ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା: ୪୨ ତୁମ୍ବରେ ସରିଲା ସୂତା ବାଡିଆ, ଆଗେଇ ଚାଲିଛି ବିନ୍ଧ କାର୍ଯ୍ୟ - Rath Construction In Puri

By ETV Bharat Odisha Team

Published : May 17, 2024, 1:07 PM IST

thumbnail
ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା: ୪୨ ତୁମ୍ବରେ ସରିଲା ସୂତା ବାଡିଆ, ଆଗେଇ ଚାଲିଛି ବିନ୍ଧ କାର୍ଯ୍ୟ (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣରେ ଲାଗି ପଡିଛନ୍ତି ରଥ ନିର୍ମାଣକାରୀ ସେବକ । ତିନି ରଥ ପାଇଁ ୪୨ ତୁମ୍ୱରେ ଗୁରୁବାର ବିନ୍ଧ ଅନୁକୂଳ ହେବା ପରେ ବିନ୍ଧ କାର୍ଯ୍ୟ ଆଗେଇ ଚାଲିଛି । ମହାରଣା ଦେଇଥିବା ମାପ ଅନୁସାରେ ବିନ୍ଧ କରାଯାଉଛି । ସେଥିରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ପ୍ରସ୍ତୁତ କରାଯିବ । ଖପୁରିଆ କରତ କଳରେ ଅର ଏବଂ ପହି ପ୍ରସ୍ତୁତ କରାଯାଉଛି । ସେଗୁଡିକୁ ଅଣାଯାଇ ତୁମ୍ୱରେ ଲଗାଯିବ । ତିନି ରଥ ନିର୍ମାଣ ପାଇଁ ୪୨ ଚକ ନିର୍ମାଣ କରାଯାଉଛି । ଗୁରୁବାର ଅପରାହ୍ନରେ ରଥ ଖଳାରେ ତୁମ୍ୱ, ବିନ୍ଧ ଅନୁକୂଳ ପୂଜା କରାଯାଇଥିଲା । ପ୍ରତ୍ୟେକ ତୁମ୍ୱରେ ୧୬ ଯୋଡ଼ା ବିନ୍ଧ କରାଯିବ । ସେଥିରୁ ପ୍ରଥମ ଦିନ ନନ୍ଦିଘୋଷ ରଥ ପାଇଁ ୪ ଯୋଡ଼ା, ତାଳଧ୍ଵଜ ରଥ ପାଇଁ ୪ ଯୋଡ଼ା ଏବଂ ଦର୍ପଦଳନ ରଥ ନିମନ୍ତେ ୪ ଯୋଡ଼ା ବିନ୍ଧ କରାଯାଇଛି । ଏହାଛଡା ନାହାକା ତୁମ୍ବର ବଳକା ଅଂଶ କରତିଙ୍କ କଟାଯାଇଛି । ୪୨ ତୁମ୍ବରେ ସୂତା ବାଡ଼ିଆ ଶେଷ ହୋଇଛି । 

ଏହା ମଧ୍ୟ ପଢନ୍ତୁ: ରଥଖଳା ହାଲଚାଲ: ଆଗେଇ ଚାଲିଛି ରଥ ନିର୍ମାଣ, ଶେଷ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ - Ratha Khala Halchal

ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଝା ତଥା କମାର ସେବକମାନେ ତିନି ରଥ ନିର୍ମାଣ ପାଇଁ ପନ୍ଦାରୀ ବଳା ଓ ଅରକଣ୍ଟା ପ୍ରସ୍ତୁତ କରୁଛନ୍ତି । ଗତ ଅକ୍ଷୟ ତୃତୀୟ ତିଥିରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ତେବେ ଆଗାମୀ ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ କାର୍ଯ୍ୟ ଆରମ୍ଭ ହେବା ସହ ଭୋଇ ସେବକମାନେ ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡିଆ କାର୍ଯ୍ଯ ତଥା ତୁମ୍ବ ସହ ଅର ସଂଯୋଗ କାର୍ଯ୍ୟ ଆରମ୍ଭ କରିବେ । ପ୍ରତିଦିନ ସକାଳ 8ଟାରୁ ରାତି 8ଟା ଯାଏ ବିଶ୍ଵକର୍ମା, ଭୋଇ, ଓଝା ଓ କରତୀ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଗକୁ ରଥ ନିର୍ମାଣ କାର୍ଯ୍ୟ ବଢିବା ସହ ରଥ ନିର୍ମାଣରେ ଅଧିକ ସେବକ ନିୟୋଜିତ ହେବେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.