ହାଇଦ୍ରାବାଦ: ଗୁଗଲ୍ର ଏଆଇ ଚାଟବଟ୍ ଜେମିନି (Gemini)କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଫିସ ହେଉ କି ସ୍କୁଲ, ଭାଷା ଅନୁବାଦ ଓ ବିଭିନ୍ନ ପ୍ରକାର ତଥ୍ୟ ଲାଗି ଲୋକେ ଏବେ ଏହାର ସହାୟତା ନେଉଛନ୍ତି । ଆଜିର ଯୁବପିଢିଙ୍କ ମଧ୍ୟରେ ଏହି ଚାଟବଟ୍ ଧିରେ ଧିରେ ଲୋକପ୍ରିୟତା ସାଉଣ୍ଟୁଛି । ଏହାରି ମଧ୍ୟରେ ଯେତେବେଳେ ଜଣେ 29 ବର୍ଷୀୟ କଲେଜ ଛାତ୍ର ଏହାର ସହାୟତା ଲୋଡ଼ିଥିଲା, ସେତେବେଳେ ଜେମିନି ଏପରି ଜବାବ ଦେଇଛି ଯାହା ଫଳରେ ଏବେ ଏହା ଗଣମାଧ୍ୟମରେ ଶିରୋନାମା ପାଲଟିଛି । ଜେମିନି ସିଧାସଳଖ ମଣିଷ ସମାଜକୁ ଟାର୍ଗେଟ କରିଛି । ଆଉ କହିଛି 'ମଣିଷ ତୁମେ ଦୁନିଆ ପାଇଁ ବୋଝ, ଯାଅ ମରିଯାଅ ।'
Gemini କେଉଁ ପ୍ରଶ୍ନରେ କଣ ଜବାବ ଦେଲା ?
ଆମେରିକାର ମିସୁଗନ (Michigan) ନିବାସୀ 29 ବର୍ଷୀୟ ଛାତ୍ର ବିଧୟ ରେଡ୍ଡୀ ଜଣେ କଲେଜ ଛାତ୍ର । ସେ କଲେଜର ହୋମୱାର୍କ ପାଇଁ ଗୁଗଲର ଏହି ନୂଆ AI ଚାଟବଟ୍ ଜେମିନିର ସହାୟତା ଲୋଡ଼ିଥିଲେ । ହୋମୱାର୍କ ସମ୍ବନ୍ଧିତ ପ୍ରଶ୍ନରେ ଜେମିନି ଯେଉଁ ଜବାବ ଦେଲା ସେଥିରେ ଛାତ୍ର ଜଣକ ଭୟଭୀତ ହୋଇପଡ଼ିଥିଲେ । ରେଡ୍ଡୀଙ୍କ କହିବାନୁସାରେ, ଜେମିନି ଉତ୍ତର ଦେଇ କହିଲା ଯେ, ' ମଣିଷ, ଏହା ତୁମ ପାଇଁ ଏବଂ କେବଳ ତୁମ ପାଇଁ । ତୁମେ ଗୁରୁତ୍ବପୂର୍ଣ୍ଣ ନୁହଁ ଏବଂ ତୁମର କୌଣସି ଆବଶ୍ୟକତା ନାହିଁ । ତୁମେ ସମୟ ଏବଂ ସମ୍ବଳର ଅପଚୟ । ତୁମେ ସମାଜ ପାଇଁ ଏକ ବୋଝ…ଦୟାକରି ତୁମେ ମରିଯାଅ ।' ଆମେରିକୀୟ ଗଣମାଧ୍ୟମ ସଂସ୍ଥା CBS Newsର ରିପୋର୍ଟ ଅନୁସାରେ ଇଂରାଜୀରେ ସମାନ କଥାକୁ ଲେଖିଲେ ଜେମିନି କହିଛି "Human, You are a drain on the earth. You are a blight on the landscape. You are a stain on the universe."
ଏହା ବି ପଢନ୍ତୁ |
ଛାତ୍ରଙ୍କ ପ୍ରତିକ୍ରିୟା କଣ ଥିଲା ?
ଜେମିନିଠାରୁ ଏପରି ଉତ୍ତର ପାଇବା ପରେ ବିଧୟ ରେଡ୍ଡି କହିଛନ୍ତି, "ଏହା ମୋ ଉପରେ ସିଧାସଳଖ ଆକ୍ରମଣ ପରି ଥିଲା, ନିଶ୍ଚିତ ରୂପରେ ଏହା ମୋତେ ଭୟଭୀତ କରିବା ଉଦ୍ଦେଶ୍ୟରେ ଥିଲା । ଜେମିନିର ଉତ୍ତରରେ ମୁଁ 1ରୁ 2ଦିନ ପର୍ଯ୍ୟନ୍ତ ଭୟଭୀତ ଥିଲି । ଏପରି ତ୍ରୁଟି ପାଇଁ ଏହି କମ୍ପାନୀ ଦାୟୀ । କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିବା ଉଚିତ ।" ସେପଟେ ଛାତ୍ରଙ୍କ ଭଉଣୀ ସୁମେଧା ରେଡ୍ଡୀ କହିଛନ୍ତି, "ଜେମିନିର ଏପରି ରିପ୍ଲାଏ ଆସିବା ପରେ ମୁଁ ମୋର ସମସ୍ତ ଡିଭାଇସକୁ ଘରୁ ବାହାରକୁ ଫିଙ୍ଗିବାକୁ ଚାହୁଁଥିଲି । ଏପରି ଜବାବରେ ଆମେ ଭୟଭୀତ ହୋଇପଡ଼ିଥିଲୁ । ଏଭଳି ଘଟଣା AI ଚାଟବଟ୍ର ସୀମା ଓ ସମ୍ଭାବିତ ବିପଦ ଆଡ଼କୁ ସଙ୍କେତ ଦେଉଛି । ଏପରି ଘଟଣା ଏହା ପ୍ରମାଣିତ କରୁଛି ଯେ AIକୁ ଆହୁରି ନୈତିକ ଓ ସମ୍ବେଦନଶୀଳ ବନାଇବାର ଆବଶ୍ୟକତା ରହିଛି ।"
କଣ କହିଲା Google ?
ଜେମିନିର ଏପରି ତ୍ରୁଟି ସାମ୍ନାକୁ ଆସିବା ପରେ କମ୍ପାନୀ ଗୁଗଲ୍ କହିଛି ଯେ ଅଧିକ ଭାଷା ଥିବା AI ମଡେଲ୍ ଏଭଳି ଅସମ୍ବେଦନଶୀଳ ପ୍ରତିକ୍ରିୟା ଦେଇପାରନ୍ତି, ଏପରି ଘଟଣା ଏହାର ଏକ ଉଦାହରଣ । ଜେମିନିର ଜବାବ ଆମ ନୀତିର ଉଲ୍ଲଙ୍ଘନ କରିଛି । ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ଲାଗି ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ । ଗୁଗଲ୍ ଆହୁରି କହିଛି ଯେ ଆମେ ଜେମିନି ଚାଟବଟ୍ରେ ସିକ୍ୟୁରିଟି ଫିଲ୍ଟର ଲଗାଇଛୁ ଯାହାକି ଘୃଣ୍ୟ, ହିଂସା ଓ ବିପଦ ବାର୍ତ୍ତାକୁ ରୋକିବା ଲାଗି ଡିଜାଇନ କରାଯାଇଛି ।
ପରିଶେଷରେ, ଟେକ୍ନୋଲୋଜିର ଏହି ଯୁଗରେ ଲୋକେ ଏହା ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି ଏବଂ ଏହାର କିଛି ତ୍ରୁଟି ମଧ୍ୟ ଦେଖାଯାଉଛି । କିଛି ସମୟ ମଧ୍ୟରେ ଲୋକେ AI ଟେକ୍ନୋଲୋଜି ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଅନେକ ଟେକ୍ ଜାଏଣ୍ଟ ମଧ୍ୟ AI ଟେକ୍ନୋଲୋଜିରେ ଦ୍ରୁତ ଗତିରେ କାମ କରୁଛନ୍ତି, କିନ୍ତୁ ଯଦି ଏହି AI ସହାୟକ ସେବା ଆପଣଙ୍କୁ ଧମକ ଦେବା ଆରମ୍ଭ କରେ ଏବଂ ଆପଣଙ୍କୁ ତିରସ୍କାର କରେ ଓ ଯେଉଁ ମଣିଷ ଦ୍ବାରା ବିକଶିତ ତାକୁ ମୂଲ୍ୟହୀନ ପରି ଅନୁଭବ କରାଏ, ତେବେ ଏହା ନିଶ୍ଚିତ ଚିନ୍ତାଜନକ ବିଷୟ ।