ନୂଆଦିଲ୍ଲୀ: ଚଳିତ ଥର 2021 ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଘୋଷଣା ହୋଇଛି । 32 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରାଯାଇଛି । ନବୋନ୍ମେଷ, ଶୈକ୍ଷଣିକ, ଖେଳ, ସାଂସ୍କୃତିକ, ସାମାଜିକ ସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ କ୍ଷମତା ଓ ଉତ୍କୃଷ୍ଠ ଉପଲବ୍ଧି ପାଇଁ ଏହି ଶିଶୁମାନଙ୍କୁ କରାଯାଇଛି ସମ୍ମାନିତ ।
21 ରାଜ୍ୟ ଓକେନ୍ଦ୍ର ଶାସିତ ଅଞ୍ଚଳର 32 ଜିଲ୍ଲାରୁ ଏହି ଶିଶୁମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ପୁରସ୍କୃତ କରାଯାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ । ତେବେ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ନବୋନ୍ମେଷ ପାଇଁ 9 ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶୈକ୍ଷଣିକ ଉପଲବ୍ଧି ପାଇଁ 5 ଜଣଙ୍କୁ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡା କ୍ଷେତ୍ରେରେ 7 ଜଣ, ସାହସିକତା କ୍ଷେତ୍ରରେ 3 ଜଣ ଏବଂ ସମାଜ ସେବା କ୍ଷେତ୍ରରେ ଜଣଙ୍କୁ ପୁରସ୍କୃତ କରାଯାଇଛି ।
ପୁରସ୍କୃତ ଶିଶୁଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ସନ୍ଦେଶରେ କହିଛନ୍ତି, ମୋର ଆଶା ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରଷ୍କାର 2021 କେବଳ ବିଜେତାଙ୍କୁ ପ୍ରେରିତ କରିବ ନାହିଁ, ବରଂ ଅନ୍ୟ ଶିଶୁଙ୍କୁ ନିଜ ସ୍ବପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରୋତ୍ସାହିତ କରିବ । ସେପଟେ ପୁରସ୍କୃତ ଶିଶୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଲୋଚନା କରିବେ ବୋଲି ଜଣାପଡିଛି ।