ଶ୍ରୀଗନର: ଗତକାଲି (ସୋମବାର) ରାତିରେ ସୀମା ସୁରକ୍ଷା ବଳ (BSF)କୁ ବଡ ସଫଳତା । କାଶ୍ମୀରର କାନାଚାକ୍ ଅଞ୍ଚଳରେ ଏକ ଡ୍ରୋନକୁ ଗୁଳି କରି ଖସାଇବା ପରେ ସେଥିରୁ 3ଟି IED ଜବତ କରାଯାଇଛି ।IED ଜବତ ହେବା ପରେ ଉକ୍ତ ବିସ୍ଫୋରକ ସାମଗ୍ରୀକୁ SOP ଅନୁସାରେ ସେନା ସୁରକ୍ଷିତ ସ୍ଥାନକୁ ନେଇ ନିଷ୍କ୍ରିୟ ମଧ୍ୟ କରିଛି ।
ସୂଚନା ଅନୁସାରେ, ରାତି ପାଟ୍ରୋଲିଂ ଦାୟିତ୍ବରେ ଥିବା ସୀମା ସୁରକ୍ଷା ବଳର ପାର୍ଟି ରାତି ପ୍ରାୟ 11ଟା ସମୟରେ କାନାଚାକ ଡାୟରାନ୍ ଅଞ୍ଚଳରେ ଏକ ଡ୍ରୋନ ଗତିବିଧି ନେଇ ସୂଚନା ପାଇଥିଲେ । ପରେ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା । ସେଥିରେ 3 ଟିଫିନ୍ ବାକ୍ସ ଭିତରେ ପ୍ୟାକ୍ ହୋଇଥିବା ତିନୋଟି ଚୁମ୍ବକୀୟ IED ଜବତ କରାଯାଇଥିଲା ।
ସବୁଠୁ ବଡ କଥା ହେଉଛି, ଉକ୍ତ ବିସ୍ଫୋରକରେ ବିସ୍ଫୋରଣ ପାଇଁ ଟାଇମ ମଧ୍ୟ ଦିଆସାରିଥିଲା । ତୁରନ୍ତ BSF ପକ୍ଷରୁ SOP ମୁତାବକ ଏହାକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଛି । ସୁରକ୍ଷା ବଳର ତତ୍ପରତା ପାଇଁ କୌଣସି ଏକ ବଡ ଧରଣର ବିସ୍ଫୋରଣକୁ ଟାଳିବା ସମ୍ଭବ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ