ଭୋପାଳ: ମଧ୍ୟପ୍ରଦେଶର ଶାହଡୋଲ ମେଡିକାଲ କଲେଜରେ ଅମ୍ଳଜାନ ଅଭାବରୁ ଶନିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଏହି ମେଡିକାଲରେ ଚିକିତ୍ସିତ ହେଉଥିବା 6 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।
ଶାହଡୋଲ ମେଡିକାଲ କଲେଜର ଡିନ୍ ମିଲିନ୍ଦ ଶିରାଲକର କହିଛନ୍ତି ଯେ ମେଡିକାଲକୁ ଟାଙ୍କର ମାଧ୍ୟମରେ ଅକ୍ସିଜେନ ଯୋଗାଣ ହୋଇଥାଏ । ତେବେ ଏହି ବିଦ୍ୟୁତ ମାଧ୍ୟମରେ ସ୍ବୟଂଚାଳିତ ଭାବେ ଟାଙ୍କରରୁ ମେଡିକାଲକୁ ପଠାଯାଇଥାଏ । କିନ୍ତୁ ଅକ୍ସିଜେନ ଆବଶ୍ୟକ କରୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାରୁ ଟାଙ୍କର ଉପରେ ଚାପ ପଡିବା ଦ୍ବାରା ଏହାର ଯୋଗାଣ କମିଯାଇଛି ବୋଲି ସେ କହିଛନ୍ତି । ଏହି ମେଡିକାଲ କଲେଜରେ ଅମ୍ଳଜାନ ଆବଶ୍ୟକ କରୁଥିବା ପ୍ରାୟ 100 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅକ୍ସିଜେନ ଟାଙ୍କର ଉପରେ ଚାପ ପଡୁଥିବା ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଛି ବୋଲି ଶିରାଲକର କହିଛନ୍ତି ।
ତେବେ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିବା 6 ଜଣ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ଅମ୍ଳଜାନ ଅଭାବରୁ ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଜଣାପଡିବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଏହି ମେଡିକାଲରେ ପୂର୍ବରୁ ମଧ୍ୟ ଅମ୍ଳଜାନ ଅଭାବରୁ 2 ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଡିନ ସୂଚନା ଦେଇଛନ୍ତି । ଅନ୍ୟପଟେ ଶାହଡୋଲ ଜିଲ୍ଲାର ଜିଲ୍ଲାପାଳ ମେଡିକାଲରେ 12 ଜଣଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ଡିନଙ୍କ ଅନୁଯାୟୀ 6 ଜଣଙ୍କର ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ