ଧାର ଧାର ଝରି ପଡୁଥିଲା ଲୁହ; ପ୍ରବଳ ବର୍ଷାରେ ଦଣ୍ଡ ପ୍ରଣାମ କରି କାଳିଆ ପାଖକୁ ଗଲେ ମହିଳା ଭକ୍ତ - Dandavat Pranam at Srimandir

By ETV Bharat Odisha Team

Published : Aug 18, 2024, 6:31 PM IST

Updated : Aug 18, 2024, 7:12 PM IST

thumbnail
ଧାର ଧାର ଝରି ପଡୁଥିଲା ଲୁହ (ETV Bharat Odisha)

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ମୂଷଳଧାରାରେ କାଚୁଥିଲା ବର୍ଷା । ଶ୍ରୀମନ୍ଦିର ଭିତରୁ ବର୍ଷା ପାଣି ସୁଅ ଛୁଟିଥିଲା । ଆଉ ଏତିକି ବେଳେ ଜଗା ଦୁଆରେ ଲୋଟି ପଡୁଥିଲେ ଜଣେ ମହିଳା ଭକ୍ତ । ବର୍ଷାରେ ଭିଜି ଭିଜି ଦଣ୍ଡ ପ୍ରଣାମ କରି କାଳିଆର ଦର୍ଶନ ପାଇ ଯାଇଥିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଝରି ପଡୁଥିଲା । କୋହ ସମ୍ଭାଳି ନପାରି ସେ ଭୋ ଭୋ ହୋଇ କାନ୍ଦି ପକାଉଥିଲେ । ତଥାପି ପ୍ରବଳ ବର୍ଷାକୁ ଖାତିର୍ ନକରି ଦଣ୍ଡ ପ୍ରମାଣ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଆଉ ଏହି ଆବେଗ ଭରା ଦୃଶ୍ୟ ଉପସ୍ଥିତ ସେବାୟତଙ୍କୁ ଭାବବିହ୍ବଳ କରିଦେଇଥିଲା । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖର ଏହି ଦୃଶ୍ୟ ଯିଏ ଦେଖୁଛି ସିଏ ଭାବ ବିହ୍ଵଳିତ ହୋଇଯାଉଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା- ହେ ମହାପ୍ରଭୁ ଏହି ଭକ୍ତର ମନୋସ୍କାମନା ପୂର୍ଣ୍ଣ କର । ପ୍ରବଳ ବର୍ଷାରେ ଜଣେ ମହିଳା ଭକ୍ତଙ୍କ ଏହି ଦଣ୍ଡ ପ୍ରମାଣର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି  । 

ମହାପ୍ରଭୁଙ୍କ ନିକଟରେ କିଛି ମନସ୍କାମନା ଥିଲେ ଅନେକ ଭକ୍ତ ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ଏହାଦ୍ବାରା ମହାପ୍ରଭୁଙ୍କ କୃପା ଲାଭ ସହ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଶ୍ରୀମନ୍ଦିରରେ ସେହି ମହିଳା ଭକ୍ତ ଜଣକ କିଏ ? ତାଙ୍କର ପରିଚୟ ଜଣାପଡିନାହିଁ । ତେବେ ସେ ଦଣ୍ଡ ପ୍ରଣାମ କରୁଥିବା ବେଳେ କେହି ଜଣେ ଭକ୍ତ ନିଜ ମୋବାଇଲ୍ ଏହି ଭକ୍ତିମୟ ଦୃଶ୍ୟକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ । ମହିଳା ଭକ୍ତଙ୍କ ଏଭଳି ଭକ୍ତି ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁମାନେ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 18, 2024, 7:12 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.