ଅନୁଗୋଳରେ ଜୟପୁର ଇଫେକ୍ଟ, ତାତିଲା ବ୍ୟବସାୟୀ ସଂଘ - ANGUL TRADE ASSOCIATION
🎬 Watch Now: Feature Video
Published : Nov 6, 2024, 4:38 PM IST
ଅନୁଗୋଳ: ଜୟପୁରରେ ଜିଏସଟି (GST) ବିଭାଗର ଆକ୍ରୋଶ ମୂଳକ ଚଢ଼ାଉ ଚାପରେ ଜୁଏଲାରୀ ଦୋକାନୀଙ୍କ ମୃତ୍ୟୁ ଅଭିଯୋଗ ଘଟଣା । ଆଜି(ବୁଧବାର) ଅନୁଗୋଳ ସୁନା ବ୍ୟବସାୟୀ ସଂଘ ଏବଂ ବଣିକ ସଂଘ ପକ୍ଷରୁ ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ଶତାଧିକ ବ୍ୟବସାୟୀ ଶୋଭାଯାତ୍ରାରେ ଆସି ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା କରିଥିଲେ । ଜିଏସଟି ବିଭାଗର ଅଧିକାରୀମାନେ ଜାଣିଶୁଣି ବିଭିନ୍ନ ପର୍ବପର୍ବାଣୀରେ ସୁନା ଦୋକାନ ଗୁଡିକ ଉପରେ ଚଢ଼ାଉ କରୁଛନ୍ତି । ସୁନା ଦୋକାନୀମାନେ କୋଟି କୋଟି ଟଙ୍କା ଋଣ କରି କିଛି ରୋଜଗାର କରିବାର ଯେଉଁ ଆଶା ରଖିଥାନ୍ତି ତାହା ହୋଇ ପାରୁନାହିଁ । ଏହବ୍ୟତୀତ ଅନ୍ୟ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଉପରେ ଉଦେଶ୍ୟ ମୂଳକ ଭାବେ ଚଢ଼ାଉ କରାଯାଉଛି । ଅନେକ ବ୍ୟବସାୟ ପ୍ରତିଷ୍ଠାନ ବିନା ଜିଏସଟିରେ ଚାଲିଥିଲେ ମଧ୍ୟ ସେଗୁଡିକ ପ୍ରତି ଜିଏସଟି ବିଭାଗର ନଜର ପଡୁନାହିଁ । ତେଣୁ ଜିଏସଟି ଅଧିକାରୀମାନେ ମନଇଚ୍ଛା ଚଢ଼ାଉ କରି ବ୍ୟବସାୟୀଙ୍କ ମନୋବଳ ଭାଙ୍ଗିବା ସହ ବ୍ୟବସାୟୀଙ୍କୁ ଅପରାଧୀ ସଜାଇ ଦେଉଛି ବୋଲି ସଂଘ ଅଭିଯୋଗ କରିଛି । GST କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟବସାୟୀମାନେ ଜୋର ଜବରଦସ୍ତ କାର୍ଯ୍ୟାଳୟ ଫାଟକ ଖୋଲି ଧସେଇ ପଶିଥିଲେ । ଜିଏସଟି ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଆଗାମୀ ଦିନରେ ଜିଏଆଟି ଅଧିକାରୀମାନେ ମନଇଚ୍ଛା ଚଢାଇ କଲେ ଅନୁଗୋଳ ଜିଲ୍ଲାକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଇଟିଭି ଭାରତ, ଅନୁଗୋଳ