କୋହିମା: ନାଗାଲାଣ୍ଡ ମୋନ ଜିଲ୍ଲା ଓଟିଙ୍ଗ ଗ୍ରାମରେ ସୁରକ୍ଷାକର୍ମୀଙ୍କ ଭୁଲ ଅପରେସନ ପାଇଁ 14 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆଜି (ସୋମବାର) ଟିଏମସି (TMC)ର ପାଞ୍ଚ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡ ଗସ୍ତ କରି ସମସ୍ତ ମୃତକଙ୍କ ପରିବାରକୁ ଭେଟିବ ।
ଟିମରେ ସାଂସଦ ପ୍ରସନ୍ନ ବାନାର୍ଜୀ, ସୁସ୍ମିତା ଦେବ, ଅପରୁପା ପୋଦ୍ଦାର, ସାନ୍ତୁନ ସେନ ଓ ଦଳର ମୁଖପାତ୍ର ବିଶ୍ବଜିତ ଦେବଙ୍କୁ ନେଇ ଏହି ଦଳ ଗଠନ ହୋଇଛି । ଘଟଣାର ତଦନ୍ତ ପାଇଁ ନାଗାଲାଣ୍ଡ ସରକାର ୫ ଜଣିଆ ଏସଆଇଟି ଗଠନ କରିଛନ୍ତି । ଏ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସେନା ପକ୍ଷରୁ କୋର୍ଟ ଅଫ ଇନକ୍ବାରି ନିର୍ଦ୍ଦେଶ ହୋଇଛି । ହିଂସାକୁ ଦୃଷ୍ଟିରେ ରଖି ମୋନ୍ ଜିଲ୍ଲାରେ କର୍ଫ୍ୟୁ ଜାରି ସହ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି । ଏହି ଦୁଃଖଦ ଘଟଣାରେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଥିଲେ ।
ପ୍ରକାଶ ଥାଉ କି, ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧୀ ଅପରେସନରେ ଭୁଲ୍ ତଥ୍ୟ ମିଳିଥିଲା । ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇ ସୁରକ୍ଷାବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏହି ସମୟରେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ଟ୍ରକ୍ରେ ଘରକୁ ଫେରୁଥିଲେ । ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ଭାବି ସେମାନଙ୍କ ଉପରେ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ (Nagaland Security force firing) । ଏଥିରେ 14 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ