ଭୁବନେଶ୍ୱର: ପ୍ରାୟତଃ ଆମେ ଯେତେବେଳେ ଖରାରେ ବାହାରକୁ ଯାଉ । ସେତେବେଳେ ଆମେ ଆମ ଛାଇକୁ ଦେଖିଥାଉ । କିନ୍ତୁ ଏପରି କେବେ ହୋଇଛି କି? ତୁମେ ତୁମ ଛାଇ ଦେଖିପାରୁନାହଁ । ଓଡ଼ିଶାରେ ବସବାସ କରୁଥିବା ଏବେ ତାହା ଅନୁଭବ କରିବେ । ଆପଣଙ୍କୁ ଦିଶିବନି ଆପଣଙ୍କ ଛାଇ । ହଁ ଆଜ୍ଞା, ଏହା ସତ! ଏହି ବିରଳ ଦୃଶ୍ୟ ଆଜି ରାଜଧାନୀରେ ଦେଖିବାକୁ ମିଳିଛି । କିଛି ସମୟ ପାଇଁ ଭୁବନେଶ୍ୱରରେ ହଜିଯାଇଛି ଛାଇ । କେବଳ ଏତିକି ନୁହଁ ରାଜ୍ୟର ଅନ୍ୟ ସ୍ଥାନରେ ବି ଉଭେଇଯିବ ଛାଇ । ତେବେ କେଉଁ ସ୍ଥାନରେ ଏବଂ କେଉଁ ସମୟରେ ଏହି ଦୃଶ୍ୟ ଅନୁଭବ କରିବେ? ଚାଲନ୍ତୁ ଜାଣିବା,
ରାଜଧାନୀରେ ଆଜି ଉଭେଇଗଲା ଛାଇ, ଉପଭୋଗ କଲେ ପର୍ଯ୍ୟଟକ
ଆଜି ସକାଳ ୧୧ଟା ୪୩ ମିନିଟରେ ଭୁବନେଶ୍ୱରରେ ଉଭେଇଗଲା ଛାଇ। ଏହି ବିରଳ ଦୃଶ୍ୟ ଦେଖିବାକୁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏକ ସମତଳ ଜାଗାରେ ଖୁଣ୍ଟ, ଚାରିକୋଣିଆ ବାକ୍ସ, ବୋତଲ, ଇଟା, ଭଳି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ୱ ଭାବରେ ରଖାଯାଇଥିଲା । ଯାହା ଫଳରେ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ଏବଂ ସମସ୍ତେ ଏହାକୁ ଦେଖି ଉପଭୋଗ କରିଥିଲେ ।
ଓଡ଼ିଶାର ୬ଟି ସ୍ଥାନରେ ଉଭେଇଯିବ ଛାଇ
ଆଜି ହେଉଛି ଶୂନ୍ୟ ଛାୟା ଦିବସ ବା ଜିରୋ ସାଡୋ ଡେ' । ଏହି ପରିପ୍ରେକ୍ଷୀରେ ଆଜିର ଦିନରେ କିଛି ସମୟ ପାଇଁ ଦିଶିବନି ଛାଇ । ସୂତ୍ର ଅନୁସାରେ, ଓଡ଼ିଶାର ୬ଟି ସ୍ଥାନରେ ଉଭେଇଯିବ ଛାଇ । ଆଜି ରାଜଧାନୀରେ ଛାଇ ଛୁ' ମନ୍ତର ହୋଇଥିବା ବେଳେ ଅନ୍ୟ ଦିନରେ କଟକ, ବୁର୍ଲା, ରାଉରକେଲା, ବଲାଙ୍ଗୀର ଏବଂ ବାରିପଦାରେ ଉଭେଇଯିବ ଛାଇ । ମେ ୨୨ ବା ଆସନ୍ତାକାଲି କଟକରେ ୧୧.୪୩ରେ ଏହି ଶୂନ୍ୟ ଛାୟା ଦିବସର ଝଲକ ଦେଖିବାକୁ ମିଳିବ । ଏଥିସହ ମେ ୨୩ରେ ବଲାଙ୍ଗୀର, ମେ ୨୮ ତାରିଖରେ ବୁର୍ଲା, ମେ ୩୧ ତାରିଖରେ ବାରିପଦା ଏବଂ ଏବଂ ଜୁନ ୨ତାରିଖରେ ରାଉରକେଲାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।
ଶୂନ୍ୟ ଛାୟା ଦିବସ କ'ଣ ?
ଶୂନ ଛାୟା ଦିବସ ଗୋଟିଏ ସ୍ଥାନରେ ବର୍ଷକୁ ଦୁଇଥର ହୁଏ, ଯେଉଁ ଦିନ ଦିନ ଦ୍ୱିପ୍ରହରରେ କିଛି କ୍ଷଣ ପାଇଁ ଛାଇ ଦେଖାଯାଇନଥାଏ । ଏହି ସମୟରେ ମଧ୍ୟାହ୍ନରେ ସୂର୍ଯ୍ୟ ସିଧାସଳଖ ମୁଣ୍ଡ ଉପରେ ରୁହେ । ଏହି ସମୟରେ କାହାର ଛାଇ ଦେଖାଯାଏନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି । ଏପ୍ରିଲରୁ ଜୁନ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।
ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ଼. ଜୟଦେବ କରଙ୍କ କହିବା ଅନୁସାରେ, ପ୍ରତିଦିନ ସୂର୍ଯ୍ୟ ଠିକ ପୂର୍ବ ଦିଗରେ ଉଦୟ କିମ୍ବା ପଶ୍ଚିମ ଦିଗରେ ଅସ୍ତ ହୋଇନଥାଏ । କିନ୍ତୁ ବର୍ଷର ୨ ଦିନ ଯେବେ ସୂର୍ଯ୍ୟ ଠିକ ପୂର୍ବ ଓ ପଶ୍ଚିମ ଦିଗରେ ଉଦୟ ଓ ଅସ୍ତ ହୋଇଥାଏ ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟ ମୁଣ୍ଡ ଉପରେ ରହିବା ଦ୍ଵାରା ଛାଇ ଦେଖା ଯାଏନାହିଁ । ସବୁ ସମୟରେ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଆମର ଛାଇ ସୃଷ୍ଟି ହୁଏ । ସୂର୍ଯ୍ୟ ଦିଗବଳୟର ଯେତେ ନିକଟତର ହୁଏ ଛାଇର ଲମ୍ବ ସେତେ ଅଧିକ ହୋଇଥାଏ । ତେଣୁ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ ଛାଇଟି ଖୁବ ଛୋଟ ହୋଇଯାଏ ବୋଲି କହିଛନ୍ତି ଜ୍ୟୋତିର୍ବିଜ୍ଞାନୀ । ସେହିପରି ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ରହିଥିବା ଅଞ୍ଚଳରେ ହିଁ ଦେଖାଯାଏ । କନ୍ୟାକୁମାରୀଠୁ ଭାରତ ମଧ୍ୟ ଭାଗରେ ଥିବା କର୍କଟକ୍ରାନ୍ତି ଥିବା ଅଞ୍ଚଳଗୁଡିକରେ ଏପ୍ରିଲରୁ ଜୁନ ଓ ଜୁନରୁ ଅଗଷ୍ଟ ମଧ୍ୟରେ ୨ ଥର ଦେଖାଯାଇଥାଏ ।
ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି ଫଳରେ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଯାଗାରେ ଅସ୍ତ ଯାଏ ନାହିଁ । ୨୧ ମାର୍ଚ୍ଚ ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ । ସେଠାରୁ ପୁଣି ଦକ୍ଷିଣକୁ ଫେରିବାରେ ଲାଗେ । ୨୧ ସେପ୍ଟେମ୍ବର ଦିନ ବିଷୁବରେଖା ଉପର ଦେଇ ୨୧ ଡିସେମ୍ବର ଦିନ ଦକ୍ଷିଣର ଶେଷ ବିନ୍ଦୁ ମକର କ୍ରାନ୍ତିରେ ଆସି ପହଞ୍ଚି ଥାଏ । ପୁଣି ତା ପର ଦିନଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ । ଏହି ପ୍ରକ୍ରିୟା ଅନବରତ ଚାଲୁ ରହିଛି । ସୂର୍ଯ୍ୟ ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ ଓ ସେହିଠାରୁ ଦକ୍ଷିଣ ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟଣ ଗତି କହିଥାଉ ।
ଏହା ମଧ୍ୟ ପଢନ୍ତୁ: ପଠାଣି ସାମନ୍ତ ପ୍ଳାନେଟୋରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ଇଟିଭି ଭାରତ