ଗାନ୍ଧୀନଗର: ଗୁଜରାଟରେ ପହଞ୍ଚିଛି ଫ୍ରାନ୍ସରୁ ଆସିଥିବା ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଏଥିସହିତ ଦେଶରେ ରାଫେଲ ଯୁଦ୍ଧ ବିମାନ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଫ୍ରାନ୍ସଠୁ ମୋଟ ୩୬ଟି ରାଫେଲ ବିମାନ କିଣିବାକୁ ଭାରତ ଚୁକ୍ତି କରିଛି ।
ଫ୍ରାନ୍ସରେ ୨୧ଟି ବିମାନ ଭାରତକୁ ହସ୍ତାନ୍ତର ହୋଇସାରିଛି । ସେଥିମଧ୍ୟରୁ ଭାରତରେ ପହଞ୍ଚିଛି ୧୪ଟି ରାଫେଲ ।
ଏହାପୂର୍ବରୁ ଖୁବ ଶୀଘ୍ର ଭାରତକୁ ଆଉ 10 ରାଫେଲ ଯୁଦ୍ଧ ବିମାନ ମିଳିବା ନେଇ ରିପୋର୍ଟରୁ ଜଣାପଡିଥିଲା । ଏଥିମଧ୍ୟରୁ 3ଟି ରାଫେଲ ବୁଧବାର ଭାରତରେ ପହଞ୍ଚିଛି । ଅନ୍ୟପକ୍ଷେ ବାକି 7ଟି ବିମାନ ଓ ଏଗୁଡିକର ଟ୍ରେନର ଭର୍ସନ ଏପ୍ରିଲରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାସହିତ ଭାରତରେ ରାଫେଲ ବିମାନର ସଂଖ୍ୟା 21 ହୋଇଯିବ ।
ଏହାପୂର୍ବରୁ ଭାରତରେ ପହଞ୍ଚିସାରିଥିବା 11 ରାଫେଲ ବିମାନ ଅମ୍ବାଲା ଏୟାରବେସରେ ମୁତୟନ ହୋଇଛି । ବୁଧବାର ପହଞ୍ଚିଥିବା ରାଫେଲ ଗୁଜୁରାଟରେ ଅବତରଣ କରିଛି ।
ରାଫେଲ ଯୁଦ୍ଧବିମାନର ଭାରତୀୟ ବାୟୁସେନାରେ ସାମିଲ ହେବା ପ୍ରକ୍ରିୟା ଗତ ବର୍ଷ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇଥିଲା। ଚୀନ ସହ ତିକ୍ତତା ସମୟରେ ଫରୱାର୍ଡ ଫ୍ରଣ୍ଟକୁ ପାଟ୍ରୋଲିଂ କରିବା ପାଇଁ ପୂର୍ବ ଲଦାଖରେ ରାଫେଲ ଯୁଦ୍ଧ ବିମାନ ମଧ୍ୟ ମୁତୟନ କରାଯାଇଥିଲା। ସେପ୍ଟେମ୍ବର 2016 ରେ ଫ୍ରାନ୍ସ ସହିତ 36ଟି ଯୁଦ୍ଧ ବିମାନ ପାଇଁ ଭାରତ ଚୁକ୍ତି କରିଥିଲା ।