ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜ୍ଜଫରନଗରରେ ହିନ୍ଦୁ ଧର୍ମ ଗ୍ରହଣ କଲେ ମୁସଲିମ ପରିବାର । ଶନିବାର ୟଶବୀର ଆଶ୍ରମର ଆଚାର୍ଯ୍ୟ ମ୍ରିଗେନ୍ଦ୍ର ସିଂ ପ୍ରାୟ 70 ଜଣ ମୁସଲମାନ ଧର୍ମାବଲମ୍ବୀଙ୍କ ଧର୍ମ ପରିବର୍ତ୍ତନ କରାଇଥିବା କହିଛନ୍ତି । 10ଟି ମୁସଲିମ ପରିବାରର 70 ଜଣ ସଦସ୍ୟ ସ୍ବଇଚ୍ଛାରେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ବେଳେ ଗତ ଦେଢ ବର୍ଷ ମଧ୍ୟରେ 1100 ମୁସଲିମ ସନାତନ ଧର୍ମ ଗ୍ରହଣ କରିଥିବା ଆଚାର୍ଯ୍ୟ ମ୍ରିଗେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
ଏନେଇ ଯଶବୀର ଆଶ୍ରମରେ 'ଘର ୱାପସି' ନାମରେ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ମୁସଲିମ ଧର୍ମାବଲମ୍ବୀଙ୍କ ପରିବାରର ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଆଚାର୍ଯ୍ୟ ମ୍ରିଗେନ୍ଦ୍ର କହିଛନ୍ତି, " ଭାରତରେ ଯେଉଁ ମୁସଲିମ ଧର୍ମାବଲମ୍ବୀ ବାସ କରୁଛନ୍ତି, ସେମାନଙ୍କ ମୂଳଧର୍ମ ହେଉଛି ହିନ୍ଦୁ । ଏପରିକି ସେମାନଙ୍କ ପୂର୍ବ ପୁରୁଷ ମଧ୍ୟ ହିନ୍ଦୁ । ଏମାନଙ୍କୁ ଭୟ ଦେଖାଇ ଜୋରଜବରଦସ୍ତ ମୁସଲିମ ଧର୍ମ ଗ୍ରହଣ କରିବା ଲାଗି ବାଧ୍ୟ କରାଯାଇଛି । ଏବେ ସେମାନେ ନିଜ ମୂଳ ଧର୍ମକୁ ଫେରିଛନ୍ତି । ଏଥିଲାଗି ଆଶ୍ରମରେ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପବିତ୍ର ମନ୍ତ୍ରପାଠ କରାଯିବା ସହ ଯଜ୍ଞ କରାଯାଇ ଏମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । "
ଏହା ବି ପଢନ୍ତୁ- Religion Conversion for Marriage: ବାପା ହୋଇଥିଲା ହିନ୍ଦୁରୁ ମୁସଲିମ, ପୁଅ ହେଲା ହିନ୍ଦୁ
ଯଶବୀର ଆଶ୍ରମର ଯୋଗ ସାଧନ ଠାରେ 10ଟି ମୁସଲିମ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏହି ପରିବାର ମୁଜ୍ଜଫରନଗର ବାଘ୍ରା ବ୍ଲକର ଅଧିବାସୀ । ଏହି ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିବା ଲାଗି ଆଶ୍ରମକୁ ସୂଚିତ କରିବା ପରେ ସେମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ପୂର୍ବରୁ ଯୋଗୀ ମୁସଲିମ ଥିବା ବେଳେ ଏବେ ହିନ୍ଦୁ ଯୋଗୀ ପାଲଟିଛନ୍ତି । ଏହାସହିତ ସେମାନଙ୍କୁ ହିନ୍ଦୁ ନାମକରଣ ମଧ୍ୟ କରାଯାଇଛି । ଏହି ପରିବାର ବର୍ଗ ନିଜ ପୂର୍ବପୁରୁଷଙ୍କ ଧର୍ମକୁ ଫେରିବା ପରେ ଖୁସିବ୍ୟକ୍ତ କରିଥିବା ଆଚାର୍ଯ୍ୟ ମ୍ରିଗେନ୍ଦ୍ର କହିଛନ୍ତି ।
ଭୟଭୀତ ହୋଇ ମୁସଲିମ ଧର୍ମ ଗ୍ରହଣ କରିଥିବା ହିନ୍ଦୁମାନଙ୍କୁ ସେମାନଙ୍କ ମୂଳ ଧର୍ମକୁ ଫେରାଇ ଆଣିବା ଲାଗି 'ଘର ୱାପସି' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କୁହାଯାଉଛି ଯେ ଗତ 10 ବର୍ଷ ପୂର୍ବେ ଏହି 10ଟି ପରିବାର ବର୍ଗଙ୍କୁ ଜୋରଜବରଦସ୍ତ ଜଣେ ମୌଲବି ଇସଲାମ ଧର୍ମ ଗ୍ରହଣ କରିବା ଲାଗି ବାଧ୍ୟ କରିଥିଲେ । ମୁସଲିମ ଧର୍ମ ଗ୍ରହଣ କଲେ ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଥିଲା ।