ଥମିଲା ପ୍ରଚାରର ଅଭିଯାନ, ବାଲେଶ୍ବର ମୈଦାନରେ ଅନ୍ତିମ ଲଢେଇକୁ ଅପେକ୍ଷା - POLITICAL CAMPAIGN END IN BALASORE

🎬 Watch Now: Feature Video

thumbnail

By ETV Bharat Odisha Team

Published : May 30, 2024, 10:22 PM IST

POLITICAL CAMPAIGN END IN BALASORE: ବାଲେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରଚାର କାର୍ଯ୍ୟ । ଏହି କ୍ରମରେ ଉତ୍ତର ଓଡିଶାର ଅନ୍ୟତମ ହଟସିଟ୍‌ ବାଲେଶ୍ବରରେ ଶେଷଦିନ ପ୍ରଚାରରେ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଆହୁରି ବ୍ୟାପକ କରିଥିବା ଦେଖିବାକୁ ମିଳିଛି । ଶେଷ ଦିନ ପ୍ରଚାରରେ କେହି କାହାଠୁ କମ ମାତ୍ରାରେ ପ୍ରଚାର କରିନାହାନ୍ତି । ସବୁ ଦଳ ସେମାନଙ୍କ ପ୍ରାର୍ଥୀ ଓ କର୍ମୀଙ୍କୁ ନେଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି । କେଉଁଠି ରାହୁଲ ଗାନ୍ଧୀ ପ୍ରଚାରର ମଙ୍ଗ ଧରିଥିଲେ ତ କେଉଁଠି ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏସବୁରୁ ବାଦ ପଡି ନଥିଲା ବିଜେଡି । ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ପ୍ରଚାର ମଙ୍ଗ ଧରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା ।  

ଏହା ମଧ୍ୟ ପଢନ୍ତୁ ...ବାଲେଶ୍ବରରେ ଗର୍ଜିଲେ ରାହୁଲ, 'ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଦେବାକୁ ଚାହୁଁଛୁ' - Rahul Gandhi Balasore Visit 

ସେହିପରି ବାଲେଶ୍ବର ସହରରେ ବିଜେଡି ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସମାନ୍ତ ସିଂହାର ଏବଂ ସଦର ବିଧାୟକ ପ୍ରାର୍ଥୀ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଆଗରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିବା ବେଳେ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ମୋନାଲିସା ସାମଲ ମଧ୍ୟ ପଦଯାତ୍ରାରେ ବାହାରି ପ୍ରଚାର ଶେଷ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନିଜର ପାୱାର ସୋ କରିବା ସହ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ମଇତାପୁର ପଡ଼ିଆରେ ରାହୁଲ ଗାନ୍ଧୀ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଖଇରା ବ୍ଲକ ପତିରାଜପୁର ଅଞ୍ଚଳରେ ବିଜେଡି ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁଙ୍କ ପାଇଁ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପ୍ରଚାର କରିଛନ୍ତି । ସେହି ଖଇରା ବ୍ଲକ ଅଡ଼ା ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ତେବେ ଆଜି ପ୍ରଚାର ଶେଷ ହେଉଥିବା ବେଳେ ଏବେ ପ୍ରାର୍ଥୀ ଏବଂ ତାଙ୍କର ସମର୍ଥକମାନେ ଭୋଟରମାନଙ୍କ ପାଖକୁ ଅନ୍ଧାରରେ ବିଜେ କରିବେ ନା ଆଲୁଅରେ କରିଥିବା ପ୍ରଚାର ଉପରେ ଛାଡ଼ିବେ ତାହା ହିଁ ପ୍ରଶ୍ନବାଚୀ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.