ବେଙ୍ଗାଲୁରୁ: ସ୍ବାଧୀନତା ପାଇଁ ଦେଶରେ ହୋଇଥିବା ଲଢେଇରେ ନା ଯେ କେବଳ ପୁରୁଷ ସାମିଲ ଥିଲେ, ତାହା ନୁହେଁ । ଆମ ଦେଶର ବୀରାଙ୍ଗନା ମହିଳାମାନେ ମଧ୍ୟ ଇଂରେଜଙ୍କୁ ଦେଉଥିଲେ କଡା ଜବାବ । ଧୁରନ୍ଦର ରଣନୀତି କୌଶଳ ଆପଣେଇ ଶତ୍ରୁକୁ ଚଟାଉଥିଲେ ଧୂଳି । ସାହସିକତାର ଲଢି ସେ ଶତ୍ରୁଙ୍କୁ କରୁଥିଲେ ଆତଙ୍କିତ । ଏହି ବୀରାଙ୍ଗନାଙ୍କ ମଧ୍ୟରେ ଥିଲେ କର୍ଣ୍ଣାଟକର କିତ୍ତୁର ରାଣୀ ଚେନ୍ନାମ୍ମା ଓ ଉଲାରର ରାଣୀ ଅବାକ୍କା । ଭାରତରେ ସ୍ବାଧୀନତା ବିରୋଧରେ ଚାଲିଥିବା ଲଢେଇରେ ଏମାନେ ପ୍ରଥମ ମହିଳା ଭାବେ ସାମିଲ ହୋଇଥିଲେ । ଏମାନଙ୍କ ସାହସିକତା ଯୋଗୁଁ ଆଜି ବି ଏମାନେ ରହିଛନ୍ତି ଅମର । ଏମାନେ ଦେଶବାସୀଙ୍କୁ ଇଂରେଜଙ୍କ ଦାସତ୍ବରୁ ଦୂରେଇ ରହିବା ପାଇଁ ଯୋଗାଇଥିଲେ ପ୍ରେରଣା ।
ଚେନ୍ନାମ୍ମା ଦେଶର ପ୍ରଥମ ବୀର ମହିଳା ଥିଲେ, ଯିଏକି ବ୍ରିଟିଶଙ୍କ ବିରୁଦ୍ଧରେ ଲଢିଥିଲେ । ସ୍ବାଧୀନତା ଏବଂ ଆତ୍ମ ସମ୍ମାନର ପ୍ରତିବିମ୍ବ ଥିଲେ ଚେନ୍ନାମା । କାକଟିଆ ଦେଶାଇ ଡୋଲାପ୍ପା ଗୌଡା ଏବଂ ପଦ୍ମାବତୀଙ୍କ ସେ ଏକମାତ୍ର ଝିଅ ଥିଲେ । 1782 ମସିହାରେ କିତ୍ତୁରର ରାଜା ମଲାସର୍ଜାଙ୍କୁ ବିବାହ କରିଥିଲେ ଚେନ୍ନାମ୍ମା । 1816 ମସିହାରେ ମଲାସର୍ଜାଙ୍କ ଦେହାନ୍ତ ପରେ ବଡ ରାଣୀ ରୁଦ୍ରମାଙ୍କ ପୁତ୍ର ଶିବଲିଙ୍ଗସର୍ଜନା ରାଜା ହୋଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର ମଧ୍ୟ ଅକାଳ ବିୟୋଗ ଘଟିଲା । ଏହି ସମୟରେ ଚେନ୍ନାମ୍ମା ରାଜ ସିଂହାସନ ପାଇଁ ଜଣେ ଉତ୍ତରାଧିକାରୀ ଗ୍ରହଣ କଲେ । କିନ୍ତୁ ଏଠାରେ ବ୍ରିଟିଶମାନେ ଡକ୍ଟ୍ରିନ୍ ଅଫ୍ ଲାପ୍ସ ନିୟମକୁ ଲାଗୁ କରି କିତ୍ତୁରକୁ ହଡ଼ପ କରିବା ପାଇଁ ଉଦ୍ୟମ କରିଥିଲେ ।
ନିଜ ପ୍ରଜାଙ୍କୁ ନିଷ୍ଠୁର ଇଂରେଜଙ୍କ କବଳରୁ ରକ୍ଷା କରିବା ପାଇଁ ବିଦ୍ରୋହ ଆରମ୍ଭ କଲେ ଚେନ୍ନାମା । 1824 ଅକ୍ଟୋବର 23ରେ ଧରୱାଡର ବ୍ରିଟିଶ କଲେକ୍ଟର ଜନ୍ ଠାକରେ କିତ୍ତୁର ଅଭିମୁଖେ ଯାଇ କିତ୍ତୁର ଦୁର୍ଗକୁ ଜୋରଜବରଦସ୍ତ ପ୍ରବେଶ କରିବାକୁ ଉଦ୍ୟମ କଲେ । କିନ୍ତୁ ଚେନ୍ନାମ୍ମା ତାଙ୍କ ସୈନ୍ୟବାହିନୀ ଓ ସାଥୀ ସଙ୍ଗୋଲି ରାୟନ୍ନାଙ୍କ ସହ ବ୍ରିଟିଶଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ବିଜୟାଦଶମୀ ଦିନ ଟ୍ରେଜେରୀ ଜବତ କରିବାକୁ ଉଦ୍ୟମ କରୁଥିବା ବେଳେ ଜନ୍ଙ୍କୁ ହତ୍ୟା କରାଗଲା । ଏହାର ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ 23 ଅକ୍ଟୋବରରେ କିତ୍ତୁରରେ ମହୋତ୍ସବ ଅନୁଷ୍ଠିତ ହୁଏ ।
ସେପଟେ ଦ୍ବିତୀୟ ଯୁଦ୍ଧରେ ଚେନ୍ନାମ୍ମା ବ୍ରିଟିଶଙ୍କ ଦ୍ବାରା ପରାସ୍ତ ହୋଇ ଗିରଫ ହୋଇଥିଲେ । ଏହି ସାହସୀ ରାଣୀ ଗରିଲା ରଣକୌଶଳ ସହିତ ଯୁଦ୍ଧ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲେ । ପରେ ରାୟନ୍ନାଙ୍କୁ ଫାଶୀ ଦିଆଗଲା ଏବଂ ଚେନ୍ନାମ୍ମା 1829 ଫେବୃଆରୀ 2ରେ ବିଲାହୋଙ୍ଗାଲା ଜେଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଇଂରେଜ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନକାରୀଙ୍କ ମଧ୍ୟରେ ଆଉ ଜଣେ ଥିଲେ ତୁଲୁନାଡ଼ୁ ଉଲାଲ ଅଞ୍ଚଳର ରାଣୀ ଅବାକ୍କା । ରାଣୀ ଅବାକ୍କା ମୁଦାବିଦ୍ରିର ଚଉଟା ବଂଶଜ ଥିଲେ ଏବଂ ତାଙ୍କର ରାଜଧାନୀ ମାଙ୍ଗାଲୋର ନିକଟ ଉଲାଲରେ ଥିଲା ।
1525 ରୁ 1570 ପର୍ଯ୍ୟନ୍ତ, ଅବାକ୍କା ଉଲାଲର ରାଣୀ ଥିଲେ ଏବଂ ପର୍ତ୍ତୁଗୀଜମାନଙ୍କୁ ଆତଙ୍କିତ କରିଥିଲେ । 1525 ମସିହାରେ ମାଙ୍ଗାଲୋର ବନ୍ଦର ଉପରେ ଆକ୍ରମଣ କରିଥିଲେ ପର୍ତ୍ତୁଗୀଜ । ଉପକୂଳ ଅଞ୍ଚଳର ଚାଉଳ, ଅଦା, ସୋରିଷ, ହଳଦୀ ଗୁଣ୍ଡ ଏବଂ ଚିନାବାଦାମର ୟୁରୋପରେ ବହୁ ଚାହିଦା ଥିଲା ଏବଂ ଉଲାଲ ବନ୍ଦରଟି ରାଣୀ ଅବାକ୍କାଙ୍କ ଅଧୀନରେ ଥିଲା । ପର୍ତ୍ତୁଗୀଜମାନେ ଉଲାଲକୁ ନିଜ ଅଧୀନକୁ ନେବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ଅବାକ୍କା ପର୍ତ୍ତୁଗୀଜଙ୍କ ବିରୁଦ୍ଧରେ ପ୍ରାୟ ୪ ଦଶନ୍ଧି ଧରି ଯୁଦ୍ଧ କଲେ । ବ୍ରିଟିଶଙ୍କ ବିରୁଦ୍ଧରେ 1930 କାନାଡା ବିଦ୍ରୋହ ଓ କୋଟା ବିଦ୍ରୋହ ଦେଇଥିଲା ରାଣୀ ଅବାକ୍କାଙ୍କ ସାହସିକତାର ପରିଚୟ ।
ଅବାକ୍କାଙ୍କ ବିବାହ ରାଜା ମାଙ୍ଗାଲୋରର ଲକ୍ଷ୍ମଅପ୍ପାଙ୍କ ସହ ବହୁ ଦିନ ରହିନଥିଲା । ସେ ଉଲାଲ ଫେରିଆସିଥିଲେ । ଅବାକ୍କାଙ୍କଠୁ ପ୍ରତିଶୋଧ ନେବା ପାଇଁ ପର୍ତ୍ତୁଗୀଜଙ୍କ ସହ ମିଶିଥିଲେ ସେ । ବିଶ୍ବାସଘାତକତାର ଶିକାର ହୋଇ ପରାସ୍ତ ହୋଇ କାରାଗାରରେ ରହିଲେ ଅବାକ୍କା । କିନ୍ତୁ ଜେଲରେ ପୁଣି ଯୁଦ୍ଧ କରି ଶେଷରେ ସେ ପ୍ରାଣ ତ୍ୟାଗ କଲେ । ୟୁରୋପୀୟ ଶକ୍ତି ସମ୍ମୁଖରେ ପର୍ତ୍ତୁଗୀଜଙ୍କ ବିରୁଦ୍ଧରେ ଲଢି ରାଣୀ ବିଜୟୀ ହୋଇଥିଲେ । ପର୍ତ୍ତୁଗୀଜର ରାଜନୈତିକ ଆଶା ପୂରଣରେ ସବୁଠୁ ବଡ ପ୍ରତିବନ୍ଧକ ସାଜିଥିଲେ ଏହି ସାହାସୀ ବୀରାଙ୍ଗନା ।
କିତ୍ତୁରର ଚେନ୍ନାମ୍ମା ଓ ଉଲାଲ ରାଣୀ ଅବାକ୍କାଙ୍କ ନାଁ ଶୁଣିଲେ ଆଜି ବି ଏହି ମାଟି ହୋଇଥାଏ ଗର୍ବିତ, ଯିଏକି ଇଂରେଜ ଶାସନ ବିରୁଦ୍ଧରେ ସାହସିକତାର ସହ ଲଢି ଭାରତୀୟ ନାରୀଙ୍କ ବୀରତ୍ବର ଦେଇଥିଲେ ପ୍ରମାଣ । ତେବେ ଯଦିଓ ସେମାନଙ୍କର ପ୍ରାସାଦ ଏବଂ ଦୁର୍ଗ ମାଟିରେ ମିଶିଯାଇଛି, କିନ୍ତୁ ଏମାନଙ୍କ ସାହସିକତା ଯୁଗ ଯୁଗ ପାଇଁ ରହିଛି ଅମର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ