ମୁଖ ଦୁର୍ଗନ୍ଧ ଦୂର ପାଇଁ ୧୦ଟି ଘରୋଇ ଉପାୟ ମୌଖିକ ସ୍ୱଚ୍ଛତା ପାଇଁ ଦିନକୁ ଦୁଇ ଥର ବ୍ରସିଂ ଓ ଫ୍ଲସିଂ କରିବା ଭଲ ଉପାୟ ବୋଲି କୁହାଯାଏ । କିନ୍ତୁ ଉପଯୁକ୍ତ ମୌଖିକ ସ୍ୱଚ୍ଛତା ନ ଥିଲେ ଦୁର୍ଗନ୍ଧ ବାହାରେ । ବେଳେ ବେଳେ ଏହି ମୁଖ ଦୁର୍ଗନ୍ଧ ଏକ ଅସୁସ୍ଥତାର ସଂକେତ ବି ବହନ କରିଥାଏ ।
ମୁଖ ଦୁର୍ଗନ୍ଧର କାରଣ
ଅନେକ କ୍ଷେତ୍ରରେ ଓରାଲ ହାଇଜିନ୍ ବା ମୌଖିକ ସ୍ୱଚ୍ଛତା ନ ରହିଲେ ମୁଖ ଦୁର୍ଗନ୍ଧ ବାହାରେ ବୋଲି ଡାକ୍ତରମାନେ ବିଶ୍ୱାସ କରନ୍ତି । ବ୍ୟାଡ ବ୍ରିଦ ମୁଖ ଦୁର୍ଗନ୍ଧ ଏକ ରୋଗର ସଂକେତ ବି ହୋଇପାରେ । ମୁଖ ଦୁର୍ଗନ୍ଧର କିଛି କାରଣ ନିମ୍ନରେ ଦିଆଗଲା ।
ପାଟିରେ ଖାଦ୍ୟାଂଶ ରହିଲେ – ଖାଦ୍ୟ ଖାଇବା ପରେ ଆମେ ପାଟି ଭଲ ଭାବେ କୁଳୁକୁଚା ନ କଲେ ଖାଦ୍ୟାଂଶ ଦାନ୍ତରେ ରହିଯାଏ । ସେଗୁଡିକ ପାଟିରେ ଜମି ରହିବା ଦ୍ୱାରା ଦୁର୍ଗନ୍ଧ ବାହାରେ । ଏହାଛଡା କଂଚା ପିଆଜ ଓ ରସୁଣ ଖାଇଲେ ବି ପାଟିରୁ ଦୀର୍ଘ ସମୟ ଧରି ଦୁର୍ଗନ୍ଧ ବାହାରିଥାଏ ।
ଦାନ୍ତ ସମସ୍ୟା- ଦାନ୍ତର ଯତ୍ନ ନ ନେଲେ ବି ଆମକୁ ମୁଖ ଦୁର୍ଗନ୍ଧର ସାମନା କରିବାକୁ ପଡିବ । ଭଲ ଭାବେ ବ୍ରସ୍ ନ କରିବା ଦ୍ୱାରା ଖାଦ୍ୟ ଖଣ୍ଡ ସବୁ ଦାନ୍ତରେ ଲାଗିରହେ । ଏଥିରୁ ବ୍ୟାକଟେରିଆ ଓ ହାଇଡ୍ରୋଜେନ୍ ସଲଫାଇଡ୍ ସୃଷ୍ଟି ହୁଏ । ବ୍ୟାକ୍ଟେରିଆ ଦାନ୍ତମୂଳରେ ଜମି ରହିବା ଫଳରେ ପାଇରିଆ ଭଳି ସମସ୍ୟା ସୃଷ୍ଟି ହୁଏ, ଯାହା କି ବେଡ୍ ବ୍ରିଥ୍ର କାରଣ ହୁଏ ।
ଶୁଷ୍କ ପାଟି - ଲାଳ ବା ଛେପ ଆମ ପାଟିର ଆର୍ଦ୍ରତା ବଜାୟ ରଖେ । ଏଥିଯୋଗୁଁ ପାଟି ସଫା ବି ରହେ । କିନ୍ତୁ ଯଦି ପାଟି ଶୁଷ୍କ ରହେ, ତାହା ହେଲେ ଦୁର୍ଗନ୍ଧ ବାହାରେ । ବେଳେ ବେଳେ ଲାଳ ସୃଷ୍ଟି ହେଉ ନ ଥିବାରୁ ପାଟିରେ ମୃତ କୋଷିକାଗୁଡିକ ଜିଭ, ମାଢି ଓ କଳରେ ଜମି ରହନ୍ତି, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରେ । ସାଧାରଣତଃ ଶୋଇବା ସମୟରେ ଏହି ସମସ୍ୟା ଉପୁଜେ ।
ଜଟିଳ ରୋଗ – ଫୁସଫୁସ ସଂକ୍ରମଣ ହୋଇଥିଲେ ବି ପାଟିରୁ ଦୁର୍ଗନ୍ଧ ବାହାରେ । ଏହାଛଡା ପାଚନ ସମସ୍ୟା, କ୍ୟାନସର ଓ ଅନ୍ୟ ମେଟାବଲିକ ସମସ୍ୟା ବି ମୁଖ ଦୁର୍ଗନ୍ଧର କାରଣ ହୋଇଥାଏ । ଅତ୍ୟଧିକ ଧୂମପାନ, ସକାଳ ଜଳଖିଆ ନ କରିବା, ପାଟିରେ ଘାଆ, ରକ୍ତ ବାହାରୁଥିବା ମାଢି,ଗଳା ସଂକ୍ରମଣ ଯୋଗୁଁ ମଧ୍ୟ ସମସ୍ୟା ସୃଷ୍ଟି ହୁଏ । ଶରୀରରେ ଜିଙ୍କ୍ ଅଭାବ ହେଲେ ଏସବୁ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ସମସ୍ୟା ଜାରି ରହେ, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।
ମୁଖ ଦୁର୍ଗନ୍ଧ ଦୂର ପାଇଁ ୧୦ଟି ଘରୋଇ ଉପଚାର
୧. ଗ୍ରୀନ୍ ଟି – ଗ୍ରୀନ ଟି ରେ ଆଂଟିବ୍ୟାକଟେରିଆଲ ଉପାଦାନ ଥିବାରୁ ମୁଖ ଦୁର୍ଗନ୍ଧ ଦୂର କରିବାରେ ଏହା ସହାୟକ ହୋଇଥାଏ ।
୨. ଯଷ୍ଟିମଧୁ - ପ୍ରତିଦିନ ଯଷ୍ଟିମଧୁ ଚୋବାଇଲେ ମୌଖିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ମୁଖ ଦୁର୍ଗନ୍ଧ ଦୂର ହୁଏ ।
୩. ଲବଙ୍ଗ- ଲବଙ୍ଗ ମଧ୍ୟ ମୌଖିକ ସ୍ୱାସ୍ଥ୍ୟର ଉନ୍ନତି କରିଥାଏ । ଏହାକୁ ହାଲୁକା ଭାବେ ଚୋବାଇଲେ ବା ପାଟି ଭିତରେ ରଖି ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୁଏ ।
୪. ପିମ୍ଫରମେଂଟ୍ - ପାଟିକୁ ପୋଦିନା ପାଣିରେ କୁଳି କରି ଦୁଇ ତିନିଟା ପୋଦିନା ପତ୍ର ଚୋବାଇଲେ ପାଟିରୁ ଦୁର୍ଗନ୍ଧ ଦୂର ହୁଏ ।
୫. ପାନମଧୁରୀ – ଏହି ଲୋକପ୍ରିୟ ମୁଖଶୁଦ୍ଧି ହଜମ ଶକ୍ତି ବୃଦ୍ଧି କରିବା ସହ ପାଟିରୁ ଦୁର୍ଗନ୍ଧ ମୁକ୍ତ କରେ ।
୬. ଶୁଖିଲା ଧନିଆ - ପାନମଧୁରୀ ଭଳି ଶୁଖିଲା ଧନିଆ ବି ଶ୍ରେଷ୍ଠ ମାଉଥ ଫ୍ରେସନେର ଭାବେ କାମ କରେ । ଶୁଖିଲା ଧନିଆ ଚୋବାଇଲେ ସହାୟକ ହୋଇଥାଏ ।
୭. ତୁଳସୀ – ତୁଳସୀ ପତ୍ର ଚୋବାଇଲେ ବି ପାଟିରୁ ଦୁର୍ଗନ୍ଧ ଦୂର ହୁଏ ।
୮. ଲୁଣ ପାଣି – ଗରମ ପାଣିରେ ଲୁଣ ପକାଇ ପାଟି କୁଳି କଲେ ଦୁର୍ଗନ୍ଧ ଦୂର ହେବା ସହ ଗଳା ସଂକ୍ରମଣର ବିପଦ ଟଳେ ।
୯. ପିଜୁଳି ପତ୍ର -ପିଜୁଳି ପତ୍ରରେ ବି ଏକାଧିକ ଔଷଧୀୟ ଗୁଣ ରହିଛି । ଏହି ପତ୍ର ଚୋବାଇଲେ ବି ବେଡ୍ ବ୍ରିଥ୍ ହୁଏ ନାହିଁ । ଏହାଛଡା ପିଜୁଳି ପତ୍ର ପାଟି ଘାଆ ଭଲ କରେ ।
୧୦. ଡାଳିମ୍ବ ଚୋପା -ଡାଳିମ୍ବ ଚୋପାକୁ ଗରମ ପାଣିରେ ସିଝାଇ କୁଳି କଲେ ମୁଖ ଦୁର୍ଗନ୍ଧ ହୁଏ ନାହିଁ ।