ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି ମହାମାରୀ କୋରୋନା । ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହୋଇପଡିଥିବାରୁ ରାଜ୍ୟ ସରକାରମାନେ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଦେଶର ପ୍ରାୟ ୧୧ଟି ରାଜ୍ୟରେ ବର୍ତ୍ତମାନ ଦ୍ରୁତ ଗତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ରାଜୀବ ଗୌବା ଶୁକ୍ରବାର ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଡିଜିପି ଏବଂ ସ୍ବାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।
ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଏହି ସ୍ଥାନମାନଙ୍କରେ ଗତ ୧୪ ଦିନ ମଧ୍ୟରେ କୋଭିଡ୍ ସଂକ୍ରମଣ ମୋଟ ମାମଲାର ୯୦ ପ୍ରତିଶତ ରହିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 89 ହଜାର କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୯ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବଦିନ ତୁଳନାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ କୋରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଟପିଛି ।
ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯କୁ ଅଧିକ ରହିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୧୪୬୯୬ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬,୮୭,୮୯,୧୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ସୂଚନାଯୋଗ୍ୟ, ଗତ ଦୁଇ ଦିନ ହେବ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି ।