ଚେନ୍ନାଇ: ତାମିଲନାଡୁର ଆଇଡଲ ୱିଙ୍ଗ୍ସ CID ( ଅପରାଧ ଅନୁସନ୍ଧାନ ବିଭାଗ) 300 ବର୍ଷ ପୁରୁଣା ନିଖୋଜ ତାମିଲ ବାଇବେଲକୁ ଖୋଜି ବାହାର କରିଛନ୍ତି । ଲଣ୍ଡନର କିଙ୍ଗ କଲେକ୍ସନରେ ଏହି ବାଇବେଲ ଥିବା ଦେଖିବାକୁ ମିଳିଛି । 1715 ମସିହାରେ ଜର୍ମାନ ମିଶନାରୀ ବାର୍ଥୋଲୋମିୟସ ଜିଗେନବାଲଗଙ୍କ ଦ୍ବାରା ନୂତନ ନିୟମର ଅନୁବାଦ କରାଯାଇଥିଲା ।
1706 ମସିହାରେ ବାର୍ଥୋଲୋମିୟସ ତାମିଲନାଡୁର ନାଗାପାଟ୍ଟିନମ ଜିଲ୍ଲାକୁ ଆସି ପ୍ରିଣ୍ଟିଂ ପ୍ରେସ ଆରମ୍ଭ କରିଥିଲେ । ସେ ଭାରତୀୟ ଧର୍ମ ଓ ସଂସ୍କୃତି ଉପରେ ତାମିଲ ଭାଷାରେ ପୁସ୍ତକ ପ୍ରକାଶନ କରିଥିଲେ । ଏଥିସହ ବାଇବେଲର ପ୍ରଥମ ତାମିଲ ଅନୁବାଦ ମଧ୍ୟ ବାର୍ଥୋଲୋମିୟସ କରିଥିବା କୁହାଯାଇଛି । 1917ରେ ତାଙ୍କ ଦେହାନ୍ତ ପରେ ବାଇବେଲର ପ୍ରଥମ ପୁସ୍ତକ ଥାଞ୍ଜାଭୁର ରାଜା ସର୍ଫୋଜିଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଥାଞ୍ଜାଭୁରର ସତସ୍ବତୀ ମହଲ ସଂଗ୍ରହାଳୟରେ ପ୍ରଦର୍ଶନୀ କରାଗଲା । 10 ଅକ୍ଟୋବର 2005ରେ ସଂଗ୍ରହାଳୟରୁ ବାଇବେଲ ନିଖୋଜ ହୋଇଯିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ଏହା ଅନୁସନ୍ଧାନଯୋଗ୍ୟ ନୁହେଁ ବୋଲି ଦର୍ଶାଇ ମାମଲା ବନ୍ଦ କରାଯାଇଥିଲା ସେହି ସମୟରେ ।
ତେବେ 2017ରେ ଆଇଡଲ ୱିଙ୍ଗ CID ସର୍ବପୁରାତନ ବାଇବେଲ ଖୋଜିବାକୁ ଅଭିଯାନ ଆରମ୍ଭ କଲା । 2005 ମସିହାରେ ସର୍ଫୋଜିଙ୍କ ଶତବାର୍ଷିକୀ କାର୍ଯ୍ୟକ୍ରମରେ ବୈଦେଶିକଙ୍କ ପରିଦର୍ଶନ ସମୟରେ ବାଇବେଲଟି ନିଖୋଜ ହୋଇଥିବା ଅନୁସନ୍ଧାନ ବିଭାଗ ଜାଣିବାକୁ ପାଇଥିଲା । ଏହାପରେ ଲଣ୍ଡର ସଂଗ୍ରହାଳୟର ୱେବସାଇଟ ଯାଞ୍ଚ କରିଥିଲା ଏବଂ ବାଇବେଲ ଉକ୍ତ ସଂଗ୍ରହାଳୟ ୱେବସାଇଟରେ ମିଳିଥିଲା । ଏହାକୁ ନେଇ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ