ଉଦଘାଟିତ ହେଲା ପୁରନ୍ଦର ନାଟକ ମହୋତ୍ସବ - Natak Mahotsav inaugurated
🎬 Watch Now: Feature Video
Published : Jan 20, 2024, 4:45 PM IST
ସୁବର୍ଣ୍ଣପୁର: ଜିଲ୍ଲାରେ ଆରମ୍ଭ ହେଲା ପୁରନ୍ଦର ନାଟକ ମହୋତ୍ସବ । ସୁବର୍ଣ୍ଣପୁରର ରୟାଲ ପଡିଆଠାରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ଏହି ନାଟ ମହୋତ୍ସବ ଉଦଘାଟିତ ହୋଇଯାଇଛି । ତେବେ ତିନି ଦିନ ଧରି ଏହି ମହୋତ୍ସବ ଚାଲିବାକୁ ଥିବାବେଳେ ପଶ୍ଚିମ ଓଡିଶାର ପ୍ରମୁଖ ଆଠଟି ନାଟ୍ୟ ସଂସ୍ଥା ପକ୍ଷରୁ ନାଟକ ପରିବେଷିତ ହେବ । ଉଦଘାଟନୀ ସନ୍ଧ୍ୟାରେ ଦୁଇଟି କୋଶଳୀ ଓ ସମ୍ବଲପୁରୀ ନାଟକ ମଞ୍ଚସ୍ଥ ହୋଇଥିଲା । କାରୁନ୍ୟ କଳାମଞ୍ଚ ଭବାନୀପାଟଣାର “ଝରକା” ଓ ପଦ୍ମପୁରର ଲୁ ଅନୁଷ୍ଠାନ ପକ୍ଷରୁ ପରିବେଷିତ “ରଙ୍ଗଭୂମି” ନାଟକ ଭିନ୍ନ ଭିନ୍ନ ସାମାଜିକ ବାର୍ତ୍ତାକୁ ନେଇ ପରିବେଷିତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ.... ଅଯୋଧ୍ୟାରେ ରାମଲାଲା; ଦିଆସିଲି କାଠିରେ ରାମ ମନ୍ଦିର ନିର୍ମାଣ କଲେ ଯୁବଶିଳ୍ପୀ
ନିର୍ଦ୍ଦେଶକ ପ୍ରଦୀପ ଡି. ମାଝୀଙ୍କ ନିର୍ଦ୍ଦେଶନାରେ ପରିବେଷିତ ନାଟକ ''ଝରକା''ରେ ମଣିଷ ପ୍ରଥମେ ନିଜେ ନିଜକୁ ଦେଖିବା ସହ ପ୍ରତିଟି ମୁହୂର୍ତ୍ତରେ ନିଜ ପରୀକ୍ଷାଗାରରେ ନିଜକୁ ପରଖିବା ଜରୁରୀ ବୋଲି ପ୍ରଦର୍ଶିତ ହୋଇଛି । ମଣିଷ ଅନ୍ୟକୁ ଦେଖିବା ପୂର୍ବରୁ ନିଜର ବିବେକରୂପୀ ଝରକାକୁ ଦେଖିବା ଜରୁରୀ ବୋଲି ଏହି ନାଟକରେ ବାର୍ତ୍ତା ରହିଛି । ଠିକ ସେହିପରି, ପଦ୍ମପୁରର ମୂର୍ଦ୍ଧନ୍ୟ ନାଟ୍ୟସଂସ୍ଥା ଲୁ’ର କଳାକାରଙ୍କ ଦ୍ବାରା ମଞ୍ଚସ୍ଥ ଓ ନିର୍ଦ୍ଦେଶକ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶିତ ରଙ୍ଗଭୂମି ନାଟକରେ ମଣିଷର ମଣିଷ ପଣିଆ ଓ ମଣିଷ ଭିତରେ ଥିବା ଦେବଗୁଣକୁ ଉଜ୍ଜୀବିତ ରଖି ସମାଜ ପ୍ରେରିତ କରିବାକୁ ନାଟକର ମୁଖ୍ୟ ନାୟକ ସୁରେ ଚରିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ।
ଏହି ନାଟ ମହୋତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅଞ୍ଜଳିନା ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ବର୍ଷିୟାନ କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିଚାରଣ ପୂର୍ବକ ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପୁରୁଣା ଓ ବଳିଷ୍ଠ ବୋଲି କହିଥିଲେ । ଉଦଘାଟନୀ ପର୍ବରେ ନାଟକ ମହୋତ୍ସବର ମୁଖ୍ୟ ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସମେତ ନାଟ ମହୋତ୍ସବର କାର୍ଯ୍ୟକର୍ତ୍ତା ସ୍ୱର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର