ବେଙ୍ଗାଲୁରୁ: ଦେଶରେ କୋରୋନାର ଭୟାବହତା ବଢିଚାଲିଛି । ଦୈନିକ ସଂକ୍ରମଣ ମାମଲା 3 ଲକ୍ଷରୁ ଊର୍ଦ୍ଧ୍ବ ଚିହ୍ନଟ ହେଉଛନ୍ତି । ଦିନକୁ 4 ହଜାରରୁ ଅଧିକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ଭୟାନକ ତଥ୍ୟ ସାମ୍ନାକୁ ଆସିଛି ଯେ, କୋରୋନା ଲକ୍ଷଣ ନ ଥାଇ ମଧ୍ୟ ଅନେକ ମୃତ୍ୟୁବରଣ କରୁଛନ୍ତି । ଗତ କିଛି ଦିନ ଧରି ଏବେ କର୍ଣ୍ଣାଟକରେ ଏଭଳି ମାମଲା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି ।
ବିଗତ ଦିନରେ କର୍ଣ୍ଣାଟକର ଏବେ ସର୍ବାଧିକ ଦୈନିକ ସଂକ୍ରମିତ ମାମଲା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟରେ ଆଗରେ ରହିଛି । ଗତ 5 ଦିନର ରିପୋର୍ଟ ମୁତାବକ, ମେ 4 ରୁ ମେ 8 ମଧ୍ୟରେ 2140ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 790 ଜଣଙ୍କ ଠାରେ କୌଣସି କୋରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା । 5 ଦିନ ମଧ୍ୟରେ ଏପରି ଲକ୍ଷଣବିହୀନ ଲୋକଙ୍କ ମୃତ୍ୟୁ ସଂଖ୍ୟା 37 ପ୍ରତିଶତକୁ ବୃଦ୍ଧି ପାଇଛି ।
ମେ 4, 2021 ରେ କର୍ଣ୍ଣାଟକରେ 392 କୋଭିଡ ସଂକ୍ରମିତ ଜୀବନ ଯାଇଥିଲା । ଯେଉଁଥିରେ 11 ଜଣଙ୍କ ଠାରେ କୋରୋନାର ଲକ୍ଷଣ ନ ଥିଲା । ମୋଟ ମୃତ୍ୟୁ ସଂଖ୍ୟାର ଏହା 28.3 ପ୍ରତିଶତ ରହିଥିଲା । ମେ 5, 2021 ରେ 346 ଜଣ ସଂକ୍ରମିତ ଆଖିବୁଜିଥିଲେ । ଯେଉଁଥିରେ 136 ଜଣଙ୍କ କୌଣସି ଲକ୍ଷଣ ଚିହ୍ନଟ କରାଯାଇନଥିଲା । ଏହା ମୋଟ ମୃତ୍ୟୁ ସଂଖ୍ୟାର 39.3 ପ୍ରତିଶତ ।
ସେହିପରି ମେ 6 ବେଳକୁ ଏହା ବୃଦ୍ଧି ପାଇଁ 50 ପ୍ରତିଶତ ରେ ପହଞ୍ଚିଥିଲା । 368 ମୃତକଙ୍କ ମଧ୍ୟରେ 167ଜଣଙ୍କ ଲକ୍ଷଣ ନଥିଲା । ମେ 7, 2021 ରେ ଦୈନିକ ମୃତ୍ୟୁ ସଂଖ୍ୟା 592ରୁ ବୃଦ୍ଧି ହୋଇଥିଲା । ସେଥି ମଧ୍ୟରୁ 208 ଜଣ ରୋଗୀଙ୍କ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ମେ 8 ବେଳକୁ 482 ଜଣ ରୋଗୀଙ୍କ ଜୀବନ ଯାଇଥିଲା । ସେଥିମଧ୍ୟରୁ 34.8 ପ୍ରତିଶତ ଅର୍ଥାତ 168 ଜଣ ଲକ୍ଷଣବିହୀନ ସଂକ୍ରମିତ ବ୍ୟକ୍ତି ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ