ହାଇଦ୍ରାବାଦ: ପୂରା ବର୍ଷ ସ୍ମାର୍ଟଫୋନ ମାର୍କେଟରେ ହଲଚଲ ଲାଗି ରହିଥାଏ । ସାଧାରଣ ଫିଚର ସହିତ କିଛି ସ୍ମାର୍ଟଫୋନ ଲଞ୍ଚ ହେଉଥିବା ବେଳେ ଆଉ କିଛି ନୂଆ ନୂଆ ଟେକ୍ନୋଲୋଜି ଆଣି ବଜାରରେ ଚହଳ ପକାଇଥାଏ । ବଜେଟ ସାଙ୍ଗକୁ ପ୍ରିମିୟମ ଫୋନ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ । 2024 ଶେଷ ହେବାକୁ ବସିଥିବା ବେଳେ ଏବେ ନୂଆବର୍ଷ 2025ରେ ଲଞ୍ଚ ହେବାକୁ ଅନେକ ଦମଦାର ଫୋନ ଧାଡ଼ିରେ ଲାଗିଛନ୍ତି । ତେବେ ନୂଆବର୍ଷ ପ୍ରାରମ୍ଭରେ ଲଞ୍ଚ ହେବାକୁ ଥିବା ଟପ୍-5 ସ୍ମାର୍ଟଫୋନ ସମ୍ପର୍କରେ ଆସନ୍ତୁ ଜାଣିବା ।
OnePlus 13
ଚାଇନିଜ କମ୍ପାନୀ ୱାନପ୍ଲସ ସ୍ପଷ୍ଟ କରିଛି ଯେ ଏହାର ଆଗାମୀ ଫ୍ଲାଗସିପ୍ ୱାନପ୍ଲସ 13 ଆସନ୍ତା ବର୍ଷ 2025 ଜାନୁଆରୀରେ ଲଞ୍ଚ ହେବ । କମ୍ପାନୀ ଏହାକୁ ଉନ୍ନତମାନର ପରଫର୍ମାନ୍ସ ସହିତ ଲଞ୍ଚ କରିବାକୁ ଯୋଜନା କରୁଛି । ଏଥିରେ ସ୍ନାପଡ୍ରାଗନ 8 ଏଲିଟ୍ ଚିପ ରହିପାରେ । ପାଣି ଓ ଧୂଳିରୁ ରକ୍ଷା ପାଇବା ପାଇଁ IP69 ରେଟିଂ ସହିତ ଆସିପାରେ । ଏହା ଗ୍ରୀନ-ଲାଇନ ଫ୍ରି ଡିସପ୍ଲେ ଟେକ୍ନୋଲୋଜି ସହିତ ଭାରତରେ ଡେବ୍ୟୁ କରିବା ସହ ଆଣ୍ଡ୍ରଏଡ-15 ଆଧାରିତ OxygenOS 15 ସହିତ ଆସିପାରେ । ଏଥିରେ ହ୍ୟାସେଲବ୍ଲଡ ଟ୍ୟୁନିଂ ସହିତ ଏକ ନୂଆ ଡିଜାଇନର କ୍ୟାମେରା ସେଟଅପ ରହିପାରେ ।
ସାମସଙ୍ଗ ଗାଲାକ୍ସି S25 ଅଲଟ୍ରା
ପ୍ରିମିୟମ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଫିଲ୍ ଦେବ ସାମସଙ୍ଗର ଆଗାମୀ ସ୍ମାର୍ଟଫୋନ ଗାଲାକ୍ସି ଏସ25 ଅଲଟ୍ରା । ଏହି ଫୋନକୁ ନେଇ ଲିକ୍ ହୋଇଥିବା ତଥ୍ୟ ଅନୁସାରେ, ଏହି ସ୍ମାର୍ଟଫୋନଟି ଏହାର ପୂର୍ବ ମଡେଲ ସହିତ ବେଶ ମେଳ ଖାଇବ । ଏଥିରେ ସ୍ନାପଡ୍ରାଗନ 8 ଏଲିଟ୍ ଚିପ୍ ସହିତ ଆସିପାରେ । ଏହା ପ୍ରଥମ ସ୍ମାର୍ଟଫୋନ ହେବାକୁ ଯାଉଛି ଯାହାକି ଆଣ୍ଡ୍ରଏଡ 15 ଆଧାରିତ OneUI 7 ଦ୍ବାରା ପରିଚାଳିତ । ଏହା ଆସନ୍ତା ବର୍ଷ ଫେବୃଆରୀ ପ୍ରଥମ କି ଦ୍ବିତୀୟ ସପ୍ତାହରେ ଲଞ୍ଚ ହୋଇପାରେ । ଏହି ସ୍ମାର୍ଟଫୋନଟି S21/S22ର ଅପଗ୍ରେଡ ଭର୍ସନ ହୋଇପାରେ ।
ଏହା ବି ପଢନ୍ତୁ |
Asus ROG ଫୋନ 9
ବିଶ୍ବ ସ୍ତରରେ ଲଞ୍ଚ ହୋଇସାରିଛି ଆସସ୍ ROG ଫୋନ 9 । ନୂଆବର୍ଷ 2025ର ପ୍ରଥମ କିଛି ମାସ ମଧ୍ୟରେ ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନଟି ଲଞ୍ଚ ହେବ । ଖେଳ ଉତ୍ସାହୀମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ଫୋନରେ ସ୍ନାପଡ୍ରାଗନ୍ 8 ଏଲିଟ୍ ଚିପ୍ ଏବଂ ପିକ୍ କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ଏକ ବର୍ଦ୍ଧିତ କୁଲିଂ ସିଷ୍ଟମ୍ ସହିତ ଆସିପାରେ । ଏହାର ଦ୍ରୁତ 165Hz ଡିସପ୍ଲେ ଏବଂ 5,800 mAh ବ୍ୟାଟେରୀ ସହିତ ଆସିପାରେ । ଯାହାଦ୍ବାରା ଏହି ସ୍ମାର୍ଟଫୋନଟି ମୋବାଇଲ୍ ଗେମ୍ ପ୍ଲେୟାରଙ୍କ ଲାଗି ପ୍ରଥମ ପସନ୍ଦ ଭାବରେ ଏହାର ସ୍ଥିତିକୁ ଦୃଢ ରଖିବାକୁ ଲକ୍ଷ୍ୟ ରଖିଛି ।
Xiaomi 15
ସାଓମି 15 ନୂଆବର୍ଷ 2025ରେ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଲଞ୍ଚ ହୋଇପାରେ । ଏହା ସ୍ନାପଡ୍ରାଗନ 8 ଏଲିଟ୍ ଆଧାରିତ ଫୋନ ସହିତ ଆସିବ । ଅନ୍ୟ ଆଣ୍ଡ୍ରଏଡ ସ୍ମାର୍ଟଫୋନ ସହିତ ଏହି ଡିଭାଇସକୁ ତୁଳନା କଲେ ଏହା ଆକାରରେ ଛୋଟ ହୋଇପାରେ । ଏଥିରେ 6.36 ଇଞ୍ଚ ସ୍କ୍ରିନ, ଟ୍ରିପଲ କ୍ୟାମେରା ସେଟଅପ ସହିତ ଆସିପାରେ । ଏଥିରେ କମ୍ପାନୀ 5,400mAh ବ୍ୟାଟେରୀ ପ୍ରଦାନ କରିପାରେ ।
iPhone SE 4
ଏହି ଟପ୍-5 ଲାଟେଷ୍ଟ ସ୍ମାର୍ଟଫୋନ ମଧ୍ୟରେ ଟେକ ଜାଏଣ୍ଟ ଆପଲ୍ର ଆଇଫୋନ ଏସଇ 4 ସ୍ମାର୍ଟଫୋନ ମଧ୍ୟ ଅନ୍ତର୍ଭୁକ୍ତ । ଆପଲ୍ର ସବୁଠୁ ସୁଲଭ ମୂଲ୍ୟ ସ୍ମାର୍ଟଫୋନ କୁହାଯାଉଥିବା ଏହି ସ୍ମାର୍ଟଫୋନ ଆପଲ୍ ଇଣ୍ଟେଲିଜେନ୍ସ ସହିତ ଆସିପାରେ । ଏହାର କିଛି ଫିଚର ଆଇଫୋନ 14 ଓ ଆଇଫୋନ 15 ସହିତ ସମାନ ହୋଇପାରେ । ଯଦି କେହି ଅପଗ୍ରେଡେଡ ଆଇଫୋନ ଚାହୁଁଛନ୍ତି ତେବେ ଏହି ଲଞ୍ଚ ହେବାକୁ ଥିବା ଏହି ସ୍ମାର୍ଟଫୋନଟି ଏକ ଅପସନ ହୋଇପାରେ ।