ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆସାମ । ରେକ୍ଟର ସ୍କେଲରେ ଏହାର ତୀବ୍ରତା 6.4 ରେକର୍ଡ କରାଯାଇଛି । ବୁଧବାର ସକାଳ 7ଟା 51 ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ଆସାମର ସୋନିଟପୁର ହୋଇଥିବା ଜଣାପଡିଛି ।
ଅନ୍ୟପଟେ ବିହାରର ବିଭିନ୍ନ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । କାଟିଆର, କିଶନଗଞ୍ଜ ସମେତ ଅନେକ ସ୍ଥାନରେ ଭୂମିକମ୍ପ ସକାଳ ପ୍ରାୟ 7ଟା 51 ସମୟରେ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.7 ରେକର୍ଡ କରାଯାଇଛି । ତେବେ, ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।
ସେପଟେ ଭୂକମ୍ପ ନେଇ ଆସାମର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମକୁ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି ପ୍ରତିଶ୍ରୃତି ଦେଇଛନ୍ତି । ଏହାସହ ଆସାମବାସୀଙ୍କ ସୁରକ୍ଷା କାମନା କରିଛନ୍ତି । ଅନ୍ୟପଟେ, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଏହାସହ ସମସ୍ତଙ୍କ ସୁରକ୍ଷା ମଧ୍ୟ କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ