ମାଲକାନଗିରିରେ ରକ୍ତ ଦେଇ ପ୍ରତିବାଦ କଲେ କୃଷି କର୍ମଚାରୀ - Malkangiri

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 16, 2024, 8:15 AM IST

VAW Association Protest In Malkangiri: ମାଲକାନଗିରି: ଅଭିନବ ଢଙ୍ଗରେ ନିଜର ପ୍ରତିବାଦ ଜଣାଇଲେ କୃଷି କର୍ମଚାରୀ  । ଫେବୃୟାରୀ ୧୩ ତାରିଖ ଠାରୁ ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲା କୃଷି କର୍ମଚାରୀ ସଂଘ ଧାରଣାରେ ବସିଛନ୍ତି । ଗୁରୁବାର ଧାରଣାରେ ବସିଥିବା ସମସ୍ତ କୃଷି କର୍ମଚାରୀ ରକ୍ତଦାନ କରି ନିଜର ଦାବି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି  । ସଂଘ ପକ୍ଷରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । କୃଷି କର୍ମଚାରୀ ଗତ କିଛି ମାସ ଧରି ୭ ଦଫା ଦାବି ରାଜ୍ୟ ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସରକାର ନୀରବଦ୍ରଷ୍ଟା ସାଜିଥିବା ସଂଘ ଅଭିଯୋଗ କରିଛି । 

ଏହା ମଧ୍ୟ ପଡ଼ନ୍ତୁ...ଶୌଚାଳୟ ଦାବିରେ ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତିବାସିନ୍ଦା

କେଡର୍ ପୁନର୍ଗଠନ, ଗ୍ରେଡ୍ ପେ ଭଳି ବହୁ ପ୍ରତୀକ୍ଷିତ ଦାବି ପ୍ରତି ଅଣଦେଖା କରାଯାଉଥିବା ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅଭିଯୋଗ କରିଆସୁଛି । ଏଣୁ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଗତ ଫେବୃଆରୀ ୮ ତାରିଖ ଠାରୁ ୧୨ ପର୍ଯ୍ୟନ୍ତ ମୋବାଇଲ ଯୋଗେ ବିଭାଗୀୟ ସେବାରୁ ନିବୃତ ରହିବା ପାଇଁ ଚେତାବନୀ ଦେଇଥିଲେ । ଦାବିପତ୍ର ଦେବା ସତ୍ତ୍ବେ ରାଜ୍ୟ ସରକାର ସଂଘ କରିଥିବା ଦାବିକୁ ପୂରଣ କରିନଥିବାରୁ ଗତ ଫେବୃଆରୀ ୧୩ ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ ପ୍ରଦତ୍ତ ସେବା ବନ୍ଦ ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି । 

ଏଥିସହିତ ଆସନ୍ତା ୨୦ ତାରିଖ ଠାରୁ ରାଜ୍ୟ ମୁଖ୍ୟ ଦପ୍ତର କୃଷି ଭବନ ସମ୍ମୁଖରେ ସମୂହ ଗଣଧାରଣା ଦେବେ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଥିରେ ଯଦି କୃଷି ଓ କୃଷକମାନଙ୍କର କୌଣସି କ୍ଷତି ଘଟେ ତାହା ପାଇଁ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଗଣଧାରଣାରେ ସଂଘର ଜିଲ୍ଲା ସଭାପତି ମନୋଜ ଢ଼ାଲି, ସମ୍ପାଦକ ଭୁପେଶ କୁମାର ଷଡ଼ଙ୍ଗୀଙ୍କ ସମେତ ୫୪ ଜଣ ଜିଲ୍ଲା କୃଷି କର୍ମଚାରୀ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.