ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ପାଳନ କରିବାକୁ ଯାଉଛି ସ୍ବାଧୀନତାର ୭୫ବର୍ଷ । ଏହି ଅବସରରେ ଦେଶବ୍ୟାପୀ ପାଳନ କରାଯାଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ । ତେବେ ଚଳିତ ସ୍ବାଧୀନତା ଦିବସ ପୂର୍ବରୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ’ରାଷ୍ଟ୍ର ପ୍ରଥମ, ସବୁବେଳେ ପ୍ରଥମ’ ର ନାରା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ୭୫ବର୍ଷରେ ପାଦଦେବାକୁ ଯାଉଥିବା ବିଶାଳ ଓ ବିବିଧ ତଥା ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସ୍ବାଧୀନତା ସଂଗ୍ରାମ ମଧ୍ୟ ଥିଲା ଦୀର୍ଘକାଳୀନ, ଚର୍ଚ୍ଚିତ ଘଟଣାର ଏକ ଗ୍ରନ୍ଥାବଳୀ ।
୧୮୫୮ ରୁ ୧୯୪୭ ମସିହା ପର୍ଯନ୍ତ ଭାରତକୁ ଶାସନ କରିଥିବା ବ୍ରିଟିଶ ସରକାର ୧୯୪୭ ଅଗଷ୍ଟ ୧୫ ତାରିଖରେ ଶାସନ କ୍ଷମତା ହସ୍ତାନ୍ତର କରି ଦେଶ ଛାଡି ଫେରିଯିବା ପାଇଁ ବାଧ୍ୟ ହୋଇଥିଲେ । ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ । ଜବାହାରଲାଲ ନେହେରୁ ହୋଇଥିଲେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ରୋମାଞ୍ଚକର ଓ ଘଟଣାବହୁଳ ଥିବା ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନ ଅନେକାଂଶରେ ଅନ୍ୟ ରାଷ୍ଟ୍ରର ସ୍ବାଧୀନତା ଆନ୍ଦୋଳନ ଠାରୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ତେବେ ଆସନ୍ତୁ ନଜର ପକାଇବା ଭାରତୀୟ ସ୍ବାଧୀନତା ଆନ୍ଦୋଳନର ୧୦ ରୋଚକ ତଥା ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ଉପରେ ।
୧. 1757-1857 ମସିହା ପର୍ଯ୍ୟନ୍ତ ଭାରତକୁ ଶାସନ କରିଥିଲା ବ୍ୟବସାୟ ପାଇଁ ଭାରତ ଆସି ସାମ୍ରାଜ୍ୟବାଦ ସ୍ଥାପନ କରିଥିବା ବ୍ରିଟିଶର ‘ଇଷ୍ଟ ଅଣ୍ଡିଆ କମ୍ପାନୀ’ । 1857 ରେ ଏହି ଶାସନଭାର କମ୍ପାନୀ ଠାରୁ ଗ୍ରହଣ କରିଥିଲେ ଗ୍ରେଟ ବ୍ରିଟେନର ସରକାର । ତେବେ ଏହି ବର୍ଷ (1857) ରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ମଧ୍ୟ ମୁଳଦୁଆ ମଧ୍ୟ ପଡିଥିଲା । ଐତିହାସିକଙ୍କ ମଧ୍ୟରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ପ୍ରଥମ ବିଦ୍ରୋହ ଥିଲା 1857ମସିହାର ସିପାହୀ ବିଦ୍ରୋହ । ବ୍ରିଟିଶ ନିୟନ୍ତ୍ରଣରେ ଥିବା ଭାରତୀୟ ସେନାର ସିପାହୀ ମଙ୍ଗଳ ପାଣ୍ଡେ ପ୍ରଥମେ ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରିଥିଲେ । ପରେ ରାଣୀ ଲକ୍ଷ୍ମୀବାଇ, ତାନ୍ତିଆ ଟୋପୋ, ନାନା ସାହେବଙ୍କ ପରି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ବ୍ରିଟିଶ ବିରୋଧରେ ବିଦ୍ରୋହ ଡାକରା ଦେଇଥିଲେ ।
୨. ଉନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିଲା ଚର୍ଚ୍ଚିତ ସ୍ବଦେଶୀ ଆନ୍ଦୋଳନ (Swadeshi Movement ) । ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ ଓ ବିଶିଷ୍ଟ ଶିଳ୍ପପତି ଜେ.ଆର.ଡି ଟାଟା ବମ୍ବେରେ ସ୍ବଦେଶୀ କୋପରେସନ ଷ୍ଟୋର ଲିମିଟେଡ ପ୍ରତିଷ୍ଠା କରିଥିଲେ । ବିଦେଶୀ ବସ୍ତ୍ର ବର୍ଜନ କରିବା ଓ ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟ ବ୍ୟବହାର କରି ଭାରତୀୟଙ୍କ ମନରେ ସ୍ବାଦେଶୀ ଭାବନକୁ ଉଜାଗର କରିବା ପାଇଁ ଏହି ଆନ୍ଦୋଳନ ଏକ ବଡ ଭୂମିକା ଗ୍ରହଣ କରିଥିଲା । ପରେ ମହାତ୍ମା ଗାନ୍ଧୀ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେବା ସହ ଏହି ଆନ୍ଦୋଳନ ‘ସ୍ବରାଜ ଆନ୍ଦୋଳନ’ ରୁପେ ପରିଚୟ ପାଇଥିଲା ।
୩. ଭାରତୀୟ ସ୍ବାଧୀନତା ସଂଗ୍ରାମରେ ପ୍ରଥମ ଥର ପାଇଁ ୧୯୦୬ ଅଗଷ୍ଟ ୭ (August 7, 1906) ତାରିଖରେ କୋଲକାତର ପାରିସ ବାଗନ ସ୍କ୍ବେୟାରରେ ପ୍ରଦର୍ଶିତ ହୋଇଥିଲା ଜାତୀୟ ପତାକା । କିନ୍ତୁ ଏହା ବର୍ତ୍ତମାନ ତ୍ରିରଙ୍ଗା ପରିବର୍ତ୍ତେ ସାମାନ୍ୟ ଭିନ୍ନ ରଙ୍ଗର ମଧ୍ୟ ଥିଲା । ଏଥିରେ ନାଲି, ହଳଦିଆ ଓ ସବୁଜ ରଙ୍ଗର ହରିଜେଣ୍ଟାଲ ଷ୍ଟ୍ରିଫ ବ୍ୟବହାର ହୋଇଥିଲା । ପରବର୍ତ୍ତୀ ସମୟରେ ବର୍ତ୍ତମାନର ଜାତୀୟ ପତାକା ‘ତ୍ରିରଙ୍ଗା’କୁ ୨୦୨୧ ରେ ପିଙ୍ଗଳୀ ଭେଙ୍କେୟା ନାମକ ଜଣେ ସ୍ବାଧୀନତା ଆନ୍ଦୋଳନକାରୀ ଡିଜାଇନ କରିଥିଲେ । ମଝିରେ ଅଶୋକ ଚକ୍ର ଥିବା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ୧୯୪୭ ମସିହା ଜୁଲାଇ ୨୨ ରେ ସ୍ବୀକୃତି ମିଳିବା ସହ ପ୍ରଥମ ଥର ପାଇଁ ପ୍ରଥମ ସ୍ବାଧୀନତା ଦିବସରେ ଉତ୍ତୋଳନ ମଧ୍ୟ କରାଯାଇଥିଲା ।
୪. ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଏକ ସଫଳ ଆନ୍ଦୋଳନ ଥିଲା ଭାରତ ଛାଡ ଆନ୍ଦୋଳନ (The Quit India Movement) । ୧୯୪୫ ମସିହା ଅଗଷ୍ଟ ୮ ତାରିଖ (August 8 1942) ଭାରତୀୟ ଜାତୀୟ କଂଗ୍ରେସର ମୁମ୍ବାଇ ଅଧିବେଶନରେ ଏହି ଭାରତ ଛାଡ ଆନ୍ଦୋଳନର ସଂଙ୍କଳ୍ପ ପାରିତ ହେବା ସହ ଦେଶବ୍ୟାପୀ ଏହାକୁ ବ୍ୟାପକ କରିବା ପାଇଁ ଆହ୍ବାନ ଦେଇଥିଲେ ମହାତ୍ମା ଗାନ୍ଧୀ । ଏହି ଆନ୍ଦୋଳନ ସୁଦୂର ପ୍ରସାରୀ ମଧ୍ୟ ହୋଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ଲଢୁଥିବା ବ୍ରିଟିଶ ସରକାରଙ୍କ ପାଇଁ ଭାରତରେ ଏହି ବିଶାଳ ଆନ୍ଦୋଳନ ଆହ୍ବାନ ସୃଷ୍ଟି କରିବା ସହ ଭାରତରେ ସେମାନଙ୍କ ଶାସନର ସ୍ଥାୟୀତ୍ବ ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
୫. ସ୍ବାଧୀନତା ଆନ୍ଦୋଳନ ସମୟରେ ଭାରତର ଜାତୀୟ ସଂଙ୍ଗୀତ ଚୂଡାନ୍ତ ହୋଇନଥିଲା । ୧୯୧୧ ରେ ବିଶ୍ବକବି ରବିନ୍ଦ୍ର ନାଥ ଟାଗୋରଙ୍କ ଦ୍ବାରା ରଚିତ ଭାରତ ଭାଗ୍ୟ ବିଧାତା ('Bharoto Bhagyo Bidhata‘) କୁ ପରବର୍ତ୍ତୀ ସମୟରେ ‘ଜନ ଗଣ ମନ’ ନାମରେ ମାମିତ କରାଯିବା ସହ ଭାରତୀୟ ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଥିଲା । ସମ୍ବିଧାନ ପ୍ରଣୟନ ପାଇଁ ଗଠିତ କମିଟି (Constituent Assembly) ଏହି ସଂଙ୍ଗୀତକୁ ୧୯୫୦ ଜାନୁୟାରୀ ୨୪ ରେ ଭାରତୀୟ ଜାତୀୟ ସଙ୍ଗୀତ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା ।
୬. ୧୯୪୭ ମହିହା ଅଗଷ୍ଚ ୩ ତାରିଖରେ ଅଖଣ୍ଡ ଭାରତ ବିଭାଜନ ହେବା ପୂର୍ବରୁ ନୂତନ ଭାବେ ସୃଷ୍ଟି ହେବାକୁ ଥିବା ପାକିସ୍ତାନ ଓ ଭାରତ ମଧ୍ୟରେ ପ୍ରଥମ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ କରଯାଇଥିଲା । ଏହି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବ୍ରିଟିଶ ବାରିଷ୍ଟର ସାର କ୍ରିଲ ରେଡକଫ୍ଲିଫ (Sir Cyril Radcliffe) ଙ୍କ ନେତୃତ୍ବରେ ହୋଇଥିଲା । ଭାରତ ସ୍ବାଧୀନ ହେବାର ୨ ଦିନ ପରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଥିଲା ।
୭. ସିନ୍ଧୁ ନଦୀ (Indus river)ର ନାମ ଅନୁସାରେ ଭାରତର ନାମ ଇଂରାଜୀରେ ଇଣ୍ଡିଆ ବୋଲି ନାମିତ କରାଯାଇଥିଲା । ସନ୍ଧୁ ନଦୀ କୂଳରେ ପ୍ରାଚୀନ ସଭ୍ୟତାର ପ୍ରମାଣ ମିଳିଥିଲା । ଯାହା ବିଶ୍ବରେ ଏକ ପ୍ରମୁଖ କୀର୍ତ୍ତୀରାଜୀ ଓ ମାନବ ସଭ୍ୟତା ବୋଲି ବିଶ୍ବାସ କରାଯାଏ । ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖୁଥିବା ଇଣ୍ଡସ ରିଭର ବା ସିନ୍ଧୁ ନଦୀ ନାମରେ ପ୍ରଥମେ ଭାରତର ନାମ ‘ଇଣ୍ଡିଆ’ ବୋଲି ନାମିତ କରାଯାଇଥିଲା ।
୮. ୧୯୭୪ ଅଗଷ୍ଟ ୧୫ରେ ସ୍ବାଧୀନତା ପାଇଁ ସ୍ବାଧୀନ ରାଷ୍ଟ୍ରଭାବେ ଆତ୍ମପ୍ରକାଶ କରିଥିଲା ଭାରତ । ତେବେ ଉକ୍ତ ଦିନ ମଧ୍ୟ ବିଶ୍ବର ଅନ୍ୟ କିଛି ରାଷ୍ଟ୍ର ସ୍ବାଧୀନତା ପାଇଥିଲେ । ଏହି ତାଲିକାରେ କଙ୍ଗୋ ଓ ବାହାରିନ ମଧ୍ୟ ରହିଛନ୍ତି । ଭାରତର ସ୍ବାଧୀନତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୪ ଅଗଷ୍ଟ ମଧ୍ୟରାତ୍ରୀରେ ଭାରତରୁ ବିଭାଜିତ ହୋଇ ପାକିସ୍ତାନ ସ୍ବାଧୀନ ଦେଶ ଭାବେ ଆତ୍ମପ୍ରକାଶ କିରଥିଲା ।
୯. ଭାରତର ଜାତୀୟ ଗୀତ ବନ୍ଦେ ମାତରମ (National song of india 'Vande Mataram' ) 1880 ରେ ବଙ୍ଗୀମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ବାରା ରଚନା କରାଯାଇଥିଲା । ଏହା ଆନନ୍ଦମଠ ଉପନ୍ୟାସର ଏକ ଅଂଶବିଶେଷ ମଧ୍ୟ । ୧୯୫୦ ଜାନୁଆରୀ ୨୪ ତାରିଖରେ ମଧ୍ୟ ଏହି ସଙ୍ଗୀତକୁ ଜାତୀୟ ଗୀତ ଭାବେ ମାନ୍ୟତା ମିଳିଥିଲା ।
୧୦. ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନ ରାଷ୍ଟ୍ର ଭାବେ ଭାରତୀୟ ଜାତୀୟ କଂଗ୍ରେସକୁ କ୍ଷମତା ହସ୍ତାନ୍ତର କରିବା ସହ ବ୍ରିଟେନ ଫେରିଥିଲା ବ୍ରିଟିଶ ସରକାର । ମଧ୍ୟରାତ୍ରୀରେ ପାଳନ ହୋଇଥିଲା ସ୍ବାଧୀନତା ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁ ମଧ୍ୟରାତ୍ରୀରେ ଐତିହାସିକ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ତାହା ଥିଲା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆନୁଷ୍ଠାନିକ ସମ୍ବୋଧନ । ସକାଳ ହେବା ପୂର୍ବରୁ ସାରା ବିଶ୍ବରେ ଆତ୍ମପ୍ରକାଶ କରି ସାରିଥିଲା ସର୍ବବୃହତ ସାମ୍ବିଧାନିକ ରାଷ୍ଟ୍ର ଭାରତ । ସେବେଠାରୁ ୧୫ ଅଗଷ୍ଟକୁ ସ୍ବାଧୀନତା ଦିବସ ଭାବେ ପାଳନ କାରଯାଇଆସୁଛି । ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କରିବାକୁ ଯାଉଛି ଭାରତ । ଏଥିପାଇଁ ଭବ୍ୟ ଆୟୋଜନ ମଧ୍ୟ ଜାରି ରହିଛି ।