ଚେନ୍ନାଇ: ଦେଶର ବିଭିନ୍ନ ରାଜ୍ୟରେ ମଣିଷ-ବନ୍ୟଜନ୍ତୁ ଲଢେଇ ଚିନ୍ତାର କାରଣ ପାଲଟିଛି । ବନ୍ୟଜନ୍ତୁ ଖାଦ୍ୟ ଓ ଜଳ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି । ଏଭଳି ଭିଡିଓ ଏବେ ନିୟମିତ ଭାବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହିଂସ୍ର ଜନ୍ତୁ ଘର ଗେଟ୍ ନିକଟକୁ ପହଞ୍ଚୁଥିବା ବେଳେ ହାତୀ ଘର ଭାଙ୍ଗୁଛି । ଓଡ଼ିଶାଠୁ ଆରମ୍ଭ କରି ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ରାଜସ୍ଥାନ ଓ ଉତ୍ତରାଖଣ୍ଡ ସବୁଠି ଏଭଳି ସ୍ଥିତି । ଏହି ଲଢେଇରେ ଉଭୟ ପକ୍ଷ କ୍ଷତିଗ୍ରସ୍ତ ହେଉଛନ୍ତି । ନିରୀହ ଜୀବନ ଯାଉଛି ।
ସମଗ୍ର ଦେଶରେ ଏହି ଘଟଣାଗୁଡ଼ିକ ବୃଦ୍ଧି ପାଉଥିବାବ ବେଳେ ଏହାର ସମାଧାନ ଲାଗି ନୀତି ପ୍ରଣୟନର ଆବଶ୍ୟକତାକୁ ସୂଚିତ କରେ । ତେବେ ମଣିଷ ପଶୁ ଲଢେଇ ବନ୍ୟଜନ୍ତୁ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି । ଏହିପରି ଜଙ୍ଗଲରୁ ଜନବସତିରେ ପ୍ରବେଶ କରୁଥିବା ପଶୁମାନଙ୍କ ବିଷୟରେ ଜାଣିବା ଲାଗି AI ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ ହୋଇଛି । ଏହାପରେ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ଚେଷ୍ଟା କରାଯାଇଛି ।
ହାତୀଙ୍କ ଲାଗି AI ଟେକ୍ନୋଲୋଜି:- ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର କେମ୍ମାରାମପଲାୟାମ କର୍ତ୍ତୃପକ୍ଷ ହାତୀଙ୍କୁ ଘଉଡ଼ାଇବା ଲାଗି କୃତ୍ରିମ ବୁଦ୍ଧିମତା (AI)ର ଉପଯୋଗ କରିଛନ୍ତି ଏବଂ ସେ ଏହି କ୍ଷେତ୍ରରେ ସଫଳ ମଧ୍ୟ ହୋଇଛନ୍ତି । ହାତୀପଲ ଜନବସତି ଭିତରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ଚିହ୍ନଟ କରୁଛି ଏଆଇ ।
କିପରି କାମ କରୁଛି AI ?
- ସହରରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରବେଶ ସମ୍ପର୍କରେ ଜାଣିବା ପାଇଁ ସିସିଟିଭି କ୍ୟାମେରା ଥିବା ଏକ ଲାଉଡ ସ୍ପିକର ଲଗାଯାଇଛି ।
- ଏକ AI ଚାଳିତ କ୍ୟାମେରା ଯାହା 2.5 ମିଲିୟନ୍ ଫଟୋ ସଂଗ୍ରହ କରିପାରିବ । ଯଦି କ୍ୟାମେରା ଲଗାଯାଇଥିବା ସ୍ଥାନର 500 ମିଟର ମଧ୍ୟରେ ବନ୍ୟଜନ୍ତୁ ଗତିବିଧି ଚିହ୍ନଟ ହୁଏ, ତେବେ ସିସିଟିଭି କ୍ୟାମେରା ପ୍ରଥମେ ବନ୍ୟଜନ୍ତୁଙ୍କ ଫଟୋ ଉଠାଇ ଏହି କ୍ୟାମେରାରେ ପଠାଇବ ।
- ଏଇ କ୍ୟାମେରା ପ୍ରଥମେ ଏହା ବନ୍ୟଜନ୍ତୁ ନା ପାଳିତ ପଶୁ ତାହା ଚିହ୍ନଟ କରିବ ଏବଂ ଲାଉଡ ସ୍ପିକର ମାଧ୍ୟମରେ ଚେତାବନୀ ଦେଇଥାଏ ।
ଟେକ୍ନୋଲୋଜିକୁ ନେଇ କଣ କହୁଛନ୍ତି କମ୍ପାନୀ ସିଇଓ ?
ଏହି ଟେକ୍ନୋଲୋଜି ଆଣିଥିବା କମ୍ପାନୀର ସିଇଓ ରାଘବେନ୍ଦ୍ର କହିଛନ୍ତି, " ତାମିଲନାଡୁ ବନ ବିଭାଗ ସହିତ ମିଳିତ ଉଦ୍ୟମରେ ଏହି ଟେକ୍ନୋଲୋଜି ବିକଶିତ କରାଯାଇଛି । କୌଣସି ବନ୍ୟଜନ୍ତୁ ଜନବସତିରେ ପ୍ରବେଶ କରିବା ମାତ୍ରେ ଏ ସମ୍ପର୍କରେ ଜାଣିହେବ । କ୍ୟାମେରା ମାଧ୍ୟମରେ ଆମକୁ ସିଗ୍ନାଲ ମିଳିଯିବ । ଏହାପରେ ସେମାନଙ୍କୁ ଲାଉଡସ୍ପିକର ମାଧ୍ୟମରେ ଘଉଡାଯାଏ । ଏହି ଟେକ୍ନୋଲୋଜି ଏବେ କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶରେ ମଧ୍ୟ ବ୍ୟବହାର ହେଉଛି । ଏହି ଟେକ୍ନୋଲୋଜିଟି 10କିମି ଭିତରେ ମଧ୍ୟ କାମ କରିପାରେ ।"