ଧର୍ମଶାଳା: ନିଆରା ଲୋକ କଳା ଓ ସଂସ୍କୃତି ପାଇଁ ସୁପରିଚିତ ହିମାଚଳ ପ୍ରଦେଶ । ହିମାଚଳ କଳାର ନାହିଁ କୌଣସି ମୁକାବିଲା । ଆଜି ଆମେ ଆପଣଙ୍କୁ ଏଭଳି କିଛି କଳା ବିଷୟରେ କହିବୁ । କେବେ ଘୋଡ଼ାକେଶରେ ଚୁଡ଼ି ତିଆରି ହେବା କଥା ଶୁଣିଛନ୍ତି ? କଥା ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ। ଏହି ସବୁ ସୁନ୍ଦର ସୁନ୍ଦର ଚୁଡ଼ି ଘୋଡ଼ା କେଶରୁ ହିଁ ତିଆରି। ଏହି ଚୁଡ଼ି ଖରାପ ନଜରରୁ ରକ୍ଷା କରୁଥିବା ଲୋକକଥା ରହିଛି । ହିମାଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସଭିଏଁ ଏହାକୁ ପିନ୍ଧୁଥିବା ଦେଖିପାରିବେ।।
ଘୋଡ଼ାକେଶରୁ ଚୁଡ଼ି ତିଆରି କଳା ବହୁ ପୁରୁଣା। ଚମ୍ବା ଜିଲ୍ଲାର ଚରପେଟ ମହଲାର ସ୍ବର୍ଣ୍ଣାଦେବୀ 30 ବର୍ଷ ହେଲା ଏହି କାମ କରି ଆସୁଛନ୍ତି । ସେ ନିଜ ମାଆଙ୍କଠାରୁ ଏହି କଳା ଶିକ୍ଷା ଲାଭ କରିଥିଲେ । ସ୍ବର୍ଣ୍ଣାଙ୍କ ଆଇଙ୍କଠାରୁ ତାଙ୍କ ମାଆ ଏହି କଳା ଶିଖିଥିଲେ। ଘୋଡ଼ାର କେଶରୁ ଚୁଡ଼ି ଓ ବଳା ତିଆରି ହେଉଛି।
ଆଜି ସ୍ବର୍ଣ୍ଣାଦେବୀ ଏହି କଳାକୁ ବଞ୍ଚାଇ ରଖିଛନ୍ତି । ଚାଲନ୍ତୁ ଜାଣିବା କେମିତି ତିଆରି ହୁଏ ଘୋଡ଼ା କେଶରୁ ଚୁଡ଼ି। ଚୁଡ଼ି ତିଆରି ପାଇଁ ଘୋଡ଼ାର 2 ଫୁଟ ଲମ୍ବା କେଶ ଆବଶ୍ୟକ। ଏହି କେଶ ସହ ଚୁଡ଼ି ତିଆରି ପାଇଁ ବାଉଁଶ ପାତି ମଧ୍ୟ ଆବଶ୍ୟକ। ବାଉଁଶ ପାତିକୁ ଛୋଟଛୋଟ କଟାଯାଏ। ଏହାପରେ ବାଉଁଶକୁ ଦିଆଯାଏ ଚୁଡ଼ି ଆକାର । ଏହାପରେ ବିଭିନ୍ନ ରଙ୍ଗର ଘୋଡ଼ା କେଶ ଖଣ୍ଡରେ କରାଯାଏ ନାନା କଳାକୃତି । ଏହିଭଳି ଭାବରେ ଘୋଡ଼ାକେଶରୁ ଚୁଡ଼ି ତିଆରି ହୁଏ। ସ୍ବର୍ଣ୍ଣାଦେବୀ ଏହି କଳାରେ ମାହିର। ବର୍ତ୍ତମାନ ସେ ତାଙ୍କ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି ଶିକ୍ଷା ଦେଉଛନ୍ତି।
ବର୍ତ୍ତମାନ ଏହି କଳା ଲୁପ୍ତ ହେବାକୁ ବସିଛି । ଏହି କଳାକୁ ବଞ୍ଚାଇ ରଖିବା ପାଇଁ 1985ରେ ସରକାରଙ୍କ ପକ୍ଷରୁ ସ୍ବର୍ଣ୍ଣାଙ୍କ ମାଆଙ୍କୁ ଏକ ପ୍ରଶିକ୍ଷଣ ସଂସ୍ଥା ଯୋଗାଇ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରି ଦିଆ ଯାଇଛି। ବର୍ତ୍ତମାନ ଏହି କଳା ପାଇଁ କଞ୍ଚା ମାଲ ହୋଇଛି ମହଙ୍ଗା। ଏଥିପାଇଁ ଏହି କାରିଗରୀକୁ ବଞ୍ଚାଇ ରଖିବା ହୋଇଛି କଷ୍ଟସାଧ୍ୟ । ସରକାରଙ୍କ ସହାୟତା ମିଳିଲେ ସ୍ବର୍ଣ୍ଣାଦେବୀ ଏହି କାରିଗରୀ ଅନ୍ୟମାନଙ୍କୁ ଶିଖାଇ ପାରିବେ।
ଆମ ଦେଶର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସଂସ୍କୃତି। ଯେଉଁ ସଂସ୍କୃତି ହିମାଚଳ ପ୍ରଦେଶରେ ଭରପୁର ହୋଇ ରହିଛି। କିନ୍ତୁ ସରକାରଙ୍କ ଅଣଦେଖାରୁ ଏହି ସବୁ ଲୋକ ସଂସ୍କୃତି ଲୋପ ପାଇବାରେ ଲାଗିଛି। ଘୋଡ଼ା କେଶରୁ ପ୍ରସ୍ତୁତ ହେଉଥିବା ଚୁଡ଼ି କାରିଗରୀକୁ ସ୍ବର୍ଣ୍ଣାଦେବୀ ବଞ୍ଚାଇ ରଖିବାକୁ ଅଦମ୍ୟ ପ୍ରୟାସ ଜାରି ରଖିଛନ୍ତି। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ