ମହାପ୍ରଭୁଙ୍କ ମୂର୍ତ୍ତି ପୋଡିଲେ ବାଂଲାଦେଶୀ; ପୁରୀରେ ବିକ୍ଷୋଭ, ବାଂଲାଦେଶୀ ଶରଣାର୍ଥୀଙ୍କୁ ଦେଶରୁ ହଟାଇବା ଦାବି - Shri Jagannath Sena Stages Protest

By ETV Bharat Odisha Team

Published : Aug 8, 2024, 8:09 PM IST

thumbnail
ମହାପ୍ରଭୁଙ୍କ ମୂର୍ତ୍ତି ପୋଡିଲେ ବାଂଲାଦେଶୀ; ପୁରୀରେ ବିକ୍ଷୋଭ (ETV Bharat Odisha)

ପୁରୀ: ସରକାରୀ ଚାକିରିରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣକୁ ନେଇ ଉଠିଥିବା ଆନ୍ଦୋଳନ ନିଆଁରେ ଜଳୁଛି ବାଂଲାଦେଶ । ସାରା ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । କେତେକ ବ୍ୟକ୍ତି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବା ସହ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶରେ ଗୋଟିଏ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରାଯାଇ ଭଙ୍ଗାରୁଜା କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମାକୁ ପୋଡ଼ିଦିଆଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ପୁରୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଏହି ଘଟଣାର ପ୍ରତିବାଦ କରାଯାଇ ବିକ୍ଷୋଭ କରାଯାଇଛି । ତୁରନ୍ତ ଏହି ଘଟଣା କିଭଳି ରୋକିହେବ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।  

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସବୁ ଧର୍ମର ଦେବତା । ସାରା ବିଶ୍ବରେ ମହାପ୍ରଭୁ ପୂଜା ପାଉଛନ୍ତି । ତେବେ ଦୁଃଖର କଥା ବାଂଲାଦେଶରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ପୋଡି ଦିଆଯାଇଛି । ଏଠି ମହାପ୍ରଭୁଙ୍କର ଦୋଷ କଣ ? ତାଙ୍କୁ କାହିଁକି ପୋଡ଼ା ଗଲା । ବାଂଲାଦେଶକୁ ଆମେ ସ୍ଵାଧୀନ କରି ବଡ ଭୁଲ କରିଦେଲୁ କି ? ତୁରନ୍ତ ରାଜ୍ୟର ସବୁ ଜିଲ୍ଲା ପ୍ରଶାସନ ବାଂଲାଦେଶୀଙ୍କୁ ଚିହ୍ନଟ କରି ବିତାଡିତ କରନ୍ତୁ । ନହେଲେ ଏହିମାନେ ଆମ ଦେଶରେ ମଧ୍ୟ ଅରାଜକତା ସ୍ଥିତି ଉପୁଜାଇବେ ।"

ଏହା ବି ପଢନ୍ତୁ- ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ଟେନସନ, ୭ ଉପକୂଳ ଜିଲ୍ଲାରେ ହାଇଆଲର୍ଟ, ଆକ୍ସନ ମୋଡରେ ୧୮ ସାମୁଦ୍ରିକ ଥାନା

ସେପଟେ ବାଂଲାଦେଶରେ ମହାପ୍ରଭୁଙ୍କ ମୂର୍ତ୍ତି ପୋଡ଼ି ଘଟଣାକୁ ଅତ୍ୟନ୍ତ ଦୁଃଖ ଦାୟକ ଓ ଲଜ୍ଜାଜନକ ଘଟଣା ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ଅନ୍ୟଜଣେ ବରିଷ୍ଠ ସେବାୟତ ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ ଏହାକୁ ମର୍ମାହତ ଘଟଣା ବୋଲି କହିଛନ୍ତି । ତୁରନ୍ତ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ କିଭଳି ଏହି ଘଟଣା ପୁନରାବୃତ୍ତି ହେବ ନାହିଁ । ବାଂଲାଦେଶ ଏଥି ପାଇଁ କ୍ଷମା ମାଗୁ । ନ ହେଲେ ଆମ ଦେଶରୁ ସବୁ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ଦେଶରୁ ବାହାର କରିଦିଆଯାଉ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.