ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ଆଣିବା ପାଇଁ ୟୁକ୍ରେନ ଯାଇଥିବା ଏୟାର ଇଣ୍ଡିଆର ବି-୭୮୭ ବିମାନ ରାତି ପ୍ରାୟ ୧୦ଟା ୪୫ ମିନିଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅବତରଣ କରିଛି । ବିମାନ ଯୋଗେ ୨୪୨ ଭାରତୀୟ ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ।
ଭାରତ ପକ୍ଷରୁ ପଠାଯାଇଥିବା ଏହି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନ ରାଜଧାନୀ କିବରୁ ମଙ୍ଗଳବାର ସନ୍ଧ୍ୟା 7.30ଟା ସମୟରେ ଉଡ଼ାଣ ଭରିଥିଲା । ଏୟାର ଇଣ୍ଡିଆର ବୋଇଙ୍ଗ-787 ବିମାନରେ ୨୪୨ ଯାତ୍ରୀ ଭାରତ ଫେରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବା ସହ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଯୁଦ୍ଧ ପରିସ୍ଥିତି ଉଗ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ବିଭିନ୍ନ ଦେଶ ୟୁକ୍ରେନରେ ଥିବା ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଥିବା ବେଳେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ବ୍ଯାପକ କରିଛନ୍ତି ।
ଭାରତ ମଧ୍ୟ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ମଙ୍ଗଳବାର ୟୁକ୍ରେନ ଅଭିମୁଖେ ଉଡାଣ ଭରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ