ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଭାରତ ଓ ଚୀନ ମଧ୍ୟରେ ବସିବ ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ । ଦୁଇ ଦେଶର ସୈନ୍ୟ କମାଣ୍ଡର ଆଗାମୀ ପର୍ଯ୍ୟାୟ ଡିସଏନଗେଜମେଣ୍ଟ ଉପରେ କରିବେ ଆଲୋଚନା । ଏଲଏସିର ମାଲଡୋରେ ହେବ ଏହି ହୈଠକ ।
ଆଜି (ଶନିବାର) ସକାଳେ ହେବାକୁଯାଉଥିବା ଏହି ବୈଠକରେ ପୂର୍ବ ଲଦାଖ ସୀମାକୁ ଲାଗିଥିବା ଏଲଏସିର ଗୋଗରା ଓ ହଟ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହେବ । ଜାନୁଆରୀରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଦୁଇ ଦେଶର ସେନାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି ।
ବର୍ତ୍ତମାନସୁଦ୍ଧା ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ପୋଙ୍ଗୟାଙ୍ଗ ହ୍ରଦ ଓ ଫିଙ୍ଗର ଅଞ୍ଚଳରେ ଉଭୟ ପକ୍ଷର ସେନା ନିଜ ନିଜ ଯବାନମାନଙ୍କୁ ପଛକୁ ହଟାଇଦେଇଥିଲେ । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ପୂର୍ବ ଲଦାଖକୁ ଲାଗି ଏଲଏସିର ଅନେକ ଅଞ୍ଚଳରେ ବିବାଦ ରହିଛି । ଗୋଗରା ଓ ହଟସ୍ପ୍ରିଙ୍ଗ ମଧ୍ୟ ବିବାଦିତ ଅଞ୍ଚଳର ଅଂଶ ରହିଛି ।
ଗତ ବୈଠକରେ ଚୀନ ପାଙ୍ଗୋଙ୍ଗ ଅଞ୍ଚଳ ଛାଡି ଅନ୍ୟ ଅଞ୍ଚଳରେ ବିବାଦକୁ ଖଣ୍ଡନ କରିଥିଲା । ହେଲେ ଚଳିତ ମାସ ଭାରତ ଓ ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସୈନ୍ୟ କମାଣ୍ଡରସ୍ତରୀୟ ଆଲୋଚନା ନେଇ ସହମତି ପ୍ରକାଶ ପାଇଥିଲା ।
ନିକଟରେ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ସାକ୍ଷାତ କରିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ଉପରେ ପାଖାପାଖି ଘଣ୍ଟାଏ ଧରି ଚାଲିଥିଲା ଏହି ବୈଠକ । ଆଲୋଚନାରେ ଏସ ଜୟଶଙ୍କର କହିଥିଲେ ଯେ ସ୍ଥିତିରେ ଏକପାଖିଆ ପରିବର୍ତ୍ତନ ଗ୍ରହଣୀୟ ନୁହେଁ । ସମ୍ପର୍କର ବିକାଶ ପାଇଁ, ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସମନ୍ବୟ ରକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ ଜୟଶଙ୍କର ।