thumbnail

By ETV Bharat Odisha Team

Published : Jul 9, 2024, 6:11 PM IST

ETV Bharat / Videos

ଖାଦ୍ୟ ଲୋଭରେ ବୋତଲ ଭିତରେ ଫସି ହଟହଟା ନାଗ, ଦେଖନ୍ତୁ ଭିଡିଓ - Cobra Trapped In Bottle

Cobra Trapped In Bottle: ଭୁବନେଶ୍ବର: ଖାଦ୍ୟ ଲୋଭରେ ବାଟବଣା ହେଲା ନାଗ । ଚୁଚୁନ୍ଦ୍ରାକୁ ଖାଇବାକୁ ଯାଇ ଅମୁଲ କୁଲ ବୋତଲରେ ଫସି ଯାଇଥିଲା ନାଗ । ମୁଣ୍ଡ ନବାହାରିବାରୁ ବୋତଲ ଭିତରେ ଫସି ଛଟପଟ ହେଉଥିଲା ନାଗ । ଦୀର୍ଘ ସମୟ ବୋତଲରେ ଫସିଥିବା ସାପକୁ ସ୍ନେକ ହେଲ୍ପ ଲାଇନ ଉଦ୍ଧାର କରିଛି । ଏଭଳି ଘଟଣା ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...କଫ ସିରଫ ଶିଶି ଗିଳି ଫସିଲା ନାଗ, ଦେଖନ୍ତୁ ଭିଡିଓ - Snake Helpline Rescue Cobra

ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ଗ୍ରାମର ନକୁଳ ଖଟେଇଙ୍କ ବାଡିରେ ଥିବା ପରିତ୍ୟକ୍ତ କ୍ଷୀର ବୋତଲ ବସ୍ତାରେ ଏକ ସାପ ଅଧା ପଶି ରହିଥିଲା । ଏହା ନାଗ ସାପ ବୋଲି ଜାଣିବା ପରେ ସାପକୁ ନ ମାରି ନକୁଳ ଉଦ୍ଧାର ପାଇଁ ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟ ବିଦେଶୀ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସାପର ଲାଞ୍ଜକୁ ଧରି ଧୀରେ ଧୀରେ ଟାଣିଥିଲେ । ହେଲେ ସାପ ଅଖା ବସ୍ତା ଭିତରୁ ଆଦୌ ବାହାରିନଥିଲା । ବିଦେଶୀ ବସ୍ତାକୁ କାଟି ଦେବା ପରେ ବୋତଲ ଗୁଡ଼ିକ ତଳକୁ ଗଡିଗଲା । ଏହା ପରେ ସାପ ବାହାରିଲା ସତ । କିନ୍ତୁ ଏକ କାଚ ବୋତଲ ମୁଣ୍ଡ ଭର୍ତ୍ତି କରିଥିବା ଅବସ୍ଥାରେ ହିଁ ବାହାରିଥିଲା । ସାପ ମୁଣ୍ଡକୁ ବୋତଲ ବାହାରକୁ ବାହାର କରିବା ପାଇଁ ବିଦେଶୀ ଚେଷ୍ଟା କରିଥିଲେ ମଧ୍ୟ ସାପ ବାହାରିନଥିଲା  । ବୋତଲ ଭାଙ୍ଗି ସାପକୁ ମୁକ୍ତ କରିବା ପାଇଁ ବିଦେଶୀ ଚିନ୍ତା କରୁଥିଲେ । କିନ୍ତୁ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପରାମର୍ଶରେ ବୋତଲକୁ ନଭାଙ୍ଗି ଯତ୍ନର ସହ ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟକୁ ଆଣିଥିଲେ । 
ସାପର ଗତିବିଧି ଦେଖିବା ପରେ ଶୁଭେନ୍ଦୁ ବୋତଲ ଭିତରେ ମୂଷା କିମ୍ବା ବେଙ୍ଗର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । କାଚକୁ ବାଡେଇ ଭାଙ୍ଗିଲେ ସାପ ଦେହରେ ଧାରୁଆ କାଚ ବାଜି କଟିଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ତେଣୁ ସାପ ଦେହରେ ନଡ଼ିଆ ତେଲ ଲଗେଇ ଧୀରେ ଧୀରେ ବାହାରକୁ ଆଣିବା ପାଇଁ ଚେଷ୍ଟା କରାଯାଇଥିଲା । ବିଦେଶୀ  ସାପ ଦେହରେ ନଡ଼ିଆ ତେଲ ପକେଇବା ବେଳେ ଶୁଭେନ୍ଦୁ ଆସ୍ତେ ଆସ୍ତେ ବାହାରକୁ ଟାଣିଥିଲେ । ଏକ ମିନିଟରୁ କମ ସମୟ ମଧ୍ୟରେ ସାପଟି ସମ୍ପୂର୍ଣ୍ଣ ଭାବରେ ବୋତଲ ବାହାରକୁ ଚାଲି ଆସିଥିଲା । ସାପକୁ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.