କୋଲକାତା: ଅବହେଳିତ ଅବସ୍ଥାରେ ମମତା ବାନାର୍ଜୀଙ୍କ ସ୍ୱପ୍ନର ପ୍ରକଳ୍ପ ବେଙ୍ଗଲ ସଫାରୀ ପାର୍କ(Bengal Safari Park) । ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରାଣ ହରାଉଛନ୍ତି ଗୋଟିଏ ପରେ ଗୋଟିଏ ପଶୁ । ଗତ ଦୁଇ ମାସ ମଧ୍ୟରେ 27 ଟି ହରିଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫଳରେ ପାର୍କରେ ହରିଣଙ୍କ ସଂଖ୍ୟା ହ୍ରାସ ପାଇଥିବା ଅଭିଯୋଗ ହୋଇଛି । ହରିଣମାନେ ଏନକ୍ଲୋଜର ବାହାରେ ଅଳିଆ ଖାଉଥିବା ଦେଖିବାକୁ ମିଳିଥିଲା । ଏପରି ଘଟଣା ସାମ୍ନାକୁ ଆସିବା ପେର ପଶୁ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ସଫାରୀ ପାର୍କ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ପଶୁ ପ୍ରେମୀ । ଏ ଘଟଣା ନେଇ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ କହିଛନ୍ତି ଯେ, ଖୁବଶିଘ୍ର ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପଶୁ ସୁରକ୍ଷା ଫାଉଣ୍ଡେସନର ସମ୍ପାଦକ କଉସ୍ତୁବ ଚୌଧୁରୀ କହିଛନ୍ତି ଯେ, ''ବେଙ୍ଗଲ ସଫାରୀ ପାର୍କ ଅନେକ ମାସ ହେବ ଅବହେଳିତ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହୋଇ ଆସୁଛି । ନିକଟରେ ଏକ କଙ୍ଗାରୁଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ହରିଣ ଏନକ୍ଲୋଜର ଭାଙ୍ଗି ଯାଇଛି, ୱାଚ ଟାୱାରଟି ଖରାପ ଅବସ୍ଥାରେ ରହିଛି । ସବୁଠାରୁ ବଡ କଥା ହେଉଛି ହରିଣ ମାନେ ଏନକ୍ଲୋଜର ବାହରୁ ଆସୁଛନ୍ତି, କିନ୍ତୁ ଏନେଇ ଅଧିକାରୀ ମାନେ ଉଦାସୀନ ମନୋଭାବ ପୋଷଣ କରିଛନ୍ତି । ଯଦି ପାର୍କ ବାହାରକୁ ହରିଣ ମାନେ ଯାଆନ୍ତି ତେବେ ସେମାନଙ୍କୁ ଶିକାରୀ ମାନେ ହତ୍ୟା କରି ଚୋରାଚାଲାଣ ଆରମ୍ଭ କରିଦେବେ । ତେଣୁ ଏଥଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି କରୁଛୁ'' ।
ଜଙ୍ଗଲ ବିଭାଗ ସୂଚନା ଅନୁଯାୟୀ, 2016ରେ ବେଙ୍ଗଲ ସଫାରୀ ପାର୍କ ଉଦଘାଟନ ସମୟରେ ପ୍ରାୟ 450ଟି ହରିଣକୁ ଏନକ୍ଲୋଜରରେ ଛାଡି ଦିଆଯାଇଥିଲା । ହରିଣ ଗୁଡିକୁ ରାଇଗଞ୍ଜର ଆଦିନା ପାର୍କରୁ, ଖରାଗପୁରର ହିଜଲି ଏବଂ ଶାନ୍ତି ନିକେତନର ବଲାଭପୁରରୁ ବେଙ୍ଗଲ ସଫାରୀ ପାର୍କକୁ ଅଣାଯାଇଥିଲା । ପରେ ହରିଣ ସଂଖ୍ୟା ବୃଦ୍ଧି ପାଇ ଦ୍ୱିଗୁଣିତ ହୋଇଥିଲା ।2018-19 ରେ ପ୍ରାୟ 50 ହରିଣ ସ୍ଥାନାନ୍ତର କରାଯାଇଥିଲେ । କିନ୍ତୁ 2022 ମସିହାରେ ହରିଣ ସଂଖ୍ୟା 250କୁ ହ୍ରାସ ପାଇଛି ।