ଢେଙ୍କାନାଳ: ବିଜେପି ନେତାଙ୍କ ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣେ RMC କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଜିଲ୍ଲାର କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସାଂସଦଙ୍କ ଗାଡି ବାଇକକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ସର୍ବେଶ୍ବର ଚୌଧୁରୀ । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ବରରୁ ରାଉରକେଲା ଯାଉଥିଲେ । ତେବେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ରେକୁଳା ଗ୍ରାମ ଛକଠାରେ କାମାକ୍ଷାନଗର ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସର୍ବେଶ୍ବର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସର୍ବେଶ୍ବର ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହା ଦେଖି ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ବରଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ ।
ହେଲେ ସେଠାରେ ଡାକ୍ତର ସର୍ବେଶ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସର୍ବେଶ୍ବରଙ୍କ ମୃତ୍ୟୁ ଖବର ପରେ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ କାମାକ୍ଷାନଗର ବିଧାୟକ ତଥା ପୂର୍ତ୍ତମନ୍ତ୍ରୀ ମେଡିକାଲରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାଂସଦଙ୍କ ଗାଡି ସମ୍ମୁଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସାଂସଦଙ୍କ କହିବାନୁସାରେ ବାଇକଟି ହଠାତ ଗାଡ଼ି ଆଗକୁ ଆସିଯିବାରୁ ଏହି ଦୁର୍ଘଟଣା ଘଟିଛି । ତେବେ ସାଂସଦ କାମାକ୍ଷାନଗର ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ଏ ନେଇ ମନ୍ତ୍ରୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।
ଏହା ବି ପଢନ୍ତୁ- ମନ୍ତ୍ରୀ ଜଗନ୍ନାଥଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର
ସୂଚନା ଥାଉ କି ଗତ କିଛି ଦିନ ତଳେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇଥିଲେ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବେଲକଣା ଗାଁରେ ମନ୍ତ୍ରୀ ସିକରପାଇ ଗାଁରେ ଆୟୋଜିତ ଭୋଲିବାଲ ତର୍ଣ୍ଣାମେଣ୍ଟ ଉଦଯାପିତ କାର୍ଯ୍ୟକ୍ରମର ଯୋଗଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବେଲକଣା ଛକଠାରେ ଏକ ନାବାଳକକୁ ଧକ୍କା ଦେଇ ଚାଲିଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ପ୍ରାୟ ଦେଢ ଶହ ମିଟର ଦୌଡ଼ି ଯାଇ ମନ୍ତ୍ରୀଙ୍କୁ ଅଟକେଇ ପ୍ରତିବାଦ କରିଥଲେ । ପରେ ମନ୍ତ୍ରୀ ତାଙ୍କ ଗାଡ଼ିରେ ବସେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଇଟିଭି ଭାରତ, ଢେଙ୍କାନାଳ