ଯାଜପୁର: ଶେଷରେ ଆତ୍ମସମର୍ପଣ କଲେ ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ । ବନବିଭାଗର ପକ୍ଷରୁ ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ଗତ କାଲି ରାତିରେ ସେମାନେ ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ 24 ତାରିଖ ରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତି ଙ୍କ ବାସଭବନରେ ଚଢ଼ାଉ କରିଥିଲେ । ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ରହିଛି ।
ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମୋନାଲିସା ଓ ତାଙ୍କ ସ୍ବାମୀଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଚେଷ୍ଟା କରି ବିଫଳ ହେଇଥିଲେ l ଏଥିସହିତ ପୁନଶ୍ଚ ସୋମବାର ଭୋରୁ ଭୋରୁ ମଧ୍ୟ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା l ତେବେ ଏହି ଚଢ଼ାଉ କରି ବନ ବିଭାଗ ପକ୍ଷରୁ ଏକ ମାଙ୍କଡ଼କୁ ଜବତ କରି ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ l ସେପଟେ ଏସିଏଫ ଅନିଲ କୁମାର ରାୟଙ୍କ ନିର୍ଦେଶ କ୍ରମେ ମୋନାଲିସା ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ପାଇଁ ସୋମବାର ଦିନ ବନ ବିଭାଗ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଥିଲା । ତେବେ ସେମାନଙ୍କ ବିରୋଧ ରେ ବନ ବିଭାଗ ପକ୍ଷରୁ କେଶ ନମ୍ବର 275/24 ରେ ଏକ ମାମଲା ରୁଜୁ କରାଯାଇ ଘଟଣା ର ତଦନ୍ତ ଜାରି ରହିଥିବା ବେଳେ ସେମାନେ ଆତ୍ମସମର୍ପଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ... ସୋସିଆଲ ମିଡିଆରେ ବନ୍ୟଜନ୍ତୁ ସହ ଫଟୋ ପୋଷ୍ଟ କରିବା ଘଟଣା, ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ - Raid On YouTuber Monalishas House
ସେପଟେ ଘଟଣାର ତଦନ୍ତ ପରେ ଆଜି ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଦମ୍ପତିଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଥିବା ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ୟୁଟ୍ୟୁବର ଭାବେ ସାରା ରାଜ୍ୟରେ ଚର୍ଚ୍ଚିତ ଅଛନ୍ତି ମୋନାଲିସା ଭଦ୍ର । ମୋନାଲିସା ନିଜ ଘରେ ଅନେକ ମାଙ୍କଡ଼ ରଖି ସେମାନଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିଲେ । ଏହାକୁ ଦେଖି ବନ୍ୟା ପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଶୁଭେନ୍ଦୁ ମଲ୍ଲିକ ରାଜ୍ୟ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପିସିସିଏଫ ଓ କଟକ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ବନ ବିଭାଗ ରେଞ୍ଜ ଓ ଚଣ୍ଡିଖୋଲ ବନ ବିଭାଗ ରେଞ୍ଜର ମିଳିତ ଭାବରେ ଜହଳ ଗାଁରେ ଚଢ଼ାଉ କରିଥିଲେ ।
ଇଟିଭି ଭାରତ, ଯାଜପୁର