ହାଇଦ୍ରାବାଦ: 11 ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହ ଉପରେ ଆଷ୍ଟେରଏଡ (Asteroid) ପ୍ରଭାବ ଯୋଗୁଁ ଏକ ବିସ୍ଫୋରଣ ହୋଇଥିଲା । ଫଳରେ ମଙ୍ଗଳ ଗ୍ରହରୁ କିଛି ପଥର ଖଣ୍ଡଗୁଡ଼ିକ ମହାକାଶରେ ଘୂରି ବୁଲିଥିଲା । ଯାହା ମଧ୍ୟରୁ ଗୋଟିଏ ଆମେରିକା ସ୍ଥିତ ପର୍ଡୁ ବିଶ୍ବବିଦ୍ୟାଳୟ ନିକଟରେ ପୃଥିବୀପୃଷ୍ଠରେ ପଡ଼ିଥିଲା । 1931 ମସିହାରେ ଆବିଷ୍କୃତ ହୋଇଥିବା ଏହି ପଥର ଖଣ୍ଡକୁ ଲାଫାୟେଟ୍ ମେଟେଓରାଇଟ୍ (Lafayette Meteorite) ଭାବରେ ଜଣାଶୁଣା । ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡିଛି ଯେ ଏହା ମଙ୍ଗଳ ଗ୍ରହରେ ତରଳ ଜଳର ସଂସ୍ପର୍ଶରେ ଆସିଛି । ଏ ନେଇ ଜିଓକେମିକାଲ ପର୍ସପେକ୍ଟିଭ ଲେଟର୍ସ ପତ୍ରିକାରେ ପ୍ରକାଶିତ ହୋଇଛି ।
ପର୍ଡୁ ବିଶ୍ବବିଦ୍ୟାଳୟର ଭୂବିଜ୍ଞାନ, ବାୟୁମଣ୍ଡଳ ଏବଂ ଗ୍ରହ ବିଜ୍ଞାନ ବିଭାଗ (EAPS)ର ସହକାରୀ ପ୍ରଫେସର ତଥା ପ୍ରକାଶନର ମୁଖ୍ୟ ଲେଖକ ମରିସା ଟ୍ରେମ୍ବଲେ ପୃଥିବୀ ଓ ଅନ୍ୟ ଗ୍ରହଗୁଡ଼ିକର ଭୂପୃଷ୍ଠକୁ ପ୍ରଭାବିତ କରୁଥିବା ଭୌତିକ ଏବଂ ରାସାୟନିକ ପ୍ରକ୍ରିୟା ଅନୁସନ୍ଧାନ ପାଇଁ ହିଲିୟମ୍, ନିଅନ୍ ଏବଂ ଆର୍ଗନ୍ ଭଳି ଉତ୍କୃଷ୍ଟ ଗ୍ୟାସ୍ ବ୍ୟବହାର କରିଥିଲେ । ଟ୍ରେମ୍ବଲେ ଜାଣିବାକୁ ପାଇଛନ୍ତି ଯେ ମଙ୍ଗଳ ଗ୍ରହର ଏହି ଉଲକା ପିଣ୍ଡରେ କିଛି ଖଣିଜ ପଦାର୍ଥ ମିଳିଛି ଯାହାକି ମଙ୍ଗଳ ଗ୍ରହର ପୃଷ୍ଠରେ ତରଳ ଜଳ ସହିତ ପ୍ରତିକ୍ରିୟା କରିଛି ।
ଏହା ବି ପଢନ୍ତୁ |
ମଙ୍ଗଳରେ କେଉଁଠୁ ଆସିଲା ଜଳ ?
ଟ୍ରେମ୍ବଲେଙ୍କ ଟିମ୍ ମଙ୍ଗଳ ଗ୍ରହର ଏହି ପିଣ୍ଡରେ ଲାଗିଥିବା ଖଣିଜ ପଦାର୍ଥଗୁଡିକୁ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ ଏଗୁଡ଼ିକ 742 ନିୟୁତ ବର୍ଷ ପୂର୍ବେ ଗଠନ ହୋଇଥିଲା । ଏହାସହ ସେହି ସମୟରେ ମଙ୍ଗଳ ପୃଷ୍ଠରେ ପ୍ରଚୁର ତରଳ ଜଳ ଥିଲା ବୋଲି ଟିମ ବିଶ୍ବାସ କରିନାହାଁନ୍ତି । କିନ୍ତୁ ଏହି ଜଳ ହୁଏତ ନିକଟସ୍ଥ ପର୍ମାଫ୍ରୋଷ୍ଟ (ମାଟି ତଳେ ବରଫ ଅବସ୍ଥାରେ ରହିଥିବା ଭୂମି) ତରଳିବା ଦ୍ବାରା ଆସିଥାଇପାରେ ।
ଏହା ପୂର୍ବରୁ ଅନେକ ପ୍ରକାଶନରେ ମଙ୍ଗଳ ଗ୍ରହରେ ଜଳ ଥିବାର ପ୍ରମାଣ ଦିଆଯାଇଛି । 2022ରେ ପ୍ରକାଶିତ ନେଚର୍ ଆଷ୍ଟ୍ରୋନେମି(Nature Astronomy) ପତ୍ରିକାରେ ମଧ୍ୟ ମଙ୍ଗଳରେ ଜଳ ଥିବା ନେଇ ଏକ ତଥ୍ୟ ପ୍ରକାଶ ପାଇଥିଲା । ସେହିପରି କିଛି ରିପୋର୍ଟରେ କୁହାଯାଇଛି ଯେ ମଙ୍ଗଳ ଗ୍ରହ ବରଫ ଦ୍ବାରା ଆଚ୍ଛାଦିତ ହୋଇଥିଲା । ସୂଚନା ଥାଉ କି ପୃଥିବୀ ଅନ୍ୟ ଗ୍ରହରେ ଜନବସତି ସ୍ଥାପନ ସମ୍ଭବ କି ନାହିଁ ସେ ଉପରେ ଗବେଷଣା ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳ ଗ୍ରହରେ ପାଣିର ପ୍ରମାଣ ମିଳିବା ନିଶ୍ଚିତ ଶୁଭ ଖବର ହୋଇପାରେ ।