ହାଇଦ୍ରାବାଦ: ଅଷ୍ଟ୍ରେଲିଆର ସ୍ବନସି ୟୁନିଭର୍ସିଟି ଓ ଡେକିନ ୟୁନିଭର୍ସିଟି ସାମୁଦ୍ରିକ ପ୍ରାଣୀମାନଙ୍କ ଗତିବିଧିକୁ ନେଇ ଏକ ବଡ଼ ଖୁଲାସା କରିଛି । ଏହି ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ ଏବଂ ସରୀସୃପ ସମେତ ସାମୁଦ୍ରିକ ପ୍ରାଣୀମାନେ ଖାଦ୍ୟ ଅନ୍ବେଷଣ କରୁନଥିବା ସମୟରେ ଅର୍ଥାତ କେବଳ ସମୁଦ୍ରରେ ଯାତ୍ରା କରିବା ସମୟରେ ସମାନ ଆପେକ୍ଷିକ ଗଭୀରତାରେ ପହଁରନ୍ତି । ଏହାଦ୍ବାରା ସେମାନେ ଜଳ ପ୍ରତିରୋଧକୁ ହ୍ରାସ କରି ଶକ୍ତି ସଂରକ୍ଷଣ କରନ୍ତି ଅର୍ଥାତ ସେମାନଙ୍କର ଅଧିକ ଶକ୍ତି କ୍ଷୟ ହୁଏ ନାହିଁ । ଏ ନେଇ ବିଶ୍ବର ପ୍ରମୁଖ ବୈଜ୍ଞାନିକ ପତ୍ରିକା ପିଏନଏଏସରେ ଏହି ଅଧ୍ୟୟନ ସମ୍ପର୍କରେ ପ୍ରକାଶ କରାଯାଇଛି ।
ସାମୁଦ୍ରିକ ପ୍ରାଣୀଙ୍କ ପହଁରିବା ଟ୍ରିକ୍:-
ଡ. କିମ୍ବର୍ଲି ଷ୍ଟୋକ୍ସ, ପ୍ରଫେସର ଗ୍ରାମି ହେଜ୍ ଓ ଡ. ନିକୋଲ୍ ଇଷ୍ଟବେନ୍ ନେତୃତ୍ବରେ ହୋଇଥିବା ଏହି ଅଧ୍ୟୟନରେ ପାଞ୍ଚଟି ଦେଶରେ ସମୁଦ୍ରର କଇଁଛ, ପେଙ୍ଗୁଇନ୍ ଏବଂ ତିମି ମାଛର ପହଁରିବା ଗଭୀରତା ଉପରେ ଗବେଷଣା କରାଯାଇଛି । ଫଳାଫଳରୁ ଜଣାପଡ଼ିଛି ଯେ ଏହି ପ୍ରାଣୀମାନେ କ୍ରମାଗତ ଭାବରେ ଭୂପୃଷ୍ଠରୁ ଶରୀରର ଆକାରର ତିନି ଗୁଣା ଗଭୀରତାରେ ଯାତ୍ରା କରିଥିଲେ । ଏହି ନିର୍ଦ୍ଦିଷ୍ଟ ଗଭୀରତାରେ ପହଁରିବା ଦ୍ବାରା ତରଙ୍ଗ ଗଠନରେ ଆବଶ୍ୟକ ପଡୁଥିବା ଶକ୍ତିର ପରିମାଣକୁ ହ୍ରାସ କରେ ଏବଂ ଭୂଲମ୍ବ ଭ୍ରମଣ ଦୂରତାକୁ କମ୍ କରିଥାଏ । ଏହି ଟ୍ରିକ୍ ଦ୍ବାରା ସାମୁଦ୍ରିକ ପ୍ରାଣୀମାନେ କମ ସମୟ ଓ କମ ଶକ୍ତି ବିନିଯୋଗ କରି ଅଧିକ ଦୂର ଅତିକ୍ରମ କରିପାରିଥାନ୍ତି ।
କିଛି ଅର୍ଦ୍ଧ ଜଳଚର ପ୍ରାଣୀ ମିଙ୍କ (Mink) ପରି ଭୂପୃଷ୍ଠର ନିକଟତର ହୋଇ ପହଁରିଥାଏ । ଯେଉଁଠାରେ ତରଙ୍ଗ ଉତ୍ପାଦନ ଦ୍ବାରା ଅଧିକ ମାତ୍ରାରେ ଶକ୍ତି ଅପଚୟ ହୋଇଥାଏ । ଶ୍ବାସକ୍ରିୟା କରୁଥିବା ସାମୁଦ୍ରିକ ପ୍ରାଣୀ ଯେଉଁମାନେ ସ୍ଥାନାନ୍ତରଣ କିମ୍ବା ଦୈନନ୍ଦିନ ଯାତ୍ରା ସମୟରେ ବହୁ ଦୂରତା ଭ୍ରମଣ କରନ୍ତି ସେମାନେ ଶକ୍ତି ଖର୍ଚ୍ଚ ହ୍ରାସ କରିବା ପାଇଁ ଆଡାପ୍ଟେସନ୍ ଜରୁରୀ । ଅର୍ଥାତ ସେଭଳି ସ୍ଥିତି ସହ ମୁକାବିଲା କରିବା ଲାଗି କିଛି ପରିବର୍ତ୍ତନ ଆଣିବା ଆବଶ୍ୟକ, ଯାହାଦ୍ବାରା କମ ଶକ୍ତି ଖର୍ଚ୍ଚ ହେବ ।
ଅଧ୍ୟୟନର ଲକ୍ଷ୍ୟ:-
ଏହି ଅଧ୍ୟୟନ ମୁଖ୍ୟତଃ ବିନା ଖାଦ୍ୟ ଅନ୍ବେଷଣ ସମୟରେ ସାମୁଦ୍ରିକ ପ୍ରାଣୀମାନେ ଅଧିକ ଦୂର ଯାତ୍ରା କରିବା ସମୟରେ ସେମାନଙ୍କ ପହଁରିବାର ଶୈଳୀ କିପରି ଥାଏ, ତାହା ଉପରେ ଫୋକସ କରିଥିଲା । ଫିଜିକ୍ସ ପୂର୍ବରୁ ଯାହା ଅନୁମାନ କରିଥିଲା ତାହା ପ୍ରମାଣିତ ହୋଇଛି । ପଦାର୍ଥ ବିଜ୍ଞାନ ବହୁ ପୂର୍ବରୁ ପୂର୍ବାନୁମାନ କରିଛି ଯେ ବସ୍ତୁର ବ୍ୟାସ ତିନି ଗୁଣରୁ ଅଧିକ ଗଭୀରତାରେ ଯାତ୍ରା କରିବା ପରେ ତରଙ୍ଗ ଗଠନ ଯଥେଷ୍ଟ କମିଯାଏ । ପେଙ୍ଗୁଇନ, ତିମି ଓ କଇଁଛ ବର୍ଷ ବର୍ଷ ଧରି ଏହି ଷ୍ଟ୍ରାଟେଜିର ବ୍ୟବହାର କରି ଆସୁଛନ୍ତି । ଏହି ଟେକନିକ ଅନୁସରଣ କରିବା ଦ୍ବାରା ସାମୁଦ୍ରିକ ପ୍ରାଣୀମାନେ ନିଜ ଜୀବନ କାଳରେ ହଜାର ହଜାର କିଲୋମିଟର ଯାତ୍ରା କରିବା ପରେ ମଧ୍ୟ ସେମାନ ଦୀର୍ଘାୟୁ ରହିଥାନ୍ତି ।
ଏ ନେଇ ଅଧ୍ୟୟନର ମୁଖ୍ୟ ଲେଖକ ଡ. କିମ୍ବର୍ଲି ଷ୍ଟୋକ୍ସ କହିଛନ୍ତି, "ଅବଶ୍ୟ ଉଦାହରଣ ଅଛି ଯେଉଁଠାରେ ପ୍ରାଣୀ ସନ୍ତରଣର ଗଭୀରତା ଅନ୍ୟାନ୍ୟ କାରଣ ଦ୍ବାରା ପରିଚାଳିତ ହୋଇଥାଏ, ଯେପରିକି ଶିକାର ଖୋଜିବା କିନ୍ତୁ ଏହା ଉତ୍ସାହଜନକ ଥିଲା ଯେ ବାୟୁ ଦ୍ବାରା ଶ୍ବାସକ୍ରିୟା କରୁଥିବା ସାମୁଦ୍ରିକ ପ୍ରାଣୀ ବିନା ଖାଦ୍ୟ ଅନ୍ବେଷଣରେ ଯାତ୍ରା ସମୟରେ ପୂର୍ବାନୁମାନ କରାଯାଇଥିବା ପଦ୍ଧତିକୁ ଅନୁସରଣ କରିଛି । ସାମୁଦ୍ରିକ ପ୍ରାଣୀମାନେ ବହୁ ଦୂରକୁ ଚାଲିଯାଇଥାନ୍ତି, ଯାହାଦ୍ବାରା ଏ ନେଇ ଅନେକ ପ୍ରମାଣ ଏକତ୍ର କରିବା କଷ୍ଟଦାୟକ ଥିଲା । କିନ୍ତୁ ଏହି ଅଧ୍ୟୟନରେ 30 ସେଣ୍ଟିମିଟରରୁ 20ମିଟର ଲମ୍ବ ଆକାର ବିଶିଷ୍ଟ ସାମୁଦ୍ରିକ ପ୍ରାଣୀମାନେ ପହଁରିବା ସମୟରେ ଶକ୍ତି ବଞ୍ଚାଇବା ଲାଗି ଏହି ଟେକନିକ୍ର ବ୍ୟବହାର କରୁଥିବା ନେଇ ଯଥେଷ୍ଟ ପ୍ରମାଣ ମିଳିଛି ।"