ବେଙ୍ଗାଲୁରୁ: ଝିଅମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି । 17 ବର୍ଷୀୟ ଜଣେ କଲେଜ ଛାତ୍ରୀଙ୍କୁ ସିନେମା ଷ୍ଟାଇଲରେ ପ୍ରଥମେ ଛୁରାମାଡ଼ ଓ ପରେ ଅପହରଣ । ଏହାପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତିକଲା ନିଜେ ଅଭିଯୁକ୍ତ । ତେବେ ଏକତରଫା ପ୍ରେମ ପାଇଁ ଏଭଳି କାଣ୍ଡ ଘଟାଇ ଥିବା ପେଲିସ ତଦନ୍ତରୁ ଜଣା ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର କନକପୁର ଜିଲ୍ଲାରେ ।
ପୋଲିସର ସୂଚନା ଅନୁସାରେ, କର୍ଣ୍ଣାଟକ କନକପୁର ଜିଲ୍ଲା ରାମନଗର ଅଞ୍ଚଳର ଜଣେ 17 ବର୍ଷୀୟ କଲେଜ ଛାତ୍ରୀ ପ୍ରତିଦିନ ଭଳି ସାଙ୍ଗମାନଙ୍କ ସହ କଲେଜ ଯାଇଥିଲେ। ତେବେ କଲେଜରୁ ପରୀକ୍ଷା ଦେଇ ଫେରୁଥିବା ବେଳେ ହଠାତ ଜଣେ ଯୁବକ ଏକ କାରରେ ଆସି ଛାତ୍ରୀଙ୍କ ନିକଟରେ ଅଟକିଥିଲେ । ଏହାପରେ କିଛି ବୁଝିବା ଆଗରୁ ଯୁବକ ଜଣଙ୍କ ଛାତ୍ରୀ ଜଣଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା । ତେବେ ଛୁରାମାଡ଼ କରିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଛାତ୍ରୀ ଜଣଙ୍କୁ ଅଭିଯୁକ୍ତ ଜଣଙ୍କ କାର ଭିତରକୁ ଟାଣିନେଇ ସେଠାରୁ ଅପହରଣ କରିନେଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ନାବାଳକ ଛୁରା ମାଡରେ ନାବାଳିକା ଗୁରୁତର, ଆକ୍ରମଣର କାରଣ ଅସ୍ପଷ୍ଟ
ଘଟଣାସ୍ଥଳରେ ଥିବା ଲୋକ ଯୁବକ ଜଣକୁ ଅଟକାଇବା ପାଇଁ କାର ଉପରକୁ ପଥର ଫିଙ୍ଗିଥିଲେ। ତେବେ ଅଭିଯୁକ୍ତ ଯୁବକ ଜଣକ ନଅଟକି ଛାତ୍ରୀଙ୍କୁ କାରରେ ଅପହରଣ କରି ନେଇଥିଲା । ତେବେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଘଟଣା ବିଷୟରେ ଜାଣିବା ପରେ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା। ଏହା ପରେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା କାରକୁ ରାମକ୍ରିଷ୍ଣ ହସ୍ପିଟାଲ ନିକଟରେ ଠାବ କରିଥିଲା ପୋଲିସ।
ତେବେ ଅପହରଣ କରିବା ପରେ ଯୁବକ ଜଣଙ୍କ ସେହି କାରରେ ଛତ୍ରୀଙ୍କୁ ଏକ ଡାକ୍ତରଖାନା ନେଇଥିଲେ । ସେଠାରେ ଛାତ୍ରୀ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ଯୁବକ ମଧ୍ୟ ଡାକ୍ତରଖାନାରେ ଥିଲା। ତେବେ ଉଭୟ ଅଭିଯୁକ୍ତ ଯୁବକ ଏବଂ ଛାତ୍ରୀ ସମାନ ଅଞ୍ଚଳର ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ଯୁବକ ଜଣଙ୍କ ଛାତ୍ରୀ ଜଣଙ୍କୁ ଏକତରଫା ଭଲ ପାଉଥିଲା, କିନ୍ତୁ ଛାତ୍ରୀ ଜଣକ ଏଥିରେ ସହମତି ନଥିଲେ । ଯୁବକ ଜଣଙ୍କ ଏଥିରେ ଉତକ୍ଷୀପ୍ତ ହୋଇ ଛାତ୍ରୀଙ୍କୁ ଛୁରାମାଡ କରିବା ସହ ଅପହରଣ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ସେପଟେ ଛାତ୍ରୀ ଜଣକ ବର୍ତ୍ତମାନ ସୁସ୍ଥ ଥିବା କହିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ