ହାଇଦ୍ରାବାଦ: ମୃତ୍ୟୁର ବାହକ ସାଜିଲା ଦାରିଦ୍ର୍ୟତା । ଆର୍ଥିକ ସମସ୍ୟାରେ ଯେତେବେଳେ ଜଣେ ଘାଣ୍ଟି ହୁଏ, ସେତେବେଳେ ସେ ମୃତ୍ୟୁକୁ ଆପଣେଇ ନିଏ । ଆଖି ଆଗରେ ଦାରିଦ୍ରତ୍ୟର ଚିତ୍ର ଦୃଶ୍ୟମାନ ହୁଏ । ଆଜି ଏମିତି ଏକ ଦୁଃଖଦ ଚିତ୍ର ହାଇଦ୍ରାବାଦସ୍ଥିତ ବାହାଦୁର ପୋଲିସ ଷ୍ଟେସନ ଅନ୍ତର୍ଗତ କିଶାନବାଗରେ ଦେଖିବାକୁ ମିଳିଛି ।
ପୱନ ନାମକ ୧୭ ବର୍ଷୀୟ ନାବାଳକ ହୃଦରୋଗରେ ଆକ୍ରାନ୍ତ ଥିଲେ । ଏତେ କଷ୍ଟରେ ଥାଇ ମଧ୍ୟ ସେ ତାଙ୍କ ବାପା-ମାଆଙ୍କୁ ଏ ବିଷୟରେ କେବେ ସୂଚାଇ ନ ଥିଲେ ଯେ, ତାଙ୍କୁ ଏତେ ବଡ ରୋଗ ହୋଇଛି । କାହିଁକିନା ପୱନଙ୍କ ପରିବାର ଅତି ଗରିବ ଶ୍ରେଣୀର । ଦିନକୁ ଦୁଇ ଓଳି ଖାଇବାକୁ ମଧ୍ୟ ମିଳେ ନାହିଁ । ସେଥିପାଇଁ ପୱନ ଭାବିଲେ, ଯଦି ମୋ ରୋଗ କଥା ଘରେ ଜାଣିବେ, ତେବେ ବାପା ମା ବ୍ୟସ୍ତ ହୋଇ ପଡିବେ । ତାଙ୍କୁ ଠିକ୍ କରିବା ପାଇଁ ସେମାନେ ବାର ଦୁଆର ଶୁଣ୍ଢିପିଣ୍ଢା ହେବେ । କାହିଁକିନା ପୱନ ତାଙ୍କର ଏକମାତ୍ର ପୁଅ ଥିଲା ।
ଆର୍ଥିକ ଅନଟନ ଯୋଗୁଁ ସେ ତାର ରୋଗ ସମ୍ପର୍କରେ ଘରେ କାହାକୁ ବି ଜଣାଇ ନଥିଲା । ଦିନ ଯେତେ ବଢୁଥିଲା, ପୱନଙ୍କୁ ସେତେ କଷ୍ଟ ହେଉଥିଲା । ସେ ଆଦୌ ଚାହୁଁ ନଥିଲା ଯେ, ତା ବାପା ମା ତା ପାଇଁ ବ୍ୟସ୍ତ ହୁଅନ୍ତୁ । କେଉଁଠୁ ଟଙ୍କା ଆଣି ରୋଗ ଭଲ କରିବେ, ସେ ନେଇ ଚିନ୍ତିତ ହୁଅନ୍ତୁ । ସେଥିପାଇଁ ସେ ମୃତ୍ୟୁର ରାସ୍ତାକୁ ବାଛି ନେଇଥିଲା । ଘରେ କେହି ନ ଥିବାବେଳେ ଫାଶୀ ଦେଇ ଆତ୍ମହତ୍ୟା କରିଛି ପୱନ । ସେ ବହୁଥର ଚେଷ୍ଟା କରିଛି ରୋଗ ସମ୍ପର୍କରେ ବାପାମାଆଙ୍କୁ ଜଣାଇବା ପାଇଁ, କିନ୍ତୁ ଘରର ଆର୍ଥିକ ଅନଟନ ତା ବାଟ ରୋକିଥିଲା । ଏ ନେଇ ଅଧିକାଂଶ ସମୟରେ ସେ ଚିନ୍ତା ଗ୍ରସ୍ତ ରହୁଥିଲା ।
ମୃତ୍ୟୁ ପୂର୍ବରୁ ସେ ଏକ ସୁସାଇଡ ଲେଟର ଲେଖିଥିଲା । ଯେଉଁଥିରେ ସେ ସଫା ସଫା ଲେଖିଥିଲା ଯେ, 'ମୋ ରୋଗ ପାଇଁ ମୁଁ ମୋ ପରିବାରକୁ କଷ୍ଟ ଦେବାକୁ ଚାହୁଁନାହିଁ । ଆର୍ଥିକ ଅନଟନ ପାଇଁ ମୁଁ ଆତ୍ମହତ୍ୟା କରୁଛି । ବାପା ଓ ମାଆ ମୋତେ ଏଥିପାଇଁ କ୍ଷମା କରିଦେବ । ମୁଁ ମରିଗଲା ପରେ ଅନ୍ତିମ ସଂସ୍କାର ପାଇଁ ଅର୍ଥ ଆବଶ୍ୟକ ହେବ, ତେଣୁ ମୋ ମୋବାଇଲ ଫୋନକୁ ବିକି ଦେଇ ଅନ୍ତିମ ସଂସ୍କାର କରିବାକୁ ସେ ତା ବାପା ମାଆଙ୍କୁ ଅନୁରୋଧ କରିଛି । '
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ ସୁସାଇଡ ଲେଟର ଜବତ କରିଛି । ଏହି ଘଟଣା ପରେ କିଶାନବାଗରେ ଶୋକର ଛାୟା ଦେଖାଦେଇଛି । ଏତେ କମ୍ ବୟସରୁ ଏକମାତ୍ର ପୁଅକୁ ହରାଇଥିବାରୁ ହତଭାଗା ବାପା ମାଆଙ୍କର କାନ୍ଦି କାନ୍ଦି ଅବସ୍ଥା ବେହାଲ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ