ନୂଆଦିଲ୍ଲୀ: ଦେଶରେ ଆଧାର (Aadhaar adoption and usage by residents) ଲାଗୁ ହେବା ପରେ ସାଧାରଣ ନାଗରିକଙ୍କ ମଧ୍ୟରେ ଏହାର ବ୍ୟବହାର ବୃଦ୍ଧି ପାଇବାରା ଲାଗିଛି । ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ ସହାୟକ ହୋଇଛି । କେବଳ ଗତ ସେପ୍ଟେମ୍ବର ମାସରେ, ଆଧାର ଉପଯୋଗ କରାଯାଇ ୨୫.୨୫ କୋଟି ଇ-କେୱାଇସି କାରବାର ହୋଇଛି । ଅଗଷ୍ଟ ତୁଳନାରେ ଏହି କାରବାରରେ ପ୍ରାୟ ୭.୭% ବୃଦ୍ଧି ପାଇଛି ।
କେବଳ ଆଧାର କାର୍ଡଧାରୀଙ୍କର ସ୍ପଷ୍ଟ ସହମତି ମିଳିଲେ ଏକ ଇ-କେୱାଇସି କାରବାର ସମ୍ପୂର୍ଣ୍ଣ ହୋଇଥାଏ । ଏଥିରେ କେୱାଇସି ପାଇଁ ଭୌତିକ କାଗଜପତ୍ର କାର୍ଯ୍ୟ କିମ୍ବା ବ୍ୟକ୍ତିଗତ ଯାଞ୍ଚ ଦରକାର ପଡିନଥାଏ । ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସେବା ପାଇଁ ଆଧାର ଇ-କେୱାଇସି ସେବା ଦିନକୁ ଦିନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାରେ ଲାଗିଛି । ଏହା ଗ୍ରାହକମାନଙ୍କୁ ଉନ୍ନତ ଏବଂ ପାରଦର୍ଶୀ ସେବା ପ୍ରଦାନ କରିବା ସହିତ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେଉଛି ।
ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ଆଧାର ଜରିଆରେ ଇ-କେୱାଇସି କାରବାର ବା ଟ୍ରାଞ୍ଜାକ୍ସନ ସଂଖ୍ୟା ୧୨୯୭.୯୩ କୋଟିକୁ ବୃଦ୍ଧି ପାଇଛି । ସେହିପରି, ଆଧାର ସଂଯୁକ୍ତ ପେମେଣ୍ଟ ବ୍ୟବସ୍ଥା (Aadhaar Enabled Payment System ) ଆୟ ବର୍ଗର ସବୁଠୁ ନିମ୍ନ ଭାଗରେ ରହୁଥିବା ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ସହାୟକ ହୋଇଛି ।
ଏଇପିଏସ ଏବଂ ମାଇକ୍ରୋ ଏଟିଏମ ନେଟୱର୍କ ଜରିଆରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ମୋଟ ୧୫୪୯.୮୪ କୋଟି ଅନ୍ତିମ ଧାଡ଼ିର ବ୍ୟାଙ୍କିଙ୍ଗ କାରବାର ସମ୍ଭବ ହୋଇପାରିଛି । କେବଳ ସେପ୍ଟେମ୍ବର ମାସରେ ସାରା ଭାରତରେ ମୋଟ ୨୧.୦୩ କୋଟି ସଂଖ୍ୟକ ଏଇପିଏସ କାରବାର ହୋଇଛି । ଆଧାର ଜରିଆରେ ସେପ୍ଟେମ୍ବର ମାସରେ, ୧୭୫.୪୧ କୋଟି ପ୍ରମାଣିକରଣ ବା ଅଥେଣ୍ଟିକେସନ କାରବାର ହୋଇଛି। ଏହି ମାସିକ କାରବାର ମଧ୍ୟରୁ ଅଧିକାଂଶ କାରବାର ଟିପ ଚିହ୍ନ ବାୟୋମେଟ୍ରିକ ପ୍ରମାଣିକରଣ ବ୍ୟବହାର କରି କରାଯାଇଛି ।
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୋଟ ୮୨୫୦.୩୬ କୋଟି ପ୍ରମାଣିକରଣ କାରବାର ସମ୍ପୂର୍ଣ୍ଣ ହୋଇଛି । ଏହା ଆଧାର ବ୍ୟବସ୍ଥାର ବିଶ୍ବସନୀୟତାକୁ ପ୍ରମାଣ କରୁଛି । ଦେଶର ପ୍ରାପ୍ତ ବୟସ୍କ ଜନସଂଖ୍ୟା ମଧ୍ୟରେ ଆଧାର ସେଚୁରେସନ ବା ସମ୍ପୂର୍ଣ୍ଣତା ପ୍ରାୟ ସାର୍ବଜନୀନ ହେବା ନିକଟରେ ପହଞ୍ଚିଛି । ସବୁ ବୟସ ବର୍ଗଙ୍କ ମଧ୍ୟରେ, ସେପ୍ଟେମ୍ବର ଶେଷ ସୁଦ୍ଧା ଆଧାର ସେଚୁରେସନ ୯୩.୯୨%ରେ ପହଞ୍ଚିଛି ।
ଉତ୍ତମ ପ୍ରଶାସନ ପାଇଁ ଏକ ଡିଜିଟାଲ ଭିତ୍ତିଭୂମି ଭାବେ, ଆଧାର ଉଭୟ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣକୁ ପ୍ରୋତ୍ସାହନ ଦେଉଛି । ଏହି ଡିଜିଟାଲ ପରିଚୟପତ୍ର କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ଦକ୍ଷତାରେ ସୁଧାର ଆଣିବା, ପାରଦର୍ଶିତା ସୁନିଶ୍ଚିତ କରିବା ଏବଂ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ କଲ୍ୟାଣମୂଳକ ସେବା ପହଞ୍ଚାଇବା କ୍ଷେତ୍ରରେ ସହାୟକ ହେଉଛି । ଏବେ ସୁଦ୍ଧା, ଦେଶରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରାୟ ୧୦୦୦ କଲ୍ୟାଣମୂଳକ ଯୋଜନାରେ ଆଧାର ବ୍ୟବହାର ହେଉଛି ।