣକ ଅନ୍ୟ ୬ ବନ୍ଧୁଙ୍କ ସହ ମିଶି ହୀରା ଖାଦାନ ଆରମ୍ଭ କରିଥିଲେ । ବର୍ତ୍ତମାନ ଚାଷୀଙ୍କୁ ୩.୨୧ କ୍ୟାରେଟ୍ର ଏକ ହୀରା ମିଳିଛି । ହୀରା ବିକ୍ରି ପରେ ମିଳିବାକୁ ଥିବା ଟଙ୍କାରେ ଚାଷୀ ଜଣକ ସମସ୍ତ ଟଙ୍କାଙ୍କୁ ନିଜ ନିଜ ମଧ୍ୟରେ ବାଣ୍ଟି ନେବେ ବୋଲି କହିଛନ୍ତି ।
ବ୍ରିଜପୁରରେ ବାସ କୁରଥିବା ରାଜେନ୍ଦ୍ର ଗୁପ୍ତା ନାମକ ଚାଷୀ ଅନ୍ୟ ସାଥୀଙ୍କ ସହ ମିଶି ହୀରା ଖାଦାନ ଆରମ୍ଭ କରିଥିଲେ । ହୀରା ଖାଦାନ ଆରମ୍ଭ କରିବା ଏକ ମାସ ମଧ୍ୟରେ ତାଙ୍କୁ ୩.୨୧ କ୍ୟାରେଟ୍ର ଏକ ହୀରା ମିଳିଛି । ଏହାକୁ ହୀରା କାର୍ଯ୍ୟାଳୟରେ ଜମା କରିଛନ୍ତି ରାଜେନ୍ଦ୍ର । ହୀରା ବିକ୍ରି କରି ଚାଷୀ ଓ ତାଙ୍କ ସାଥୀ ବ୍ୟବସାୟ ଆରମ୍ଭ କରିବାକୁ ମନସ୍ତ କରିଛନ୍ତି । ହୀରା ମିଳିବା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଏହି ହୀରାର ନିଲାମୀ କରାଯିବ । ଏହାପରେ ଟ୍ୟାକ୍ସ କାଟି ବାକି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ ।
ସରକାରୀ ନିୟମ ମୁତାବକ, ଯାହା ଜମିରେ ହୀରା ବା ଅନ୍ୟ ମୂଲ୍ୟବାନ ଜିନିଷ ମିଳିଥାଏ ତାକୁ ସରକାର ୧୨.୫୦ ପ୍ରତିଶତ ମୂଲ୍ୟ ପ୍ରଦାନ କରିଥାଆନ୍ତି । କିନ୍ତୁ ଜମି ଖୋଳିବା ବେଳେ ମିଳିଥିବା ଜିନିଷକୁ କେହି ଯଦି ନିଜର ବୋଲି କୁହନ୍ତି, ତେବେ ସେହି ମୂଲ୍ୟବାନ ଜିନିଷକୁ ନେଇ ବ୍ୟକ୍ତିଙ୍କ ପାଖରେ ପ୍ରମାଣ ଥିବା ଆବଶ୍ୟକ । ଏହାକୁ ନେଇ କୋର୍ଟରେ ଦାଖଲ କରିବା ପରେ କୋର୍ଟ ସମ୍ପୃକ୍ତ ମୂଲ୍ୟବାନ ଜିନିଷ ବ୍ୟକ୍ତିଙ୍କର କି ନୁହେଁ ତାହା ନିଷ୍ପତ୍ତି ନେଇଥାଆନ୍ତି । ଯଦି ଏଭଳି ମୂଲ୍ୟବାନ ବସ୍ତୁ ପାଇ କେହି ଲୁଚାନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।
କିଛି ଦିନ ପୂର୍ବରୁ ପନ୍ନାରେ ଜଣେ ଚାଷୀଙ୍କୁ ତାଙ୍କ ଜମି ଖୋଳିବା ବେଳେ ୩୦ ଲକ୍ଷ ଟଙ୍କା ମୂଲ୍ୟର ଏକ ହୀରା ମିଳିଥିଲା । ଏହି ଚାଷୀ ଜଣକ ପନ୍ନାର ଜରୁଆପୁର ଗ୍ରାମବାସୀ ବୋଲି ଜଣାପଡ଼ିଥିଲା । ଚାଷୀ ଜଣକ ୪ ବର୍ଷ ହେଲା ନିଜ ଜମିର ହୀରା ଖାଦାନ ଆରମ୍ଭ କରିଥିଲେ । ଏଥିରେ ତାଙ୍କ ସହ ଆଉ ୪ ଜଣ ବନ୍ଧୁ ମଧ୍ୟ ସାମିଲ ଥିଲେ । ଏହି ଚାଷୀଙ୍କୁ ୩ କ୍ୟାରେଟ୍ର ଏକ ହୀରା ମିଳିଥିଲା ।