ଭୁବନେଶ୍ବର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରଜ୍ୟରେ ଘନ କୁହୁଡ଼ି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ । ଆସନ୍ତା କାଲି ଘନ କୁହୁଡ଼ି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହା ସହ କୁହୁଡ଼ି ଦୃଷ୍ଟିରେ ରଖି ପୋଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି । ଡ୍ରାଇଭରମାନଙ୍କୁ ସଚେତନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ତେବେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୪ ତାରିଖ ଯାଏଁ ଘନ କୁହୁଡି ନେଇ ୬ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ । ସେ ସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାକି ଓଡ଼ିଶାର କିଛି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ଅଧିକ ରହୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି ।
ପାଣିପାଗ କେନ୍ଦ୍ରର ସତର୍କତା ପରେ ପୋଲିସ ଡ଼ିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି । ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭରମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆସନ୍ତା କାଲି ସକାଳ ସାଢେ ଆଠଟା ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ନଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
ଏହା ମଧ୍ୟ ପଢନ୍ତୁ .....ଥରୁଛି ସାରା ଓଡି଼ଶା, ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ସେପଟେ ଗତ ୨୪ ଘଣ୍ଟାରେ ଚାନ୍ଦବାଲି ରାଉଲକେଲା ଝାରସୁଗୁଡା ବାରିପଦା କେନ୍ଦୁଝର ଓ ଭବାନୀପାଟଣାରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିଲା । ତାପମାତ୍ରା ସ୍ୱାଭାବିକ ରହିଥିବା ବେଳେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୦.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଛି । ସେହିପରି ସର୍ବାଧିକ ବର୍ଷା ମୟୂରଭଞ୍ଜର କରଞ୍ଜିଆରେ ୬.୦ ମିମି ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର